୮ ଦିନର ସଭାପତି, ରାଜ୍ୟ ବିଜେପିରେ ଅଜବ ସ୍ଥିତି! ସମୀରଙ୍କ ନିଷ୍ପତ୍ତିକୁ ନେଇ ବଢୁଛି ସସପେନ୍ସ, ଚର୍ଚ୍ଚା ହେଉଛି ବିଜେପିରେ ସବୁ କିଛି ଠିକ ଅଛି ତ?

1,264

କନକ ବ୍ୟୁରୋ : ୮ ଦିନ ମଧ୍ୟରେ ବଦଳିଗଲା ନିଷ୍ପତ୍ତି । ଯିଏ ପଦ ହରାଇଥିଲେ ପୁଣିଥରେ ୮ ଦିନ ମଧ୍ୟରେ ପଦ ଫେରି ପାଇଲେ । ରାଜ୍ୟ ବିଜେପିରେ କିଛି ଏଭଳି ଘଟଣା ଆଜି ସମସ୍ତଙ୍କୁ ଟିକିଏ ଆଶ୍ଚର୍ଯ୍ୟ କରିଛି । ଗତ ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ସଭାପତି ପଦରୁ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ହଟାଇଥିଲେ ବିଜେପିର ରାଜ୍ୟ ମୁଖିଆ ସମୀର ମହାନ୍ତି । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ରଶ୍ମୀଙ୍କୁ ସଭାପତି ପଦରୁ ବିଦା କରି ଯତୀନ ମହାନ୍ତିଙ୍କୁ ମିଳିଥିଲା ଏହି ଦାୟିତ୍ୱ । ତେବେ ଏହାର ୮ ଦିନ ମଧ୍ୟରେ ପୁଣିଥରେ ରଶ୍ମୀଙ୍କୁ ସଭାପତି ପଦରେ ବସାଇବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସମୀରଙ୍କ ଏଭଳି ନିଷ୍ପତ୍ତି ପଛରେ କଣ କାରଣ ରହିଛି ତାହା ଏବେ ବି ଅନେକଙ୍କ ପାଇଁ ସସପେନ୍ସ ।

କୁହାଯାଉଛି, ୮ ଦିନ ମଧ୍ୟରେ ବଦଳିଥିବା ନିଷ୍ପତି ପଛରେ ରହିଛି ଦଳର ଜଣେ ବରିଷ୍ଠ ନେତ୍ରୀଙ୍କ ଅସନ୍ତୋଷ । ରଶ୍ମୀଙ୍କୁ ସଭାପତି ପଦରୁ ବିଦା କରିବା ପରେ ଦଳୀୟ ନେତା ଖାସକରି ଖୋର୍ଦ୍ଧା ଜିଲ୍ଲାର ଦଳୀୟ ନେତାଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏପରିକି ଖୋର୍ଦ୍ଧା ଜିଲ୍ଲାର କର୍ମୀ ଓ ନେତା ସମୀରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ପାର୍ଟି ଅଫିସରେ ନିଜର ଅସନ୍ତୋଷ ଜାହିର କରିଥିଲେ । ବରିଷ୍ଠ ନେତ୍ରୀଙ୍କ ସହ ବିନା ଆଲୋଚନାରେ ଖୋର୍ଦ୍ଧା ବାବଦରେ ନିଷ୍ପତ୍ତି ନ ନେବାକୁ ଦାବି ହୋଇଥିଲା । ଏପରିକି ଏଭଳି ନିଷ୍ପତ୍ତିକୁ ନେଇ ଦଳରେ ଗୋଷ୍ଠୀ କନ୍ଦଳର ଆଶଙ୍କା ବଢି ଯାଇଥିଲା । ଯାହା ଦଳର ସଭାପତିଙ୍କ ଚିନ୍ତା ବଢାଇ ଦେଇଥିଲା । ପତିଆରା ଲଢେଇରେ ଦଳ ପୁଣିଥରେ ବ୍ୟାକଫୁଟକୁ ଯିବା ପୂର୍ବରୁ ରଶ୍ମୀଙ୍କୁ ସଭାପତି ପଦ ଫେରାଇଥିଲେ ରାଜ୍ୟ ମୁଖିଆ ।

ତେବେ ଏଠି ପ୍ରଶ୍ନ ଉଠୁଛି, ମାତ୍ର ୮ ଦିନ ମଧ୍ୟରେ କାହିଁକି ନିଜର ନିଷ୍ପତ୍ତି ବଦଳାଇଲେ ସମୀର?ଶୃଙ୍ଖଳା ଭଙ୍ଗ କରିଥିବା ରଶ୍ମୀଙ୍କୁ କିଭଳି ୮ ଦିନ ମଧ୍ୟରେ ପୁଣିଥରେ ପଦ ଫେରାଇଲେ ସମୀର?  ରଶ୍ମୀଙ୍କୁ ସଭାପତି ପଦରୁ ବିଦା କରିବା ପରେ ଦଳ ଭିତରେ ଆରମ୍ଭ ହୋଇଥିଲା କି ଗୋଷ୍ଠୀ ବିବାଦ? କାହା ଚାପରେ ମାତ୍ର ୮ ଦିନ ମଧ୍ୟରେ ନିଜର ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହେଲେ ସମୀର? ଉପରକୁ ଦଳ ଯେତିକି ସଙ୍ଗଠିତ ଦେଖାଯାଉଛି ଭିତରେ ନେତାଙ୍କ ଭିତରେ ସବୁ ଠିକ୍ ଅଛି ତ? ଗୋଟିଏ ପଟେ ରାଜ୍ୟରେ ପଦ୍ମ ଫୁଟାଇବାକୁ କେନ୍ଦ୍ର ନେତୃବୃନ୍ଦ ନୂଆ ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ତେବେ ସେ ଓଡ଼ିଶାରେ ପାଦ ଦେବା ପୂର୍ବରୁ ଦଳରେ ଥିବା ଫାଟ ପଦାକୁ ଦିଶିଲାଣି । ତେଣୁ ନୂଆ ପ୍ରଭାରୀ ଭାବେ ନିଯୁକ୍ତି ପାଇଥିବା ଡି. ପୁରନ୍ଦେଶ୍ୱରୀ କାହାକୁ ନେଇ ରାଜ୍ୟରେ ଆଗକୁ ବଢିବେ ତାହା ତାଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇପାରେ ।