ପ୍ରଥମ ଶ୍ରେଣୀ ଇଂଲିଶରେ ପଶିଲା ପଲିଟିକ୍ସ । ଗଣଶିକ୍ଷା ବିଭାଗର ଘୋଷଣା ପରେ ଲାଗିଲା ରାଜନୀତିର ରଙ୍ଗ । ବିରୋଧୀ କହିଲେ ମାତୃଭାଷାକୁ ଦିଆଯାଉ ଗୁରୁତ୍ୱ

472

କନକ ବ୍ୟୁରୋ: ସ୍ପୋକନ ଇଂଲିଶରେ ରାଜନୀତିର ରଙ୍ଗ । ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିଶ ନେଇ ଆରମ୍ଭ ହେଲା ରାଜନୈତିକ ବୟାନବାଜି । ଏଣିକି ପ୍ରଥମ ଶ୍ରେଣୀରୁ ସମସ୍ତ ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ସ୍ପୋକନ ଇଂଲିଶ ଶିକ୍ଷା ଦିଆଯିବା ନେଇ ଗଣଶିକ୍ଷା ବିଭାଗର ଘୋଷଣା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ପ୍ରକୃତରେ ପ୍ରଥମ ଶ୍ରେଣୀରୁ ଛାତ୍ରଛାତ୍ରୀମାନଙ୍କୁ ସ୍ପୋକନ ଇଂଲିଶ ଶିକ୍ଷା ଦେବା ଉଚିତ କି ନୁହେଁ ସେନେଇ ଚାଲିଛି ବିବାଦ । ସରକାରଙ୍କ ଏ ପଦକ୍ଷେପ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଏବଂ ପୁର୍ନବିଚାର କରିବା ଉଚିତ ବୋଲି କହିଛି ବିଜେପି ।

କଂଗ୍ରେସ ମଧ୍ୟ ସମାନ ଢଙ୍ଗରେ ସରକାରଙ୍କ ଘୋଷଣାକୁ ବିରୋଧ କରିଛି । ଓଡିଆ ପିଲାଙ୍କ କ୍ଷେତ୍ରରେ ମାତୃଭାଷାର ବେଶ ଗୁରୁତ୍ୱ ରହିଛି । ତେଣୁ ଏହା ଉପରେ ଫୋକସ ରହିବା କଥା ବୋଲି କହିଛି କଂଗ୍ରେସ । ବିଜେପି ଓ କଂଗ୍ରେସର ସମାଲୋଚନାକୁ କଟାକ୍ଷ କରିଛି ବିଜେଡି । ରାଜ୍ୟ ସରକାରଙ୍କ କୌଣସି ଭଲ ନିଷ୍ପତ୍ତିକୁ, ଭଲ ଯୋଜନାକୁ ବିରୋଧ କରିବା ବିରୋଧୀ ଦଳର କାମ ବୋଲି ସେମାନେ ଭାବିନେଇଥିବା କହିଛି ବିଜେଡି ।

ତେବେ ପ୍ରଶ୍ନ ଉଠୁଛି ଶିକ୍ଷାକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିବା ବେଳେ ବାସ୍ତବିକ ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିଶ ଶିକ୍ଷା ସତରେ କଣ ପରିବର୍ତ୍ତନ ଆଣିବ । ଏପରି ଶିକ୍ଷା ଉଚିତ କି ନୁହେଁ ଏ ପ୍ରଶ୍ନ ଏବେ ଅଭିଭାବକଙ୍କ ମନରେ ପ୍ରଶ୍ନର ପାହାଡ ଛିଡା କରିଛି । ଏସବୁ ବୟାନବାଜି ଭିତରେ ଅପେକ୍ଷା ସରକାରୀ ସ୍କୁଲରେ ସରକାରଙ୍କ ଏହି ଯୋଜନାକୁ କିପରି କାର୍ଯ୍ୟକାରୀ କରାଯାଉଛି ।