ଜୟପୁରରେ ବଢ଼ୁଛି ଅପରାଧ । ଲାଗିଲା ରାଜନୀତିର ରଂଗ

129

କନକ ବ୍ୟୁରୋ : ଗତ କିଛି ଦିନ ହେଲା ଜୟପୁରରେ କେତେବେଳ ବନ୍ଧୁକ ଜବତ ହେଉଛି ତ ଆଉ କେତେବେଳେ ଗୁଳି ଫୁଟୁଛି । କେତେବେଳ ଉଭୟ ଗ୍ୟାଙ୍ଗଷ୍ଟାରଙ୍କ ମଧ୍ୟରେ ତ ଆଉ କେତେବେଳେ ବଟି ଆଦାୟକୁ ନେଇ ବ୍ୟବସାୟୀ ଙ୍କ ଉପରେ ହେଉଛି ଗୁଳିମାଡ । ଅଶାନ୍ତ ହେଉଥିବା ଜୟପୁରରେ ଅପରାଧକୁ ରୋକିବା ପାଇଁ ପୋଲିସ୍ ଏବେ ରାତି ଅଧିଆ ଅପରେସନ ଆରମ୍ବ କରିଛି । ଜବତ ହୋଇଥିବା ଗୁଳିର ଖୋକା, ବିଦେଶୀ ବନ୍ଧୁକର ପରିଚୟ ଦେଇଥିବା ବେଳେ, ଏହି ବନ୍ଧୁକ କେଉଁଠୁ ଅସୁଛି ଆଉ ତାକୁ କେମିତି ଆସିଲା, ତାର ଚେର ଖୋଜୁଛି ଜୟପୁର ସଦର ପୋଲିସ । ଏତିକିବେଳେ ଏଥିରେ ଲାଗିଛି ରାଜନୀତିର ରଂଗ । ବିଧାୟକ ତାରା ବାହିନୀପତି, ଏହା ପଛରେ ନିର୍ଦ୍ଧିଷ୍ଟ ଦଳର ହାତ ରହିଥିବା କହିଛନ୍ତି । ଅନ୍ୟପଟେ ପୂବର୍ତନ ମନ୍ତ୍ରୀ ତଥା ବିଜେଡି ନେତା ରବି ନନ୍ଦ କହିଛନ୍ତି, ଅପରାଧି କେଉଁ ଦଳର ନୁହେଁ, ତାକୁ ଦଣ୍ଡ ମିଳିବା ଦରକାର ।

ଦଶହରା ସମୟରେ, ଗତ ୨୪ ତାରିଖରେ ଜୟପୁର ବ୍ଳକର ଉମୁରି ଠାରେ ୨ ଟି ଗ୍ୟାଙ୍ଗ୍ ଭିତରେ ଗୁଳି ବିନିମୟ ହୋଇଥିଲା । ଗୋଟିଏ ଗୋଷ୍ଠୀ ଆଉ ଗୋଟିଏ ଗୋଷ୍ଠୀ ଉପରେ ଏକାଧିକ ଗୁଳିମାଡ କରିଥିଲା । ଏହା ପୁର୍ବରୁ ମଧ୍ୟ ଏକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଉପରକୁ ଦିନ ଦୁଇପହରରେ ୩ ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ଅଳ୍ପକେ ବର୍ତିିଥିଲେ ବ୍ୟବସାୟୀ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି ।

ବଢ଼ୁଥିବା ଅପରାଧକୁ ନେଇ ଲୋକେ ଚିନ୍ତାରେ ଥିବାବେଳେ, ପୋଲିସ ୩ ଜଣ ଅପରାଧୀଙ୍କୁ ଗିରଫ କରି ମାମଲାର ତଦନ୍ତ କରୁଛି । ତେବେ ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଥିବାରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନାହିଁ ।