କନକ ବ୍ୟୁରୋ : ପଦ୍ମପୁର । ବରଗଡର ଏହି ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବାକୁ ନେଇ ବିବାଦ ଭିତରେ, ଏହି ଅଂଚଳ ପାଇଁ ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ଦେଇଛନ୍ତି ସରକାର । ପଦ୍ମପୁର ପାଇଁ ଏକ ଅତିରିକ୍ତ ଜିଲ୍ଲାପାଳ ପଦବୀ ସୃଷ୍ଟି କରିବା ସହ ୨୦୨୦ବ୍ୟାଚର ଆଇଏଏସ ଅଫିସର ଚଭନ କୁନାଲ ମୋତିରାମଙ୍କୁ ପ୍ରଥମ ଏଡିଏମ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ବିଜେପି ଅଭିଯୋଗ କରିଛି । ସେହିପରି ଲଲିପପ୍ କହି କଟାକ୍ଷ କରିଛି କଂଗ୍ରେସ । ତେବେ ବିଜେଡି କହିଛି, ପଦ୍ମପୁରର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏଡିଏମଙ୍କୁ ନିଯୁକ୍ତି ଦିଆଯାଇଛି ।

Advertisment

ଡିସେମ୍ବର ଶେସ ସୁଦ୍ଧା ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରାଯିବ ବୋଲି ଉପ-ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ, ବର୍ଷ ଶେଷ ହେବାକୁ ବସିଥିଲେ ବି ପଦ୍ମପୁରକୁ ଜିଲ୍ଲା ଘୋଷଣା କରିପାରି ନାହାନ୍ତି ସରକାର । ମାମଲା ବିଚାରାଧୀନ ଥିବାରୁ ସରକାର କୋର୍ଟଙ୍କ ରାୟକୁ ଅପେକ୍ଷା କରିଛନ୍ତି । ତେବେ ଏହାରି ଭିତରେ ପଦ୍ମପୁର ଉପଖଣ୍ଡ ପାଇଁ ଜଣେ ଆଇଏଏସ ଅଧିକାରୀଙ୍କୁ ସରକାର ନିଯୁକ୍ତି ଦେବା ଚର୍ଚ୍ଚାର ବିଷୟ ହୋଇଛି ।

ପଦ୍ମପୁରକୁ ନେଇ ବିବାଦ ଭିତରେ, ଟିଟିଲାଗଡକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ଦାବି ଜୋର ଧରିଛି । ଏପରିକି ଟିଟିଲାଗଡ କିୟାନୁଷ୍ଠାନ କମିଟିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଓ ଫାଇଭ୍ ଟି ଅଧ୍ୟକ୍ଷକଙ୍କୁ ଭେଟି ଏକ ଦାବି ପତ୍ର ଦେଇଛନ୍ତି ।

ତେବେ ଏତେ ସବୁ ବିବାଦ ଭିତରେ, ବର୍ଷ ଶେଷ ସୁଦ୍ଧା ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରିବାକୁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ତା ଉପରେ ସମସ୍ତଙ୍କ ନଜର ରହିଛି ।