୫-ଟି ସ୍କୁଲର ରଙ୍ଗକୁ ନେଇ ବୟାନବାଜି । ବିରୋଧୀ ଦଳ ନେତାଙ୍କ କଟାକ୍ଷ, ଶାସକ ଦଳର ଜବାବ । ଜୟନାରାୟଣଙ୍କୁ ପାଗଳ କହିଲା ବିଜେଡି
କନକ ବ୍ୟୁରୋ: ଫାଇଭ-ଟିକୁ ନେଇ ରାଜନୈତିକ ବୟାନବାଜୀ । ପ୍ରଥମେ ଫାଇଭ୍-ଟି ବିଭାଗକୁ ନେଇ ପ୍ରଶ୍ନ ଉଠାଇଥିବା ବିରୋଧୀ ଦଳ ନେତା ଆଜି ସ୍କୁଲ ରଙ୍ଗକୁ ନେଇ କଟାକ୍ଷ କରିଛନ୍ତି । ପାକିସ୍ତାନ ରଙ୍ଗରେ ସ୍କୁଲ ଗୁଡିକୁ ରଙ୍ଗେଇ ଦେଲେ ସ୍କୁଲ ଗୁଡିକର ଉନ୍ନତି ହେବ ନାହିଁ ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର । ତେବେ ଏହାର ଜବାବ ରଖିଛି ବିଜୁ ଜନତା ଦଳ । ସବୁଜ ପରିବା ଖାଇବା ଛାଡିଦିଅନ୍ତୁ ଜୟନାରାୟଣ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।
- ରଙ୍ଗକୁ ନେଇ ରାଜନୀତି
- ପାକିସ୍ତାନ, ପରିବା ଓ ସବୁଜ ରଙ୍ଗ
ସୋମବାର ୫ଟି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇବା ପରେ, ମଙ୍ଗଳବାର ୫-ଟି ସ୍କୁଲର ରଙ୍ଗକୁ ନେଇ କଟାକ୍ଷ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାଣ ମିଶ୍ର । ଶୂନ୍ୟକାଳରେ ବିଧାନସଭାରେ ମାଟ୍ରିକ ପରୀକ୍ଷାରେ ହଜାର ହଜାର ପିଲା ଅନୁପସ୍ଥିତ ରହିବା ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି ଜୟନାରାୟଣ । ମନ୍ତ୍ରୀଙ୍କ ଉତ୍ତର ଦାବି କରିବା ସହ ଅଭିଯୋଗ କରି କହିଛନ୍ତି, ଡ୍ରପଆଉଟ୍ ରେସିଓରେ ଭାରତ ବର୍ଷରେ ଓଡି଼ଶା ୧ନଂ । ପାକିସ୍ତାନ ରଙ୍ଗରେ ସ୍କୁଲ ଗୁଡିକୁ ରଙ୍ଗେଇ ଦେଲେ ସ୍କୁଲ ଗୁଡିକର ଉନ୍ନତି ହେବ ନାହିଁ । ଏହା କଣ ସରକାରଙ୍କ ୫-ଟି ?
୫-ଟି ସ୍କୁଲର ରଙ୍ଗକୁ ନେଇ ଜୟନାରାୟଣ ଆକ୍ଷେପ କରିବା ପରେ, ଜବାବ ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ-ଜୟନାରାୟଣଙ୍କ ବୟାନକୁ ହାସ୍ୟାସ୍ପଦ କହିବା ସହ ପରିବା ଖିଆ ଛାଡି ଦେବାକୁ ଆହ୍ୱାନ ଦେଇଛନ୍ତି । କହିଛନ୍ତି, ବିରୋଧୀ ଦଳ ନେତା ୫-ଟିକୁ ନେଇ ପାକିସ୍ତାନରେ ପହଁଚିଲେଣି । ଜାତୀୟ ପତାକାରେ ସବୁଜ ରଙ୍ଗ ରହିଛି । ସ୍କୁଲରେ ଲାଗିଥିବା ସବୁଜ ରଙ୍ଗ କଥା କେମିତି କହୁଛନ୍ତି? ଯଦି ସବୁଜ ରଙ୍ଗ କଥା କହୁଛନ୍ତି, ତାହେଲେ ପରିବା ଖାଇବା ଛାଡି ଦିଅନ୍ତୁ ।
୫-ଟି ଅଧିନରେ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକର ରୂପାନ୍ତରଣ କରାଯାଉଛି । ରୂପାନ୍ତରଣ ସମୟରେ ସ୍କୁଲ ଗୁଡିକୁ ନୂଆ ରଙ୍ଗ ଦିଆଯାଉଛି । ଆଉ ଯେତେବେଳେ ମାଟ୍ରିକ ପରୀକ୍ଷାରେ ୧୮ହଜାର ପିଲା ଅନୁପସ୍ଥିତ ରହିବା ସାମନାକୁ ଆସୁଛି, ସେତିକିବେଳେ ସ୍କୁଲର ରଙ୍ଗକୁ ନେଇ ଆରମ୍ଭ ହୋଇଛି ରାଜନୀତି ।
ଅନ୍ୟପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ କ୍ରମାଗତ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜୁ ଜନତା ଦଳ । ଦଳ ପକ୍ଷରୁ ପ୍ରେସ ରିଲିଜ୍ ଜାରି କରି କୁହାଯାଇଛି, ବିରୋଧୀ ଦଳ ନେତା ମାନସିକ ଭାରସାମ୍ୟ ହରାଇ ସାରିଛନ୍ତି । ତାଙ୍କର ଏଭଳି ମତିଭ୍ରମ ଘଟିଲାଣି ଯେ, ସେ ପ୍ରତିଦିନ ପାଗଳଙ୍କ ଭଳି ପ୍ରଳାପ କରି ଲୋକହସା ହେଉଛନ୍ତି । ପ୍ରସଙ୍ଗ ନଥାଇ ବି ବିଧାନସଭାରେ ମଧ୍ୟ ସମୟର ଅପଚୟ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଫାଇଭ-ଟି କ’ଣ ବୁଝିବାର ସାମର୍ଥ୍ୟ ନାହିଁ ନା ବୁଝି ଅବୁଝା ହେଉଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ସେହିପରି ଫାଇଭ-ଟି ହେଉଛି ଓଡ଼ିଶା ବିକାଶର ବିଚାରଧାରା ଏବଂ ପ୍ରଗତିଶୀଳ ଆନ୍ଦୋଳନ ବୋଲି ପ୍ରେସ ରିଲିଜ୍ ଜାରି କରି ସୂଚନା ଦେଇଛନ୍ତି ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି ।