ନିର୍ବାଚନରେ ବାଜି ଲାଗିଲା ସଂପର୍କ ! ପ୍ରଚାର ମୈଦାନରେ ଭିନ୍ନ ଭିନ୍ନ ଦଳ ପାଇଁ ଭୋଟ ମାଗିବେ ବାପା-ପୁଅ । 

ନିର୍ବାଚନ ତାତି ବଢ଼ୁଥିବା ବେଳେ ବାଜିରେ ଲାଗି ଯାଇଛି ସଂପର୍କ ।

272

କନକ ବ୍ୟୁରୋ: ନିର୍ବାଚନ ତାତି ବଢ଼ୁଥିବା ବେଳେ ବାଜିରେ ଲାଗି ଯାଇଛି ସଂପର୍କ । ବାପା ଗୋଟିଏ ଦଳରେ, ପୁଅ ଅନ୍ୟ ଦଳର ଟିକେଟ୍ରେ ଲଢ଼ୁଛନ୍ତି ନିର୍ବାଚନ । ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଦାମ ରାଉତ ଓ ତାଙ୍କ ପୁଅ ସମ୍ବିତ ରାଉତରାୟ । ବାଲିକୁଦା-ଏରସମା ବିଧାନସଭା ଆସନରେ ବିଜେପି ଟିକେଟରେ ଲଢ଼ୁଛନ୍ତି ଦାମ ରାଉତ । ସଭା ସମିତିରେ ବିଜେଡି ବିରୋଧରେ ବର୍ଷୁଛନ୍ତି ଦାମ । ତେବେ ପାରାଦୀପରୁ ସମ୍ବିତ ରାଉତରାୟଙ୍କୁ ବିଜେଡି ଟିକେଟ ଦେବା ପରେ ଦାମ ରାଉତ ଧର୍ମ ସଂକଟରେ ପଡ଼ି ଯାଇଛନ୍ତି । ଅବଶ୍ୟ ଦାମ କହିଛନ୍ତି, ପୁଅ ପାଇଁ ନୁହେଁ ପାର୍ଟି ପାଇଁ କାମ କରିବେ । 

ସେପଟେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ପାଇଛନ୍ତି ବିଜେପି ଟିକେଟ । ବେଗୁନିଆ ନିର୍ବାଚନମଣ୍ଡଳୀରେ ପଦ୍ମ ଫୁଲ ଚିହ୍ନରେ ଲଢ଼ିବାକୁ ଯାଉଛନ୍ତି ରିଷଭ । ଦୁଇ ଭିନ୍ନ ଭିନ୍ନ ଦଳ ପାଇଁ ପ୍ରଚାର କରିବେ ବାପା ପ୍ରଶାନ୍ତ ନନ୍ଦ ଓ ପୁଅ ରିଷଭ ନନ୍ଦ । ରିଷଭ କହିଛନ୍ତି, ବାପା-ପୁଅ ଅଲଗା ଅଲଗା ଦଳରେ ରହିଲେ କିଛି ସମସ୍ୟା ହେବନାହିଁ ।

ବାପା-ପୁଅ ରାଜନୀତି ବେଶ ରୋଚକ ସ୍ଥିତି ସୃଷ୍ଟି କରିଛି । ଲୋକେ ଅପେକ୍ଷା କରି ରହିଛନ୍ତି, ଭିନ୍ନ ରାଜନୈତିକ ଆଭିମୁଖ୍ୟ ଭିତରେ ନିର୍ବାଚନ ମଇଦାନରେ କିପରି ସାମନା-ସାମନି ହେବେ ବାପା-ପୁଅ । ତେବେ ଯିଏ ଯେତେ ଯୁକ୍ତି ବାଢୁନା କାହିଁକି, ଏହି ବାପା-ପୁଅ ରାଜନୀତି ସୃଷ୍ଟି କରିଛି ନେତାଙ୍କ ପାଇଁ ଧର୍ମ ସଂକଟ ।