କେନ୍ଦ୍ରାପଡ଼ା ରାଜନୀତିର ଦୁଇ ହେଭିୱେଟଙ୍କ କଥା କଟାକଟି । ଅତନୁ କହିଲେ, ସାବିତ୍ରୀ ରଖିବେ ‘ଶଙ୍ଖ’ର ସମ୍ମାନ । ବିଜୟଙ୍କ ବୟାନ, ପରିବର୍ତ୍ତନ ଚାହୁଁଛି ପାଟକୁରା ।

ପାଟକୁରାରେ କାହାର ହେବ ବିଜୟ? ରେଜଲ୍ଟ ପୂର୍ବରୁ ଚାଲିଲା ରାଜନୀତି । ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି ।

558

କନକ ବ୍ୟୁରୋ: ପାଟକୁରାରେ କାହାର ହେବ ବିଜୟ? ରେଜଲ୍ଟ ପୂର୍ବରୁ ଚାଲିଲା ରାଜନୀତି । ମୁହାଁମୁହିଁ ହେଲେ କେନ୍ଦ୍ରାପଡ଼ା ରାଜନୀତିର ବିଜେଡି-ବିଜେପି ଦୁଇ ହେଭିୱେଟ । ଭୋଟ୍ ଫଳାଫଳ ପୂର୍ବରୁ ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହପାତ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ । ଅତନୁ କହିଛନ୍ତି କି, କେନ୍ଦ୍ରାପଡ଼ା ମାଟି ହିଁ ବିଜୁ ବାବୁଙ୍କ ସ୍ୱାଭିମାନ । ଆଉ ବିଜୁ ବାବୁଙ୍କ ଆଦର୍ଶ ବିରୋଧୀ ହେଉଛନ୍ତି ବିଜୟ । ତେଣୁ ବାରମ୍ବାର ଦଳ ପରିବର୍ତ୍ତନ କରିଥିବା ବିଜୟ ବାବୁଙ୍କୁ ପାଟକୁରାବାସୀ ପ୍ରତ୍ୟାଖାନ କରିବେ । ପାଟକୁରାରେ ସାବିତ୍ରୀ ଜିତିବେ ଆଉ ପୁଣି ‘ଶଙ୍ଖ’ ଶୁଭିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ଅତନୁ ।

ସେପଟେ ବିଜୟ ମହାପାତ୍ର କହିଛନ୍ତି କି, ପାଟକୁରା ସମ୍ମାନର ଲଢ଼େଇରେ ପରିବର୍ତ୍ତନ ଚାହୁଁଛନ୍ତି ପାଟକୁରାବାସୀ । ଯାହା କି, ପାଟକୁରାର ଗାଁ ଗହଳିରେ ନିର୍ବାଚନ ତାରିଖ ଘୋଷଣା ଆରମ୍ଭରୁ ପରିଲିକ୍ଷିତ ହେଉଛି । ବିଜେଡିର ପ୍ରଚୁଳ ଅର୍ଥବଳ ଏବଂ ମାଳମାଳ ମନ୍ତ୍ରୀ ବିଧାୟକଙ୍କ ପାଟକୁରାରେ ଡେରା ପକାଇବାକୁ ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି । ତେଣୁ ଯେଉଁ ରାୟକୁ ଅପେକ୍ଷା କରିଛନ୍ତି ତାହା ଏକ ବୃହତ ପରିବର୍ତ୍ତନ ଆଣିବ । ଏପରିକି ବିଜେଡି ୧୯ ବର୍ଷରେ ପାଟକୁରାବାସୀଙ୍କୁ ପ୍ରତାରିତ କରିଥିବାର ଫଳାଫଳ ସାମ୍ନାକୁ ଆସିବ ବୋଲି କହିଛନ୍ତି ବିଜୟ ।

ଅନ୍ୟପଟେ ଆସନ୍ତା ୨୪ ତାରିଖରେ ଆସିବାକୁ ଥିବା ଫଳାଫଳ ପୂର୍ବରୁ ଆରୋପ ପ୍ରତ୍ୟାରୋପ ରାଜନୀତି ବିଭିନ୍ନ ମହଲକୁ ଉଷ୍ମ କରିଛି । ଅପରପକ୍ଷେ ପାଟକୁରାବାସୀ ନିଜ ଅଞ୍ଚଳ ପାଇଁ ନେତା ବାଛିବାକୁ ମତଦାନ ସାବ୍ୟସ୍ତ କରୁଛନ୍ତି । ତେବେ କିଏ ପ୍ରକୃତରେ ପାଟକୁରା କିଙ୍ଗ୍ ହେବ ଆଉ କାହା ମୁଣ୍ଡରେ ପାଟକୁରା ତାଜ୍ ଶୋଭା ପାଇବ ତାହାକୁ ନେଇ ଏବେଠୁ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ଦଳୀୟ ଶୀର୍ଷ ନେତାଙ୍କ ମଧ୍ୟରେ ଛନକା ପସିଛି ।