ସନ୍ତୁଷ୍ଟ କଲେ ନା ପୁରସ୍କାର ଦେଲେ? କଟକ-ବାରବାଟୀ ଓ ପୁରୀ ବିଧାନସଭା ଆସନର ନୂଆ ସମୀକରଣକୁ ନେଇ ବଢିଲା ଚର୍ଚ୍ଚା 

419

କନକ ବ୍ୟୁରୋ: ବହୁ ହେବିୱେଟ୍ ଓ ବରିଷ୍ଠ ନେତା ରାଜ୍ୟସଭା ଟିକେଟ୍ ପାଇଁ ଆଶାୟୀ ଥିବା ବେଳେ,  ନବୀନଙ୍କ ଗୋଟିଏ ନିଷ୍ପତି କଟକ-ବାରବାଟି ଓ ପୁରୀ ବିଧାନସଭା ଆସନର  ରାଜନୈତିକ ସମୀକରଣକୁ ବଦଳାଇ ଦେଇଛି । ଦେବାଶିଷଙ୍କ ବଦଳରେ କଟକରୁ କିଏ ପ୍ରାର୍ଥୀ ହେବ? ସେନେଇ ଚର୍ଚ୍ଚା ବଢିଥିବାବେଳେ । ଅନ୍ୟପଟେ ପୁରୀ ଟିକେଟ୍ ଦୌଡରେ ଥିବା ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପଠାଇବା ପରେ ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲଙ୍କ ପାଇଁ ପୁରୀ ବିଧାନସଭା ଆସନ ବାଟ ଖୋଲି ଦେଇଥିବା ଚର୍ଚ୍ଚା ହେଉଛି ।

  • ଦିଲ୍ଲୀ ଯିବେ ଦେବାଶିଷ ଓ ଶୁଭାଶିଷ
  • ସନ୍ତୁଷ୍ଟ କଲେ ନା ପୁରସ୍କାର ଦେଲେ?

ରାଜନୈତିକ ସମୀକ୍ଷକଙ୍କ ମତରେ ଶୁଭାଶିଷ ଖୁଂଟିଆଙ୍କୁ ରାଜ୍ୟସଭା ପଠାଇବାକୁ ନିଷ୍ପତି କରି ପୁରୀ ଜିଲ୍ଲା ବିଜେଡି କଳିରେ ଏକପ୍ରକାର ପୂର୍ଣ୍ଣଛେଦ ଟାଣିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । କାରଣ ବିଜେଡି ଭିତରେ ଥାଇ ବି, ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହିଆସିଥିଲେ ଶୁଭାଶିଷ । ୨୦୨୪ରେ ତାଙ୍କୁ ବିଜେଡି ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ମହେଶ୍ୱରଙ୍କ ଦେହାନ୍ତ ପରେ ତାଙ୍କ ପୁଅ ସୁନିଲ ମହାନ୍ତି ଓ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବାକର ପାତ୍ରଙ୍କ ରୂପରେ ଆଉ ୨ ଦାବିଦାର ସାମ୍ନାକୁ ଆସିଲେ । ନିକଟରେ ଦିବାକରଙ୍କୁ ଜିଲ୍ଲା ବିଜେଡି ସଭାପତି ଭାବେ ଥଇଥାନ କରାଯାଇଛି । ଏବେ ଶୁଭାଶିଷଙ୍କୁ ଦିଲ୍ଲୀ ପଠାଇ, ମୁଖ୍ୟମନ୍ତ୍ରୀ ସୁନୀଲଙ୍କ ପାଇଁ ପୁରୀ ବିଧାନସଭା ଆସନ ବାଟ ଖୋଲି ଦେଇଥିବା ଚର୍ଚ୍ଚା ହେଉଛି ।ତେବେ ୨୦୨୪ ନିର୍ବାଚନରେ ବିଜେଡି ପାଇଁ ଅଡୁଆ କରିପାରନ୍ତି ଏକାଧିକ ଆଶାୟୀ ପ୍ରାର୍ଥୀ । ତେଣୁ ଚର୍ଚ୍ଚା ହେଉଛି ବାରବାଟୀ- କଟକ ଆସନ ପାଇଁ ନିର୍ଦ୍ଦିଷ୍ଟ ନେତାଙ୍କୁ ଆଖିରେ ରଖି ଦେବାଶିଷଙ୍କୁ ଦିଲ୍ଲୀ ପଠାଇବାକୁ ନିଷ୍ପତି କରିଥାଇପାରନ୍ତି ନବୀନ । ୨୦୦୯ରୁ କଟକ ରାଜନୀତିରେ ପ୍ରଭାବ ରଖିଆସିଥିବା ଦେବାଶିଷଙ୍କୁ ରାଜ୍ୟସଭାକୁ ପଠାଇବା ପରେ ବାରବାଟୀରୁ କିଏ ହେବେ ବିଜେଡି ପ୍ରାର୍ଥୀ ତାକୁ ନେଇ ଉକ୍ରଣ୍ଠା ବଢିଛି । ତେବେ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଛନ୍ତି ଅଭିନେତାରୁ ନେତା ବନିଥିବା ଅରିନ୍ଦର ରାଏ । ସେପଟେ କଟକ ମେୟର ଥିଲେ ବି ବାରବାଟୀ-କଟକରୁ ବିଧାନସଭା ନିର୍ବାଚନ ଲଢିବା ପାଇଁ ସୁବାସ ସିଂହ ପ୍ରବଳ ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେବେ ତାକୁ ସେ ତୁଲାଇବେ ବୋଲି କହିଛନ୍ତି । ସେପଟେ ରାଜନୀତି ସମୀକ୍ଷକଙ୍କ ମତରେ, ଯେହେତୁ ଗତଥର ମହମ୍ମଦ ମୋକିମଙ୍କଠାରୁ ହାରିଥିଲେ ଦେବାଶିଷ, ତେଣୁ ଏଥର କୌଣସି ନୂଆ ମୁହଁକୁ ଆଗକୁ କରିପାରେ ବିଜେଡି ।

ସୂଚନାଯୋଗ୍ୟ ଯେ, ଉପକୂଳରେ ଅଧିକ ସଫଳତା ପାଉଥିବା ବିଜେଡି ପୁରୀ ଓ କଟକରେ ବିଧାନସଭା ନିର୍ବାଚନ ହାରିବାକୁ ସହଜରେ ଗ୍ରହଣ କରିପାରନଥିଲା । ତେଣୁ ୨୦୨୪ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି ।