କନକ ବ୍ୟୁରୋ: କମିଶନରେଟ୍ ପୋଲିସର ଟ୍ୱିଟ୍- ଓନଲି ଘୋଷ୍ଟ ଆର୍ ଆଲାଓଡ୍ ଟୁ ରୋମ୍ ଆରାଉଣ୍ଡ ସେଭେନ୍ ପିଏମ୍ ଟୁ ସେଭେନ୍ ଏଏମ୍ ଆଣ୍ଡ ୟୁ ଆର୍ ନଟ୍ ୱାନ୍ । ଅର୍ଥାତ୍, କେବଳ ଭୁତ ହିଁ ରାତି ୭ଟାରୁ ସକାଳ ୭ଟା ଯାଏଁ ବାହାରେ ବୁଲନ୍ତି, ଆଉ ଆପଣ ଭୂତ ନୁହଁନ୍ତି । ଆଉ ଏହି ଟ୍ୱିଟ୍କୁ ରିଟ୍ୱିଟ୍ କରିଛଥନ୍ତି ପୁଲିସ କମିଶନର୍ ସୁଧାଂଶୁ ସଢଙ୍ଗୀ । ଏଥିରେ କମିଶନରେଟ୍ ପୁଲିସ କହିବାକୁ ଚାହୁଁଛି, ଯେ ରାତିରେ କେବଳ ଭୂତ ହିଁ ବୁଲନ୍ତି । କରୋନା କଟକଣା ଭିତରେ ସମସ୍ତ ରେଡ୍, ଅରେଂଜ୍ ଓ ଗ୍ରୀନ୍ ଜୋନ୍ରେ ରାତିରେ ଲାଗୁ ହୋଇଥିବା କର୍ଫ୍ୟୁକୁ ନେଇ କିଛି ଏପରି ଅନ୍ଦାଜରେ ଟ୍ୱିଟ୍ କରିଛି କମିଶନରେଟ୍ ପୁଲିସ୍ ।
ଟ୍ୱିଟ୍-୧: ପୁଲିସ କମିଶନର୍ଙ୍କ ଏହି ଟ୍ୱିଟ୍ ଉପରେ ପ୍ରତିକ୍ରିୟା ରଖି ରାଜା ବେହେରା ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି, ଆମେ ଜମା ବାହାରକୁ ଜିବୁନି, ଆପଣମାନେ ବି ହାତରେ ଡେଉଁରିଆ ବାନ୍ଧି ବାହାରକୁ ଯିବେ ।
ଟ୍ୱିଟ୍-୨: ସେହିପରି ରବିନାରାୟଣ କମିଶନରେଟ୍ର ଟ୍ୱିଟ୍ରେ ପ୍ରତିକ୍ରିୟା ରଖି କହିଛନ୍ତି - ଆଇନରେ ଯୋଡି ହେଲା କି ଭୂତ ପ୍ରେତ?
ଟ୍ୱିଟ୍-୩: ଦେବବ୍ରତ ମହାପାତ୍ର ନାମକ ଜଣେ ବ୍ୟକ୍ତି ପ୍ରତିକ୍ରିୟା ଦେବାକୁ ଯାଇ ଲେଖିଛନ୍ତି, - ହଁ ମୁଁ ‘ଖାକି’ ବର୍ଦ୍ଦିରେ ରାତି ୭ଟା ପରେ ଭୁତଙ୍କୁ ଦେଖୁଛି । ସାର୍ କଣ ଆପଣ ଅଲୌକିକ ଶକ୍ତି ଉପରେ ବିଶ୍ୱାସ ରଖନ୍ତି? ଆପଣ କେବେ ଭୂତ ଦେଖିଛନ୍ତି?
ସେପଟେ କମିଶନର ପୁଲିସ୍ର ଟ୍ୱିଟ୍କୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି । ରାତି ୭ଟା ପରେ ପୁଲିସ୍ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଭଳି ଜରୁରୀକାଳୀନ ସେବା ଯୋଗାଇ ଦେଉଥିବା ବ୍ୟକ୍ତି ବାହାରକୁ ବାହାରନ୍ତି । ଆଉ ସେମାନଙ୍କୁ ଭୂତ ସହ ତୁଳନା କରିବା ଉଚିତ୍ ନୁହଁ ବୋଲି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।
ପୁଲିସ କମିଶନର୍ଙ୍କ ଏହି ଟ୍ୱିଟ୍କୁ ନେଇ ଅନେକ ଲୋକ ପ୍ରତିକ୍ରିୟା ରଖିଛନ୍ତି । କେହି କେହି ପୁଲିସକୁ ସମାଲୋଚନା କରୁଥିବାବେଳେ କେହି ଏହା ଏକ ସଚେତନତାର ବାର୍ତା ବୋଲି ପ୍ରଶଂସା କରୁଛନ୍ତି । କିନ୍ତୁ ଯଦି କେହି ବ୍ୟକ୍ତି ପ୍ରକୃତରେ ଅସୁବିଧାରେ ପଡିଯାଇଛନ୍ତି ଏବଂ ବାହାରକୁ ବାହାରିବା ନିହାତି ଆବଶ୍ୟକ ହୋଇ ପଡିଛି, ସେହି ପରିସ୍ଥିତିକୁ ପୁଲିସ୍ କେତେଦୁର ପ୍ରକୃତରେ ବୁଝି ପାରୁଛି, ତାହା ହିଁ ମୁଖ୍ୟ ପ୍ରଶ୍ନ ।