ନିର୍ବାଚନ ସମୟରେ ଓଲିଉଡ୍ ଷ୍ଟାରଙ୍କୁ ନେଇ ରାଜନୀତି । ବର୍ଷିଲା ବିଜେପି… ପ୍ରଶ୍ନ କଲା କଳାକାରଙ୍କ ପାଇଁ କଣ କରିଛନ୍ତି ସରକାର?

136

କନକ ବ୍ୟୁରୋ: ନିର୍ବାଚନରେ ଷ୍ଟାର-ୱାର । ନିର୍ବାଚନ ସମୟରେ ଓଲିଉଡ ତାରକାଙ୍କୁ ନେଇ ଜୋର ଧରିଛି ରାଜନୀତି । ଗତକାଲି ନବୀନ ନିବାସକୁ କଳାକାରଙ୍କ ଡାକରା ପରେ ବର୍ଷିଛି ବିଜେପି । କଳାକାରଙ୍କୁ ଡାକି ପ୍ରଚାର ପାଇଁ କହୁଥିବା ଶାସକ ଦଳ କଳାକାରଙ୍କ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତ୍ରୀ ତଥା ଅଭିନେତ୍ରୀ ପିଙ୍କି ପ୍ରଧାନ । ସେପଟେ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି ।

  • ରାଜନୀତିରେ ସିନେଷ୍ଟାର
  • ବିଜେଡି ବନାମ ବିଜେପି

ଓଲିଉଡ୍ ସିନେ ଜଗତର ଚାରି ବଡ ଚେହେରା ବିଜେଡି ଛାଡି ବିଜେପିରେ ଯୋଗ ଦେବା, ଆଉ ତାପରେ ହଠାତର ବହୁ କଳାକାରଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିବା ପରେ ଏହାକୁ ନେଇ ତେଜିଛି ରାଜନୀତି ।

ନବୀନ ନିବାସ ଯାଇଥିବା କଳାକାରଙ୍କୁ ନିର୍ବାଚନରେ ବିଜେଡି ଷ୍ଟାର ପ୍ରଚାରକ କରିପାରେ ବୋଲି ଚର୍ଚ୍ଚା ଭିତରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛି ବିଜେପି । ରାଜ୍ୟ ସରକାର କଳାକାରଙ୍କ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅଭିନେତ୍ରୀ ପିଙ୍କି ପ୍ରଧାନ । ନିର୍ବାଚନ ସମୟରେ କଳାକାରଙ୍କ କଥା ମନେ ପଡେ ବୋଲି କହିଛନ୍ତି ପିଙ୍କି ପ୍ରଧାନ । ତେବେ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି ।

ଶୁକ୍ରବାର ଓଲିଉଡ୍ ଷ୍ଟାର ବାବୁସାନ, ଅମ୍ଳାନ, ପପୁ ପମ୍ପମ୍, ଦେବାଶିଷ୍, ସମ୍ବିତ, ଦେବାଶିଷ୍, ଲିପ୍ସା, ଭୂମିକାଙ୍କ ସମେତ ବହୁ କମେଡିଆନ ନବୀନ ନିବାସ ଯାଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଭି.କେ.ପାଣ୍ଡିଆନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ନବୀନ ନିବାସରୁ ବାହାରିବା ପରେ କହିଥିଲେ, ଓଡିଆ ଚଳଚ୍ଚିତ୍ରର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିସହ ଓଲିଉଡ୍ ପାଇଁ କଣ କଣ ଆବଶ୍ୟକତା ରହିଛି, ସେ ନେଇ କଳାକାରମାନେ ଅବଗତ କରାଇଥିଲେ ।

ତେବେ ପୂର୍ବରୁ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସନାୟକ, ଅରିନ୍ଦମ ସମସ୍ତେ ବିଜେଡିରେ ଥିଲେ । ଦଳର ତାରକା ପ୍ରଚାରକ ହୋଇ କ୍ରାଉଡ ପୁଲର ହୋଇଥିଲେ । କିନ୍ତୁ ଏବର୍ଷ ସ୍ଥିତି ବଦଳିଯାଇଛି । ଚାରି ଜଣ ଯାକ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ସେମାନଙ୍କୁ ପ୍ରଚାର ମଇଦାନରେ କାଉଣ୍ଟର କରିବାକୁ ଅନ୍ୟ କଳାକାରଙ୍କୁ ବିଜେଡି ରଣନୀତି କରୁଥିବା ଚର୍ଚ୍ଚା ହେଉଛି ।