ଆଦିବାସୀଙ୍କ ଜମିକୁ ଅଣ-ଆଦିବାସୀଙ୍କୁ ବିକ୍ରି ପ୍ରସଙ୍ଗ । କ୍ୟାବିନେଟ୍ ମଞ୍ଜୁରିକୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି । ଏପଟେ ମନ୍ତ୍ରୀଙ୍କ ସୂଚନାକୁ ନେଇ ରାଜନୈତିକ ବୟାନବାଜି

89

କନକ ବ୍ୟୁରୋ: ଆଦିବାସୀଙ୍କ ଜମିକୁ ଅଣ ଆଦିବାସୀଙ୍କୁ ବିକ୍ରି କରିପାରିବା ନିଷ୍ପତିକୁ ସରକାର ସ୍ଥଗିତ ରଖିଥିଲେ ବି ଏହା ଅନୁସୂଚିତ ଜନଜାତିର ଲୋକଙ୍କୁ ସନ୍ତୁଷ୍ଟ କରାଇପାରିନି । ନିଷ୍ପତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଆଦିବାସୀ । ରାଉରକେଲାରେ ରାଜ୍ୟ ପେସା ଗ୍ରାମସଭା କୋଅର୍ଡିନେସନ କମିଟି ସୁନ୍ଦରଗଡ ୟୁନିଟର ଡାକରାରେ ଏକାଠି ହୋଇ ସରକାରଙ୍କ ନିଷ୍ପତିକୁ ବିରୋଧ କରିଛନ୍ତି ଶହ ଶହ ଆଦିବାସୀ । କ୍ୟାବିନେଟ୍ ନିଷ୍ପତି ପ୍ରତ୍ୟାହାର ଦାବିରେ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ଦେଇଛନ୍ତି ।

ତେବେ ଗୋଟିଏ ପଟେ କ୍ୟାବିନେଟ୍ ନିଷ୍ପତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ଦାବି ବଢ଼ୁଥିବାବେଳେ ଅନ୍ୟପଟେ ତେଜିଛି ରାଜନୈତିକ ବୟାନବାଜି । ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି ପ୍ରସଙ୍ଗରେ କ୍ୟାବିନେଟ୍ ନିଷ୍ପତିକୁ ସ୍ଥଗିତ ରଖାଯିବା ନେଇ ମନ୍ତ୍ରୀ ସୂଚନା ଦେବା ପରେ ପ୍ରଶ୍ନ ଉଠାଇଛନ୍ତିି ବରିଷ୍ଠ ନେତା ବିଜୟ ମହାପାତ୍ର । କ୍ୟାବିନେଟ୍ ଥରେ ନିଷ୍ପତି ନେଇଗଲା ପରେ କ୍ୟାବିନେଟ୍ ହିଁ ସେହି ନିଷ୍ପତିକୁ ବଦଳାଇ ପାରିବ ବୋଲି କହିଛନ୍ତି । ଯାହାର ଜବାବ ରଖି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, କ୍ୟାବିନେଟ ନିଷ୍ପତି ନେବା ପରେ ପୁନଃବିଚାର କରାଯିବାର ଅନେକ ନଜିର ରହିଛି ।

ତେବେ ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର କରିବା ପାଇଁ ଆସିଥିବା ପ୍ରସ୍ତାବ ଉପରେ ଗତ ୧୪ତାରିଖରେ ରାଜ୍ୟ କ୍ୟାବିନେଟ୍ ମୋହର ମାରିଥିଲା । କିନ୍ତୁ ସରକାରଙ୍କ ଏହି ନିଷ୍ପତିକୁ ବିରୋଧୀ ଦଳମାନେ ସମାଲୋଚନା କରିଥିଲେ । ଏହା ଆଦିବାସୀଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ଅଭିଯୋଗ ହୋଇଥିଲା । ଆଦିବାସ ସଂଗଠନ ପକ୍ଷରୁ ମଧ୍ୟ ବିରୋଧ କରାଯାଇଥିଲା । ତେବେ ୪୮ଘଣ୍ଟା ପରେ କ୍ୟାବିନେଟ୍ ନିଷ୍ପତିକୁ ସ୍ଥଗିତ ରଖାଗଲା ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଥିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।