ପେଟ୍ରୋଲ, ଦରବୃଦ୍ଧିକୁ ନେଇ ତେଜିଲା ରାଜନୀତି: ବିଜେପି କହିଲା ଭାଟ୍ କମାଇ ଗ୍ରାହକଙ୍କୁ ଆଶ୍ୱସ୍ତି ଦିଅନ୍ତୁ ରାଜ୍ୟ ସରକାର

ପେଟ୍ରୋଲ, ଦରବୃଦ୍ଧିକୁ ନେଇ ତେଜିଲା ରାଜନୀତି: ବିଜେପି କହିଲା ଭାଟ୍ କମାଇ ଗ୍ରାହକଙ୍କୁ ଆଶ୍ୱସ୍ତି ଦିଅନ୍ତୁ ରାଜ୍ୟ ସରକାର

କନକ ବ୍ୟୁରୋ: କ୍ରମାଗତ ୯ ଦିନ ଧରି ତୈଳ ଦର ବଢି ଚାଲିଛି । ଜୁନ୍ ୬ ତାରିଖରେ ପ୍ରଥମେ ତୈଳଦର ବୃଦ୍ଧି ହୋଇଥିଲା । ଏହା ପରଠାରୁ ଏବେ ପ୍ରତ୍ୟେକ ଦିନ ଦର ବଢିଚାଲିଛି । ଉକ୍ରଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସାଧାରଣ ସଂପାଦକ କହିଛନ୍ତି, ଗତ ୩ ମାସ ମଧ୍ୟରେ ଡଲାର ତୁଳନାରେ ଟଙ୍କା ଅଧିକ ଦୁର୍ବଳ ହୋଇଛି । ଫଳରେ ପେଟ୍ରୋଲ କମ୍ପାନୀମାନେ ଅଧିକ ଟଙ୍କାରେ ପେଟ୍ରୋଲ ଓ ଡିଜେଲ କିଣୁଛନ୍ତି । ତେଣୁ କମ୍ପାନୀମାନେ ଏହି ଦର ନିୟନ୍ତ୍ରଣ କରିପାରିବେ ନାହିଁ । ତେବେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯଦି ଚାହିଁବେ ଏହି ଦର ନିୟନ୍ତ୍ରଣକୁ ଆସିପାରିବ । ଏକ୍ସସାଇଜ ଟ୍ୟାକ୍ସ ଓ ଭ୍ୟାଟକୁ କମାଇପାରିବେ । ତେବେ ଗତ ୯ ଦିନରେ ଏହା ମଧ୍ୟରେ ତୈଳ ଦର ପ୍ରାୟ ୫ ଟଂକାରୁ ଅଧିକ ବୃଦ୍ଧି ହୋଇସାରିଲାଣି । ଫଳରେ ଦେଶରେ ତୈଳଦର ରେକର୍ଡ ପରିମାଣରେ ପହଁଚିଲାଣି ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ରାଜ୍ୟ ସରକାର ଭାଟ ବଢ଼ାଉଥିବାବେଳେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବଢ଼ାଇଚାଲିଛନ୍ତି। ୟୁପିଏ ସରକାର ସମୟରେ ଅଶୋଧିତ ତୈଳ ଦର ୧୩୦ ଟଙ୍କା ଥିଲା। ସେତେବେଳେ ମାତ୍ର କେଇ ପଇସା ବଢ଼ିଲେ ଉଭୟ ବିଜେପି ଓ ବିଜେଡି ରାଜରାସ୍ତାକୁ ଆସି ଆନ୍ଦୋଳନ କରୁଥିଲେ। ଏବେ କାହିଁକି ସେପରି ଆନ୍ଦୋଳନ ଦେଖିବାକୁ ମିଳୁନି। ବର୍ତ୍ତମାନ୍‌ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୨୫ ଡଲାରରୁ କମ୍‌ ଅଛି। ତଥାପି ଦର କମିବାର ନାଁ ନେଉନି। ଏଥିରୁ ଜଣାପଡ଼ୁଛି ଯେ, ଏଇ ଦୁଇ ଦଳ ମିଶିକରି ଅଛନ୍ତି। ଆଗକୁ ଏହି ପ୍ରସଙ୍ଗରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଥିଲେ।

ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ, ଅଶୋଧିତ ତୈଳ ଦର ଯେପରି ଭାବରେ ଲଗାତାର କମି ଚାଲିଛି ଏହା ତୁଳନାରେ ପେଟ୍ରୋଲ ଓ ଡିଜେଲ୍‌ ଦର କମିବା ପରିବର୍ତ୍ତେ ବଢ଼ିଚାଲିବା ଦୁର୍ଭାଗ୍ୟଜନକ। କୋଭିଡ୍‌-୧୯ ପାଇଁ ତଲାବନ୍ଦ ଯୋଗୁଁ ଲୋକଙ୍କ ଆର୍ଥିକ ପରିସ୍ଥିତି ଖରାପ ହୋଇଛି। ଏଭଳି ସ୍ଥିତିରେ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକଟି ବହୁ ସମସ୍ୟାର ସମ୍ମୁଖୀନ ହେଉଛି। କେନ୍ଦ୍ର ସରକାରଙ୍କୁ ଯେପରି ଟଙ୍କାର ଆବଶ୍ୟକତା ରହିଛି। ସେହିପରି ରାଜ୍ୟମାନଙ୍କୁ ମଧ୍ୟ ରାଜସ୍ବ ଭରଣା କରିବାର ଆବଶ୍ୟକତା ରହିଛି। ଯେହେତୁ ରାଜସ୍ବ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆଉ କିଛି ବିକଳ୍ପ ନାହିଁ ତେଣୁ ସରକାର ପେଟ୍ରୋଲ ଓ ଡିଜେଲ୍‌ ଉପରେ ଭାଟ୍‌ ବୃଦ୍ଧି କରିବାକୁ ବାଧ୍ୟ ହୋଇଛନ୍ତି।

ଉଭୟ ବିଜେଡି ଓ କଂଗ୍ରେସକୁ ଜବାବ ଦେଇ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଆଗରୁ ସ୍ପଷ୍ଟ କରିସାରିଛନ୍ତି। ହଠାତ୍‌ ତୈଳ ଦର କମିଗଲେ ଦେଶବାସୀଙ୍କ ପାଇଁ କ୍ଷତିକାରକ। ଦୀର୍ଘ ୨୧ ବର୍ଷ ଶାସନରେ ରହିଲା ପରେ ବି ବିଜେଡି ସରକାର ରାଜସ୍ବ ବୃଦ୍ଧି ପାଇଁ ଆଉ କିଛି ବିକଳ୍ପ ବାଟ ବାହାର କରି ନ ପାରି କେବଳ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ନିର୍ଭର କରିବା ଦୁଃଖଦାୟକ। ରାଜସ୍ବ ପାଇଁ ଅନ୍ୟ ଉପାୟ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe