‘ମୋ ସରକାର’କୁ ନେଇ ମହାରାଜନୀତି । ତଳିଆ କର୍ମଚାରୀ ଓ ଦଲାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ସରକାରଙ୍କୁ ପ୍ରଶ୍ନ, ବଡ ବଡିଆ ବାବୁଙ୍କ ଉପରେ ଛାଟ ପଡିଲେ ବିରୋଧୀଙ୍କ ବନ୍ଦ ପାଳନ ।

482

କନକ ବ୍ୟୁରୋ : ସିଡିଏମଓଙ୍କ ନିଲମ୍ବନକୁ ବିରୋଧ କରି ବନ୍ଦ ହେଲା ସୁନ୍ଦରଗଡ । ନିଲମ୍ବନ ନିର୍ଦ୍ଦେଶରେ ଆଜି ରାଜନୀତିର ରଙ୍ଗ ଲାଗିଛି । ନିଷ୍ପତି ପ୍ରତ୍ୟାହାର ଦାବିରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । ସିଡିଏମଓଙ୍କ ନିଲମ୍ବନକୁ କେବଳ ଯେ, ବିଜେପି ବିରୋଧ କରିଛି ତାହା ନୁହେଁ, ସମର୍ଥନରେ ବାହାରିଛନ୍ତି ସୁନ୍ଦରଗଡ଼ ବାସିନ୍ଦା । ସେମାନଙ୍କ କହିବା କଥା ହେଉଛି ଦୋଷ କରିନଥିବା ଭୁଲ ପାଇଁ ସିଡିଏମଓଙ୍କୁ ନିଲମ୍ବନ କରାଯାଇଛି ।

ରାଜନୀତିକୁ ବୁଝିବା ସତରେ ବହୁତ କଷ୍ଟକର । କେତେବେଳେ କେଉଁ ପ୍ରସଙ୍ଗରେ ରାଜନୀତି ହେବ ତାହା ଆକଳନ କରିବା ବି ମୁସ୍କିଲ । “ମୋ ସରକାର” ଅଭିଯାନରେ ରାଜ୍ୟ ସରକାର ଯେତେବେଳେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ, ସେତେବେଳେ ବିରୋଧୀ ପ୍ରଶ୍ନ କରୁଥିଲେ, ତଳିଆ କର୍ମଚାରୀ ଏବଂ ଦଲାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସରକାର କାମ ସାରିଦେଉଛନ୍ତି । ଆଉ ଯେତେବେଳେ ସେହି କାର୍ଯ୍ୟରେ ଅବହେଳା ପ୍ରସଙ୍ଗରେ ଯେତେବେଳେ ଜିଲ୍ଲାପାଳଙ୍କୁ ନୋଟିସ୍ ହେଉଛି ଏବଂ ସିଡିଏମକୁ ନିଲମ୍ବନ କରାଯାଉଛି, ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିରୋଧୀ ବିଜେପି ।

ଏପରିକି ରାଜ୍ୟରେ ଡାକ୍ତର ଅଭାବ ଥିବା ବେଳେ ସୁନ୍ଦରଗଡରେ ମଧ୍ୟ ଡାକ୍ତରଙ୍କର ଅଭାବ ରହିଛି । ଆଉ ଏଭଳି ସ୍ଥଳେ ଜଣେ ଭଲ ଡାକ୍ତର ତଥା ସିଡିଏମଓଙ୍କୁ ନିଲମ୍ବନ କରାଯିବାକୁ ସହଜରେ ଗ୍ରହଣ କରିପାରିନି ବିଜେପି । ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରିଛି, ନିଷ୍ପତି ପ୍ରତ୍ୟାହାର ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି ଦଳ । ଆଉ ଦୀର୍ଘ ୨୦ ବର୍ଷ ପରେ ଯାହା ହେଉ ପଛେ ଲୋକଙ୍କ କଥା ନବୀନଙ୍କର ମନେ ପଡିଲା ଏଭଳି କହି କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏସବୁ ଭିତରେ ବିଜେଡି କହିଛି ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ଯେଉଁ ପଦକ୍ଷେପ ନିଆଯାଉଛି ସେଥିରେ ରାଜନୀତିର ରଙ୍ଗ ନ ଲଗାଯାଉ ।

ରାଜନୀତିର ଏହି ତମାମ୍ ବୟାନବାଜୀର କେନ୍ଦ୍ରର ରହିଛି ସୁନ୍ଦରଗଡ଼ ସିଡିଏମଓ ପଙ୍କଜ ପଟେଲଙ୍କ ନିଲମ୍ବନ ଘଟଣା ।୫-ଟି ସଚିବଙ୍କ ସମେତ ୫ଜଣିଆ ସରକାରୀ ପ୍ରତିନିଧି ଦଳ ଯେତେବେଳେ ସୁନ୍ଦରଗଡ଼ ହସ୍ପିଟାଲରେ ପହଞ୍ଚିଥିଲେ, ସାମ୍ନାକୁ ଆସିଥିଲା ଅବହେଳା ଓ ଅବ୍ୟବସ୍ଥାର ସାଂଘାତିକ୍ ଚିତ୍ର । ଆଉ ଏଥିପାଇଁ ତୁରନ୍ତ ସିଡିଏମକୁ ନିଲମ୍ବନ କରିବା ସହ ଜିଲ୍ଲାପାଳଙ୍କୁ ନୋଟିସ୍ କରାଯାଇଥିଲା ।

ବଡ଼ କଥା ହେଉଛି- ସିଡିଏମଓଙ୍କ ନିଲମ୍ବନକୁ କେବଳ ଯେ, ବିଜେପି ବିରୋଧ କରୁଛି ତାହା ନୁହେଁ, ପଙ୍କଜ ପଟେଲଙ୍କ ସମର୍ଥନରେ ବାହାରିଛନ୍ତି ସୁନ୍ଦରଗଡ଼ ବାସିନ୍ଦା । ସେମାନଙ୍କ କହିବା କଥା ହେଉଛି- ଦୋଷ କରିନଥିବା ଭୁଲ ପାଇଁ ସିଡିଏମଓଙ୍କ ନିଲମ୍ବନ କରାଯାଇଛି ।