ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଶାସକ-ବିରୋଧୀ । ନୂଆ ନିର୍ବାଚନ ପାଇଁ ଘର ଘର ବୁଲି ସଦସ୍ୟ ଖୋଜୁଛନ୍ତି ଦଳ ।

435

କନକ ବ୍ୟୁରୋ : ନିର୍ବାଚନ ସରିଲା, ଜନତାଙ୍କ ଜନମତକୁ ନେଇ ସରକାର ବି ଗଢାହେଲା । ପଞ୍ଚମ ଥର ପାଇଁ କ୍ଷମତାକୁ ଆସିଲା ବିଜେଡି । କିନ୍ତୁ ନିର୍ବାଚନ ପରେ ପରେ ତୃଣମୂଳ ସ୍ତରରେ ପୁଣି ନିଜର ପତିଆରା ଜାହିର କରିବା ପାଇଁ ଲାଗି ପଡିଛନ୍ତି ଉଭୟ ଶାସକ ଓ ବିରୋଧୀ । ଆଉ ଏଥିପାଇଁ ଆପଣାଯାଇଛି ସଦସ୍ୟ ସଂଗ୍ରହ ଅଭିଯାନର ରାସ୍ତା ।

ତେବେ ଗତ ଜୁଲାଇ ୬ ତାରିଖରେ ପ୍ରବାଦ ପୁରୁଷ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମତିଥୀରୁ ଆରମ୍ଭ ହୋଇଥିଲା ରାଜ୍ୟ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ । ଏହି ଅଭିଯାନରେ ସଭ୍ୟ ସଂଖ୍ୟାକୁ ୫୦ ଲକ୍ଷ୍ୟରେ ପହଞ୍ଚାଇବାର ଲକ୍ଷ୍ୟ ରଖିଥିଲା ବିଜେପି । ଗୋଟିଏ ଟିମ୍, ଗୋଟିଏ ଲକ୍ଷ୍ୟ ରଖି ସଦସ୍ୟତା ଅଭିଯାନକୁ ସଫଳ କରାଇବାର ସଂକଳ୍ପ ନେଇଥିଲା ଦଳ । ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ଜରିଆରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ସଦସ୍ୟତା ଅଭିଯାନ କରାଯାଇଥିଲା । ଆଉ ଜନତାଙ୍କୁ ନିଜ ସପକ୍ଷକୁ ଆଣିବାକୁ କସରତ କରିଥିଲା ଦଳ ।

ସେହିପରି ୧୯ ନିର୍ବାଚନରେ ବଡ଼ ବିଜୟ ହାସଲ କରିଥିବା ବିଜେଡି ମଧ୍ୟ ତୃଣମୂଳସ୍ତରରୁ ସଂଗଠନକୁ ମଜବୁତ କରିବାକୁ ଅଂଟା ଭିଡ଼ିଛି । ଆଉ ଆସନ୍ତା କାଲିଠାରୁ ସାରା ରାଜ୍ୟରେ ବିଜେଡି ଆରମ୍ଭ କରିବାକୁ ଯାଉଛି ସଦସ୍ୟ ସଂଗ୍ରହ ଅଭିଯାନ । ପ୍ରାଥମିକ ପର୍ଯ୍ୟାୟରେ ୪୭ ଲକ୍ଷ୍ୟ ନୂଆ ସଦସ୍ୟଙ୍କୁ ବିଜୁ ଜନତା ଦଳରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ଦଳ । ବିଶେଷ କରି ଛାତ୍ର, ମହିଳା ଏବଂ ଯୁବକଙ୍କୁ ଗୁରୁତ୍ୱ ଦିଆଯିବ । ଅନ୍ୟପଟେ ସଭ୍ୟ ସଂଗ୍ରହ ଅଭିଯାନରେ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ୫-ଟି ସୂତ୍ର କାର୍ଯ୍ୟକାରୀ କରିବାକୁ ନିଷ୍ପତିି ନେଇଛି ।

ସବୁଠାରୁ ବଡ଼ କଥା ହେଲା କି, ପ୍ରଥମ ଥର ପାଇଁ ବିଜେଡିର ଏହି ସଦସ୍ୟତା ସଂଗ୍ରହ ଅଭିଯାନରେ ପ୍ରତି ସଦସ୍ୟଙ୍କ ଆଧାର ଲିଙ୍କ କରାଯିବ ଏବଂ ସମସ୍ତ ସଦସ୍ୟଙ୍କ ନାଁ ବିଜେଡିର ୱେବସାଇଟରେ ଉପଲବ୍ଧ ହେବ । ପ୍ରତି ୱାର୍ଡରୁ ୪ ଜଣ ସକ୍ରିୟ ସଦସ୍ୟ, ପ୍ରତି ଏନଏସିରୁ ୫ ଜଣ, ମ୍ୟୁନିିସିପାଲଟି ସ୍ତରରେ ୧୫ ଜଣ ଏବଂ ମହାନଗର ନିଗମରେ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ । ପ୍ରତି ସକ୍ରିୟ ସଦସ୍ୟକୁ ମିଶାଇ ୨୫ ଜଣ ସଭ୍ୟ ସଂଗ୍ରହ କରିବେ ।

ଅନ୍ୟପଟେ ରାଜ୍ୟ ରାଜନୀତି ମଇଦାନରେ ଦୁର୍ବଳ ହୋଇପଡିଥିବା କଂଗ୍ରେସ, ନିଜ ହାତ ମୁଠାକୁ ସୁଦୃଢ କରିବା ପାଇଁ ପୁଣି ଥରେ ଅଣ୍ଟା ଭିଡିଛି । ଆଉ ଏଥିପାଇଁ ବିଜେପି ଏବଂ ବିଜେଡି ପରେ କଂଗ୍ରେସ ମଧ୍ୟ ଘର ଘର ବୁଲି ଆରମ୍ଭ କରିବ ସଦସ୍ୟତା ସଂଗ୍ରହ ଅଭିଯାନ । ଆସନ୍ତା ୬ ତାରିଖରୁ କଂଗେସ ସାରା ରାଜ୍ୟରେ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ ।

ଏଠି ପ୍ରଶ୍ନ ଉଠୁଛି, କାହିଁକି ସଦସ୍ୟ ଖୋଜୁଛନ୍ତି ସବୁ ରାଜନୈତିକ ଦଳ ? କାହିଁକି ନିର୍ବାଚନ ପରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ମାନସମନ୍ଥନ ? କୁହାଯାଉଛି ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଏତେଟା ସଫଳତା ମିଳିନଥିବା ବେଳେ ଏଥର କିନ୍ତୁ ତୃଣମୂଳ ସ୍ତରରେ ଦଳ, ନିଜ ସ୍ଥିତିକୁ ସୁଦୃଢ କରି ଦଳକୁ ଆହୁରି ମଜବୁତ କରିବାକୁ କସରତ କରୁଛି ବିଜେଡି । ସେହିପରି ବିରୋଧୀ ବିଜେପି ମଧ୍ୟ ମୋଦିଙ୍କ ମନ୍ତ୍ରକୁ ଘରଘର ଗୁଞ୍ଜରିତ କରିବାକୁ କସରତ କରୁଛି । ଆଉ ଯାହାଦ୍ୱାରା ଆଗାମୀ ନିର୍ବାଚନ ଗୁଡ଼ିକରେ ଦଳୀୟ ଭୋଟ୍ ବୃଦ୍ଧି କରିବାକୁ ପ୍ରୟାସ ଚଳାଇଛି ଦଳ । ତେବେ ଗତ ନିର୍ବାଚନରେ ଦୁର୍ବଳ ହୋଇପଡିଥିବା କଂଗ୍ରେସ ପୁଣି ଥରେ ନିଜ ହାତ ମୁଠାକୁ ସୁଦୃଢ କରିବାକୁ ଚଲାଇଛି ମାନସ ମନ୍ଥନ । ତେବେ ସବୁ ଦଳର ସଦସ୍ୟ ଖୋଜା, ଆଗାମୀ ଦିନରେ କାହାକୁ କେତେ ସଫଳତା ହେଉଛି, ତାହା ଦେଖିବାକୁ ରହିଲା ।