ଭାଗ କମିଲା, କଥା କଟାକଟି ହେଲା । ରେଳ ବଜେଟରେ ଓଡିଶାକୁ ଅନୁଦାନ କମିବା ପରେ ଆରମ୍ଭ ହେଲା ରାଜନୈତିକ ବାକଯୁଦ୍ଧ । ବିଜେଡି କହିଲା ନେଉଛି ଅଧିକା, ଦେଉଛି କମ୍ । ଗୋଟିଗୋଟି ହିସାବ ଦେଲା ବିଜେପି

316

କନକ ବ୍ୟୁରୋ: ଚଳିତ ବଜେଟରେ ରେଲବାଇର ବିକାଶ ପାଇଁ ଓଡ଼ିଶାକୁ ୬ ହଜାର କୋଟିରୁ ଅଧିକ ଟଙ୍କା ଆଶା ରଖିଥିଲେ ରାଜ୍ୟ ସରକାର । ହେଲେ ନୂଆ ବଜେଟରେ ରେଳ ଅନୁଦାନ ପାଖାପାଖି ୧୬୨୦ କୋଟି ଟଙ୍କା ହ୍ରାସ ପାଇଛି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ବାକଯୁଦ୍ଧ । ରାଜ୍ୟ ପ୍ରତି ଅବହେଳା କରାଯାଇଥିବା ବିଜେଡି ଅଭିଯୋଗ କରିଛି । ବିଜେଡି କହିଛି ରେଳବାଇକୁ ଓଡ଼ିଶା ଅଧିକ ରାଜସ୍ୱ ଦେଉଥିବା ବେଳେ ରେଳବାଇ କ୍ଷେତ୍ରରେ ପଛରେ ପଡିଛି ରାଜ୍ୟ । ସେପଟେ କଂଗ୍ରେସ କହିଛି, ରାଜ୍ୟକୁ ଧୋକା ଦେଇଛନ୍ତି କେନ୍ଦ୍ର ସରକାର । ତେବେ ବିଜେପିର ଯୁକ୍ତି ହେଉଛି ଏଥର ଅନୁଦାନ କମିନାହିଁ ବରଂ ବୃଦ୍ଧି ପାଇଛି ।

ରେଳ ଅନୁଦାନ କମିବା ପରେ ବିଜେଡି ଓ ବିଜେପି ମଧ୍ୟରେ କଥା କଟାକଟି ହୋଇଛି । ୨୦୨୦-୨୧ ଆର୍ଥିକ ବର୍ଷ ରେଳ ବଜେଟରେ ଓଡିଶା ପାଇଁ ୪,୩୭୩ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି କେନ୍ଦ୍ର ସରକାର । ୨୦୧୯-୨୦ରେ ରାଜ୍ୟକୁ ମିଳିଥିଲା ୫,୯୯୩ କୋଟି ଟଙ୍କା । ପୂର୍ବ ବଜେଟ ଠାରୁ ପାଖାପାଖି ୧୬୨୦ କୋଟି ଟଙ୍କା ହ୍ରାସ ପାଇଛି ନୂଆ ବଜେଟରେ । ରେଳ ବଜେଟର ଅନୁଦାନ କମିବା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ । ଓଡିଶାକୁ ଅବହେଳା କରାଯାଇଛି, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଭେଟି ଏନେଇ ଆଲୋଚନା କରିବୁ ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା ।

ସେପଟେ ରାଜ୍ୟ ବିଜେପି ନେତାଙ୍କ ଯୁକ୍ତି ଅଲଗା । ଦଳର ମୁଖପାତ୍ର କହିଛନ୍ତି, ରେଳ ଅନୁଦାନ କମିନି ବରଂ ବଢିଛି । ନୀତି ଆୟୋଗର କ୍ଲିୟରାନ୍ସ ମିଳିବା ମାତ୍ରେ ୨ ହଜାର ୯୫୭ କୋଟି ଅଧିକ ମିଳିବ ରାଜ୍ୟକୁ । ନୂଆ ବଜେଟରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥକୁ ସର୍ବାଧିକ ୫୨୦ କୋଟି ଟଙ୍କା ମିଳିଛି । ଗୋପାଳପୁର- ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ଓ ନୂଆପଡା- ଗୁଣୁୁପୁର-ଥେରୁବାଲି ରେଳପଥକୁ ଅନୁମୋଦନ ମିଳିଛି ।

ସେହିଭଳି ସମ୍ବଲପୁର- ତାଳଚେର ଡବଲ୍ ଲାଇନ ପାଇଁ ୨୯୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସମ୍ବଲପୁର- ଟିଟିଲାଗଡର ଡବଲ୍ ଲାଇନ ପାଇଁ ୩୮୨ କୋଟି ଟଙ୍କା ମିଳିଛି । ଟିଟିଲାଗଡରୁ ବିଜୟନଗରମ୍ ପର୍ଯ୍ୟନ୍ତ ତୃତୀୟ ଲାଇନ ପାଇଁ ୩୮୦ କୋଟି ଟଙ୍କା କେନ୍ଦ୍ରୀୟ ବଜେଟ ରହିଛି । ଝାରସୁଗୁଡା-ବିଳାସପୁର ରେଳପଥ ପାଇଁ ୨୮୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ହରିଦାସପୁର-ପାରାଦୀପ ରେଳପଥ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର ହୋଇଛି । ସେହପରି ତାଲଚେରରୁ ବିମଳାଗଡ ରେଳପଥ ପାଇଁ ରହିଛି ୧୪୦ କୋଟି ଟଙ୍କା ।