ରାଜନୀତିରେ ରେଳଯାତ୍ରା । ପ୍ରବାସୀ ଶ୍ରମିକଙ୍କୁ ଟିକଟ ଭଡା ଦେବାକୁ ସୋନିଆ ଗାନ୍ଧିଙ୍କ ଘୋଷଣା ପରେ ତେଜିଲା ରାଜନୀତି । ବିଜେପି କହିଲା, ରାଜନୀତି ନକରୁ କଂଗ୍ରେସ, ଅନ୍ୟବାଟରେ କରିହେବ ସହାୟତା

555

କନକ ବ୍ୟୁରୋ; ଶ୍ରମିକଙ୍କ ଟ୍ରେନ ଯାତ୍ରାକୁ ନେଇ ରାଜନୀତି । ଟ୍ରେନ ଯାତ୍ରା ଭଡା ଦେବ କିଏ ? ସାରା ଦେଶ କରୋନା ସହିତ ଲଢେଇ କରୁଥିବା ବେଳେ, ବିଭିନ୍ନ ରାଜ୍ୟରେ ଫଶି ରହିଥିବା ଶ୍ରମିକମାନେ କିପରି ସୁବିଧାରେ ନିଜ ନିଜ ଘରେ ପହଂଚିପାରିବେ ସେନେଇ ଚାଲିଛି ପ୍ରକ୍ରିୟା । ଏହାରି ଭିତରେ ଏଣିକି ଶ୍ରମିକଙ୍କ ଯାତ୍ରା ଭଡା କଂଗ୍ରେସ ବହନ କରିବ ବୋଲି କଂଗ୍ରେସ ସଭାପତି ସୋନିଆ ଗାନ୍ଧି କହିବା ପରେ ବିବାଦ ତେଜିଛି । କଂଗ୍ରେସର ଅଭିଯୋଗ ହେଲା, ବିଦେଶରୁ ଯାତ୍ରୀମାନଙ୍କୁ ଆଣିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଶ୍ରମିକଙ୍କ କ୍ଷେତ୍ରରେ ମାଗଣା ଯାତ୍ରା ଘୋଷଣା କରୁନାହାନ୍ତି କାହିଁକି ।

ନିିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫଙ୍କ ଗୁଜରାଟ ଗସ୍ତ ସମୟରେ ଶହେ କୋଟି ଟଙ୍କା ଖର୍ଚ୍ଚ କରିଥିଲେ କେନ୍ଦ୍ର ସରକାର । ଆଉ ଏବେ ଶ୍ରମିକଙ୍କ କଥା ଯେତେବେଳେ ଉଠୁଛି କାହିଁକି ସରକାର ସେମାନଙ୍କ ଟ୍ରେନ ଯାତ୍ରାକୁ ମାଗଣା କରୁନାହାନ୍ତି ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଅନ୍ୟପକ୍ଷରେ ରେଳ ମନ୍ତ୍ରାଳୟ ଏହାର ଜବାବ ରଖିଛି । ଜଣେ ଶ୍ରମିକଙ୍କ ଟ୍ରେନ ଯାତ୍ରାରେ ଖର୍ଚ୍ଚ ହେଉଥିବା ଅର୍ଥରାଶିର ୮୫ ପ୍ରତିଶତ ରେଳବାଇ ପକ୍ଷରୁ ଖର୍ଚ୍ଚ କରାଯାଉଛି । ବାକି ୧୫ ପ୍ରତିଶତ ଅର୍ଥ ରାଜ୍ୟ ସରକାରମାନେ ବହନ କରୁଛନ୍ତି । ତେଣୁ ଯାହାର ସାହାଯ୍ୟ କରିବାର ଅଛି ସେଥିପାଇଁ ଅଲଗା ବାଟ ରହିଛି । ଏପରି ସଂକଟ ସମୟରେ ରାଜନୀତି ନ କରାଯାଉ ବୋଲି କହିଛି ବିଜେପି ।

ତେବେ ନିକଟରେ ଗୁଜରାଟର ସୁରତରୁ ଓଡିଶା ଫେରିଥିବା ପ୍ରବାସୀ ଓଡିଆ ଶ୍ରମିକ ୭୧୦ ଟଙ୍କାରେ ଟିକେଟ କିଣି ଓଡିଶା ଫେରିଛନ୍ତି । ସେପଟେ ୮୫ ପ୍ରତିଶତ ରେଳ ମନ୍ତ୍ରାଳୟ ଓ ୧୫ ପ୍ରତିଶତ ରାଜ୍ୟ ସରକାର ଦେଉଥିବା କଥାର ସତ୍ୟତା ଏଯାଏଁ ସ୍ପଷ୍ଟ ହୋଇନାହିଁ ।