ୟୁପି ହିଂସାକାଣ୍ଡକୁ ନେଇ ରାଜନୀତି: ଉତ୍ତର ପ୍ରଦେଶରେ ଅନ୍ୟଦଳର ରାଜନେତାଙ୍କୁ ପ୍ରବେଶ ଉପରେ କଟକଣା ପରେ ଯୋଗୀଙ୍କୁ ସମାଲୋଚନା 

94

କନକ ବ୍ୟୁରୋ: ଉତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ ପରେ ରାଜନୀତି ଜୋର ଧରିଛି । ପୀଡିତ ପରିବାରଙ୍କୁ ଭେଟିବା ପାଇଁ ଲକ୍ଷ୍ମୀପୁର ଅଭିମୁଖେ ବାହାରିଛନ୍ତି ପ୍ରମୁଖ ବିରୋଧୀ ଦଳର ନେତା । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ରାତାରାତି ଲକ୍ଷ୍ମୀପୁର ଅଭିମୁଖେ ବାହାରିଥିବାବେଳେ , ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଲକ୍ଷ୍ମୀପୁର ଯିବା ବେଳେ ଅଟକାଇଥିଲା ପୋଲିସ ।

ହିଂସାକାଣ୍ଡ ଘଟିବା ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଳମ୍ବତ ରାତିରେ ଲକ୍ଷେ୍ମରେ ପହଂଚିଥିଲେ । ଏହାର କିଛି ସମୟ ପରେ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ କ୍ଷେରୀ ଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଭୋର ପ୍ରାୟ ସାଢେ ୫ଟାରେ ସୀତାପୁରର ହରଗାଁଓରେ ପ୍ରିୟଙ୍କାଙ୍କୁ ଅଟକାଇଥିଲା ପୋଲିସ । ପ୍ରିୟଙ୍କା ଗାଡିରୁ ଓହ୍ଲାଇ କିଛି ଚାଲି ଚାଲି ଯାଇଥିଲେ  । ଏହି ସମୟରେ ଅଟକାଇବାରୁ ପୋଲିସ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା ।

ପ୍ରିୟଙ୍କାଙ୍କୁ ପୋଲିସ ସୀତାପୁର ଗେଷ୍ଟ ହାଉସରେ ଅଟକ ରଖିବା ପରେ ପ୍ରିୟଙ୍କା ନିଆରା ଢ଼ଙ୍ଗରେ ପ୍ରତିବାଦ କରିଥିଲେ । ଗେଷ୍ଟ ହାଉସରେ ଝାଡୁ ମାରିଥିଲେ ପ୍ରିୟଙ୍କା । ବିରୋଧୀଙ୍କ ସ୍ୱରକୁ ଚାପିବାକୁ ୟୁପି ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ପ୍ରିୟଙ୍କା  । ସେହିପରି ଅଖିଳେଶ ଯାଦବ କହିଛନ୍ତି, ବିଜେପି ସରକାର କୃଷକଙ୍କ ସହ ଅନ୍ୟାୟ କରୁଛି । କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଓ ୟୁପି ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

ବିରୋଧୀଙ୍କ ଜୋରଦାର ଚାପ ପରେ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଏହି ହିଂସାକାଣ୍ଡର ତଦନ୍ତ କରିବାକୁ ନିଷ୍ପତି ନେଇଛନ୍ତି ୟୁପି ସରକାର । ଏଥିସହ ମୃତ ୪ ଚାଷୀଙ୍କ ପରିବାର ପିଛା ୪୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହିତ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି । ଆହତ ମାନଙ୍କୁ ୧୦ ଲକ୍ଷ ଟଂକା ଦିଆଯିବ ।

ଘଟଣାକୁ ନେଇ ରାଜନିତି ତେଜିବା ପରେ ସଫେଇ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା । ଘଟଣା ଦିନ ପ୍ରତିବାଦକାରୀ ବିଜେପିକର୍ମୀଙ୍କ ଉପରକୁ ଆକ୍ରମଣ କରି ରକ୍ତାକ କରି ପକାଇଥିଲେ ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି । ଏବଂ ହିଂସାକାଣ୍ଡ ସମୟରେ ତାଙ୍କ ପୁଅ ଘଟଣାସ୍ଥଳରେ ନଥିଲେ ବୋଲି କହିଛନ୍ତି ।