କନକ ବ୍ୟୁରୋ : ଟଙ୍କିକିଆ ଚାଉଳ ମାଗଣା ହୋଇଯିବା ପରେ ଜୋରଦାର ହୋଇଛି ରାଜନୀତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ପ୍ରଥମେ କେନ୍ଦ୍ର ସରକାର ମାଗଣା ଚାଉଳ ବଂଟନ ପାଇଁ ଘୋଷଣା କରିବା ପରେ, ରାଜ୍ୟ ସରକାର ଅନୁରୂପ ଘୋଷଣା କରିଥିବା କହିଛନ୍ତି ବିରୋଧୀ ଦଳ ନେତା । କେନ୍ଦ୍ର ସରକାର ୩କୋଟି ୨୬ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦେଉଥିବାବେଳେ ରାଜ୍ୟ ସରକାର କାହିଁକି ଅତିରିକ୍ତ ୯ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ବାଂଟୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ପୁଣିଥରେ ରାସନ କାର୍ଡ ଦୁର୍ନୀତି କଥା ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଜୟ ନାରାୟଣ ମିଶ୍ର । କଂଗ୍ରେସ ମଧ୍ୟ କହିଛି କେନ୍ଦ୍ରୀୟ ଯୋଜନାରୁ ବିଜେଡି ଫାଇଦା ଉଠାଉଥିଲା । ଟଙ୍କିକିଆ ଚାଉଳ ପାଇଁ ନବୀନଙ୍କ ସପକ୍ଷରେ ବଡ ଭୋଟବ୍ୟାଙ୍କ ମଧ୍ୟ ରହିଥିଲା । କିନ୍ତୁ ମାଗଣା ଚାଉଳ ଘୋଷଣା ପରେ ଧରାପଡିଯାଇଛି ରାଜ୍ୟ ସରକାରଙ୍କ ମିଛ । ଇନ୍ଦିରା ଗାନ୍ଧୀଙ୍କ ଅମଳରୁ ଚାଉଳ ଦିଆଯାଉଥିବା କହିଛନ୍ତି ସୁରେଶ ରାଉତରାୟ ।
ଅନ୍ୟପଟେ ବିରୋଧୀଙ୍କୁ ଜବାବ ଦେବା ସହ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷାର ହିତାଧିକାରୀଙ୍କ ପାଇଁ କେନ୍ଦ୍ର ଘୋଷଣା କରିଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବଳକା ହିତାଧିକାରୀଙ୍କ ପାଇଁ ମାଗଣା ଚାଉଳ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଏହାକୁ ନେଇ ରାଜନୀତି କରିବାର ଆବଶ୍ୟକତା ନଥିବା ବିଜେଡି ପକ୍ଷରୁ କୁହାଯାଇଛି । ତେବେ ଏସବୁ ଭିତରେ ମାଗଣା ଚାଉଳ ରାଜନୀତିର ପୂରା ଗଣିତକୁ ବୁଝିବା ।
‘ମାଗଣା ଚାଉଳ’ ରାଜନୀତି
- ୨୦୧୩ରୁ ଦେଶରେ ଲାଗୁ ହୋଇଛି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା
- ପ୍ରାୟ ୮୧ କୋଟି ୩୫ ଲକ୍ଷ ଲୋକଙ୍କୁ ରିହାତି ଦରରେ ଚାଉଳ ଓ ଗହମ ଦିଆଯାଉଛି
- ଏଥିପାଇଁ ରାଜ୍ୟଗୁଡିକୁ କେନ୍ଦ୍ର ସରକାର କିଲୋ ୩ ଟଙ୍କା ଦରରେ ଚାଉଳ ଦେଉଛନ୍ତି
- ଓଡିଶାରେ କେନ୍ଦ୍ର ସରକାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଯୋଗାଇ ଦିଅନ୍ତି ଚାଉଳ
- ଏଥିପାଇଁ ରାଜ୍ୟ ୨ ଟଙ୍କା ଦେଉଥିବାବେଳେ ହିତାଧିକାରୀ ମାତ୍ର ୧ ଟଙ୍କାରେ କିଣନ୍ତି
- ମାସକୁ ୫ କିଲୋ ଲେଖାଏଁ ଚାଉଳ ୫ଟଙ୍କା ଦରରେ କିଣିବାକୁ ପଡେ
- ରାଜ୍ୟ ସରକାର ଅତିରିକ୍ତ ପ୍ରାୟ ୯ ଲକ୍ଷ ଲୋକଙ୍କୁ ନିଜ ଟଙ୍କାରେ ଚାଉଳ ଦେଉଥିଲେ
- କରୋନା ବେଳେ କେନ୍ଦ୍ର ପୁଣି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଲାଗୁ କଲା
- ୨୦୨୦ରୁ ମାସକୁ ଅତିରିକ୍ତ ୫ କିଲୋ ଚାଉଳ ମାଗଣାରେ ଦିଆଯାଉଥିଲା
- ରାଜ୍ୟ ସରକାର ମଧ୍ୟ କରୋନା ବେଳେ ଅତିରିକ୍ତ ୯ ଲକ୍ଷଙ୍କୁ ମାଗଣା ଚାଉଳ ଦେଲେ
- ଜାନୁଆରୀ ୧ ତାରିଖରୁ ବନ୍ଦ ହୋଇଯାଇଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା
- ଅର୍ଥାତ ଏଣିକି କେବଳ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ମିଳିବ
- କୋଭିଡ ସହାୟତା ବନ୍ଦ ହୋଇଯିବା ପରେ ମାସକୁ କେବଳ ୫ କିଲୋ ମାଗଣା ଚାଉଳ ମିଳିବ
- ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନାକାଳୀନ ସହାୟତାକୁ ବନ୍ଦ କରିଦେଇଛନ୍ତି
- ଏବେ ପ୍ରତ୍ୟେକ ହିତାଧିକାରୀଙ୍କୁ ମାସକୁ କେବଳ ୫ କିଲୋ ଚାଉଳ ମାଗଣାରେ ମିଳିବ
Follow Us