ରାଜନୀତିରେ ରାବଣ ପୋଡି । ପତିଆରା ଲଢେଇ ପାଇଁ ଝାରସୁଗୁଡାରେ ବନ୍ଦ ହେଲା କି ରାବଣପୋଡି ?

529

କନକ ବ୍ୟୁରୋ: ରାବଣ ପୋଡିକୁ ନେଇ ଝାରସୁଗୁଡାରେ ରାଜନୀତି । କୌଣସି ଗୋଷ୍ଠୀକୁ ବି ମିଳିଲାନି ଅନୁମତି । ଏଥର ଦଶହାରରେ ଝାରୁସୁଗୁଡାରେ ରାବଣପୋଡି ବନ୍ଦ ରହିବ । ବିବାଦ ପରେ ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଝାରୁସୁଗୁଡା ସହରରେ ଦୁଇଟି ରାବଣପୋଡି ହୋଇଥାଏ । ମନମୋହନ ଏମଇ ସ୍କୁଲ ପଡ଼ିଆରେ ହେଉଥିବା ରାବଣ ପୋଡ଼ି ଭିନ୍ନଭିନ୍ନ କାରଣରୁ ଚର୍ଚ୍ଚାର ଶୀର୍ଷରେ ରହିଛି । ପୂର୍ବରୁ ଏହାକୁ ନେଇ ପୋଷ୍ଟର, ହୋର୍ଡିଂ ୱାରରେ କଥା ସୀମିତ ଥିଲା । ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଓ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ଫଟୋ ଥିବା ପୋଷ୍ଟର ଓ ହୋର୍ଡିଂ ଡିସପ୍ଲେ କରାଯାଇଥିଲା । ମନମୋହନ ଏମଇସ୍କୁଲ ପଡ଼ିଆରେ ବିଜୟା ଦଶମୀରେ ରାବଣ ପୋଡି କରିବା ପାଇଁ ବିଧାୟିକା ଦୁଇ ଜଣ ଭିନ୍ନ ଭିନ୍ନ ସମୟରେ ଆସିବେ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଥିଲା । ସନ୍ଧ୍ୟା ୭ଟା ଓ ସାଢ଼େ ୬ଟାରେ ଦୁଇ ଜଣ ବିଧାୟିକା ଉପସ୍ଥିତ ରହି ରାବଣ ପୋଡି କରିବେ ବୋଲି ଉଲ୍ଲେଖ କରାଯାଇଥିଲା । ଏହାକୁ ନେଇ ବିବାଦ ଦାନା ବାନ୍ଧୁଥିବା ବେଳେ ରାବଣପୋଡି ପାଇଁ ଅନୁମତି ଦେଇନାହିଁ ଝାରସୁଗୁଡା ଜିଲ୍ଲା ପ୍ରଶାସନ । ଆଉ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା

ମନମୋହନ ଏମଇସ୍କୁଲ ପଡିଆରେ ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ଦୀର୍ଘବର୍ଷରୁ ଦଶହରା ମହୋତ୍ସବ ନାଁରେ ରାବଣପୋଡି କାର୍ଯ୍ୟକ୍ରମ ଆୟୋଜନ କରିଆସୁଥିଲେ । ଏହା କରୋନା ସମୟରେ ବନ୍ଦ ହୋଇଯାଇଥିଲା । କିଶୋର ମହାନ୍ତିଙ୍କର ବି ପରଲୋକ ହୋଇଥିଲା । ଏଣୁ ମାରୱାଡି ଯୁବମଂଚ ଓ ସ୍ପୋର୍ଟସ କ୍ଲବର ମିଳିତ ଆନୁକୂଲ୍ୟରେ ଏକ ନୂତନ ଦଶହରା କମିଟି ଗଠନ କରାଯାଇ ଗତବର୍ଷ ରାବଣପୋଡି କରାଯାଇଥିଲା । ଏବେ ଝାରସୁଗୁଡାରେ ରାବଣପୋଡି ପରେ ବିଜେପି-ବିଜେଡି ଦୋଷ ଲଦାଲଦି ହୋଇଛନ୍ତି ।