ପୁଷ୍ଟି ଅପେକ୍ଷା ପ୍ରଚାର ପାଇଁ ଅଧିକ ଚିନ୍ତା । ମଧ୍ୟାହ୍ନଭୋଜନର ପାଣିଆ ଡାଲିରେ ପୋଷଣ ଖୋଜୁଛନ୍ତି ପିଲା, ହେଲେ ୱାଲ ପେଟିଂ ପାଇଁ ୫ହଜାର ଟଙ୍କା ମଞ୍ଜୁର

111

କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନ ଥାଳିରେ ନିମ୍ନମାନର ସୋୟାବିନ୍, ପାଣିଆ ଡାଲିକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ପିଏମ୍ ପୋଷଣ ସଂପର୍କିତ ତଥ୍ୟ ସ୍କୁଲ କାନ୍ଥରେ ଲେଖିବାକୁ ଚିଠି ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ପିଏମ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏହି ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି, ମଧ୍ୟାହ୍ନ ଭୋଜନ ସଂପର୍କିତ ତଥ୍ୟ ଲିଭି ଯାଇଥିବାରୁ ଏହାକୁ ପୁଣିଥରେ ଲେଖାଯିବ । ପ୍ରତ୍ୟେକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲକୁ ଏଥିପାଇଁ ୫,୦୦୦ ଟଙ୍କା ମଂଜୁର କରାଯାଇଛି ।

ସ୍କୁଲ କାନ୍ଥରେ ରହିବ ମଧ୍ୟାହ୍ନ ଭୋଜନର ଲୋଗୋ, ସାପ୍ତାହିକ ଖାଇବା ମେନୁ, ଛାତ୍ରଛାତ୍ରୀଙ୍କ ଅଧିକାର, ପାଂଚଟି ନିୟମ, ହେଲ୍ପଲାଇନ ଆଦିର ପେଂଟିଙ୍ଗ ।

ସବୁଠାରୁ ବିଡ଼ମ୍ବନାର କଥା ହେଉଛି, ମଧ୍ୟାହ୍ନ ଭୋଜନ ପାଇଁ ପ୍ରାଥମିକ ସ୍କୁଲ ପିଲା ପିଛା ମାତ୍ର ୫ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ୮ ଟଙ୍କା ୮୨ ପଇସା ଖର୍ଚ୍ଚ କରାଯାଉଛି । ଯେଉଁଠି ଅଣ୍ଡା ଗୋଟିକୁ ୭ରୁ ୮ ଟଙ୍କା, ଡାଲି କିଲୋ ଦେଢ଼ ଶ’ରୁ ୨ ଶହ ଟଙ୍କା, ସେଠି ଏତେ ଅଳ୍ପ ଟଙ୍କାରେ କେଉଁ ପ୍ରକାର ପୋଷଣ ଦେବା ସମ୍ଭବ, ତାହା ଜଳଜଳ ହୋଇ ଦିଶୁଛି । ଏ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ବି ଏଥିପାଇଁ କେହି ଦୃଷ୍ଟି ଦେଉନାହାନ୍ତି । କାନ୍ଥରେ ଖାଇବା ମେନୁ ଲେଖିଦେଲେ ଯେ ପିଲା ଭଲ ଖାଦ୍ୟ ଖାଇବେ, ଏଭଳି ଚିନ୍ତା ଦୁଭାର୍ଗ୍ୟଜନକ ବୋଲି କହିଛନ୍ତି ଶିକ୍ଷାବିତ ।

ତେବେ ସର୍ବସାଧାରଣରେ ଦେଖିପାରିବା ଭଳି ସ୍କୁଲ କାନ୍ଥରେ ପିଏମ୍ ପୋଷଣ ସଂପର୍କିତ ତଥ୍ୟ ଲେଖିବାକୁ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦେବାପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ଖାଦ୍ୟ ସଂପର୍କିତ ସୂଚନା, ସାପ୍ତାହିକ ମେନୁ, ସ୍ୱଚ୍ଛତା ଓ ପରିମଳ ସଂପର୍କିିତ ସୂଚନା ସହ ଜରୁରୀକାଳୀନ ସେବା ଆଦିର ନମ୍ବର ଏଥିରେ ରହିବ ।