କନକ ବ୍ୟୁରୋ: ଆଧୁନିକ ଓଡିଶା ଗଠନର ଲକ୍ଷ୍ୟ ନେଇ ରାଜ୍ୟ ସରକାର, ‘ଆମ ଓଡିଶା ନବୀନ ଓଡି଼ଶା’ ଯୋଜନା ଘୋଷଣା କରିବା ପରେ,ତେଜିଛି ରାଜନୀତି । ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି କହିଛି, ଯୋଜନା ପାଇଁ ମଞ୍ଜୁର ହୋଇଥିବା ୪ହଜାର କୋଟିର ଆୟୁଷ କେତେ? ନିର୍ବାଚନ ଆସିଲେ ନବୀନ ବାବୁଙ୍କର ମନେପଡେ । ନିର୍ବାଚନ ସରିଲେ ଯୋଜନା ବନ୍ଦ । ପ୍ରତ୍ୟକ ବ୍ଲକ, ପଂଚାୟତରେ ଏ ଟଙ୍କାରେ ଶୀତଳ ଭଣ୍ଡାର ହୋଇଥିଲେ ଭଲ ହୋଇଥାନ୍ତା । ବିଜେପି ଅଭିଯୋଗ କରି କହିଛି, ଆମ ଗାଁ ଆମ ବିକାଶ ଯୋଜନାକୁ ସଂଶୋଧିତ କରି ଆମ ଓଡି଼ଶା ନବୀନ ଓଡି଼ଶା ଯୋଜନା କରାଯାଇଛି । ଆମ ଗାଁ ଆମ ବିକାଶ ଯୋଜନାରେ ଅଧିକାଂଶ କାମ ନହେବା ପରେ ଏହା ନୂଆ ନାଟକ । ଏଥିସହ ବିନା ଟେଣ୍ଡରେ କାର୍ଯ୍ୟାଦେଶ ଦେଇ ଦୁର୍ନୀତି କରିବା ପାଇଁ ଏ ଯୋଜନାର ଲକ୍ଷ୍ୟ ନୁହେଁ ତ? ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ସମୀର ମହାନ୍ତି ।

Advertisment

‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ପରେ, କଡା ଜବାବ ରଖିଛି ଶାସକ ଦଳ । ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତ, ଆମ ଓଡି଼ଶା ନବୀନ ଓଡି଼ଶା ବିକାଶର ଗୋଟେ ମହାମନ୍ତ୍ର । ଆଗାମି ଦିନରେ ଓଡି଼ଶାର ବିକାଶକୁ ଏହା ଆହୁରି ତ୍ୱରାନ୍ୱିତ କରିବ । ଏଥିସହ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ଆମ ଗାଁ ଆମ ବିକାଶ କେଉଁଠି ଅଧା ରହିନି । ଯିଏ ଗାଁକୁ ଯିବ ସେ ଗାଁର ଚିତ୍ର ଦେଖି ଜାଣି ପାରିବ । ଯୋଜନାକୁ ଯେଉଁମାନେ ନିର୍ବାଚନ ସହ ଯୋଡୁଛନ୍ତି ସେମାନେ ଭୟଭୀତ ।

ସୋମବାର ବସିଥିବା କ୍ୟାବିନେଟ୍ ବୈଠକରେ ଆମ ଓଡିଶା ନବୀନ ଓଡିଶା ଯୋଜନା ଉପରେ ମୋହର ବାଜିଛି । ଏହି ଯୋଜନା ପାଇଁ ଚଳିତ ଆର୍ଥିକ ବର୍ଷରେ ୪ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ପ୍ରତି ପଂଚାୟତକୁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ । ସେହି ଟଙ୍କାରେ ଓଡି଼ଶାର ଐତିହ୍ୟ ଓ ସାଂସ୍କୃତିକ ଭିତ୍ତିଭୂମି ବିକାଶ ସହ ପ୍ରାଥମିକ ଶିକ୍ଷା ଉନ୍ନତୀକରଣ, କ୍ରୀଡା ସୁବିଧା, ବ୍ୟାଙ୍କିଂ ସେବା ଓ ଡିଜିଟାଲ ସେବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମିର ଉନ୍ନତିକରଣ କରାଯିବ । ପ୍ରତି ପଂଚାୟତକୁ ମଳିବାକୁ ଥିବା ୫୦ଲକ୍ଷ ଟଙ୍କା ଅନୁଦାନରୁ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରୋତ୍ସାହନ, ସଂରକ୍ଷଣ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଏହି ଯୋଜନା ଦ୍ୱାରା ନୂଆ ଓଡିଶାର ସୂତ୍ରପାତ ହେବ । ୨୦୧୮ରେ ଆମ ଗାଁ ଆମ ବିକାଶ ଯୋଜନା ଆରମ୍ଭ କରିଥିଲେ ରାଜ୍ୟ ସରକାର । ସେହି ଯୋଜନାରେ ଗ୍ରାମ ପଂଚାୟତ ଗୁଡିକରେ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ହେଉଥିଲା ।