ଜେଏନୟୁରେ ମୁଖାପିନ୍ଧା ଆତଙ୍କ: ଦୁର୍ବୃତ୍ତଙ୍କ ଆକ୍ରମଣ ପରେ ଛାତ୍ରଛାତ୍ରୀ ଭୟଭୀତ । ଆଗକୁ ଦିଲ୍ଲୀରେ ନିର୍ବାଚନ ଥିବାରୁ ରାଜନୀତିର ପ୍ରସଙ୍ଗ ପାଲଟିଲା ‘ଜେଏନୟୁ’ ?

185

କନକ ବ୍ୟୁରୋ: ଦିଲ୍ଲୀରେ ଘଟଣା ଘଟିବ ଆଉ ରାଜନୀତି ନହେବ, ହୁଏତ ତାହା କେବେବି କଳ୍ପନା କରାଯାଇନପାରେ । ଜେଏନୟୁ ହିଂସାକାଣ୍ଡ ଘଟଣାରେ ବି ସେଇଆ ହୋଇଛି । ଯେହେତୁ ଆଗକୁ ଦିଲ୍ଲୀରେ ନିର୍ବାଚନ ଅଛି ଜେଏନୟୁ ଘଟଣା, ରାଜନୈତିକ ଦଳଗୁଡ଼ିକ ପାଇଁ ରାଜନୀତିର ରୋଟି ସେକିବାକୁ ଏକ ବଡ଼ ମୌକା ଆଣି ଦେଇଛି । କଂଗ୍ରେସ, ଆପ୍, ବାମପନ୍ଥୀ ଦଳଙ୍କ ସହ ମୋଦି ବିରୋଧୀ ଶକ୍ତି ମିଳିତ ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଥିବା ବେଳେ ଆତ୍ମରକ୍ଷାର କୌଶଳ ଆପଣାଇଛି ବିଜେପି ।

ଗୋଟିଏ ପଟେ ବାମପନ୍ଥୀ ଛାତ୍ର ସଂଗଠନ ଆଉ ଗୋଟିଏ ପଟେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଜେଏନୟୁ ହିଂସାକାଣ୍ଡ ଘଟଣାରେ ଗୋଟିଏ ଗୋଷ୍ଠୀ ଆଉ ଗୋଟିଏ ଗୋଷ୍ଠୀ ଉପରେ ଦୋଷାରୋପ୍ କରୁଛନ୍ତି । ଯାହା ରାଜନୀତିର ନିଆଁରେ ଘିଅ ଢ଼ାଳି ଦେଇଛି ।

ଜେଏନୟୁ ଘଟଣା କେବଳ ରାଜନୀତିର ପରିସୀମା ଭିତରେ ସୀମିତ ନାହିଁ । ଘଟଣାର ପ୍ରତିବାଦରେ ଓହ୍ଲାଇ ଆସିଛନ୍ତି ବଲିଉଡ ତାରକା । ମୋଦି ବିରୋଧୀ ସେଲିବ୍ରିଟି ଭାବେ ଜଣାଶୁଣା ଅଭିନେତ୍ରୀ ସ୍ୱରା ଭାସ୍କର ଘଟଣାକୁ ଆତଙ୍କବାଦୀ ଆକ୍ରମଣ ସହ ତୁଳନା କରିଛନ୍ତି ।

ସେହିପରି ରିତେଶ ଦେଶମୁଖ ଟ୍ୱିଟରରେ ଲେଖିଛନ୍ତି- ଆପଣମାନେ କାହିଁକି ମୁହଁ ଘୋଡ଼େଇ ଥିଲେ? କାରଣ ଆପଣମାନେ ବି ଜାଣିଛନ୍ତି ଏହା ଭୁଲ, ବେଆଇନ ଏବଂ ଦଣ୍ଡନୀୟ । ଏଭଳି ଘଟଣାକୁ ସହ୍ୟ କରାଯିବା ଉଚିତ ନୁହେଁ । ସେହିପରି କୋଙ୍କଣା ସେନଶର୍ମା ଲେଖିଛନ୍ତି- ମୁଖା ପିନ୍ଧା ଭୀରୁମାନେ କିଏ? ପୁଲିସ୍ କାହିଁକି ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେଉନି । ଏହା ପ୍ରକୃତରେ ଅବିଶ୍ୱସନୀୟ । ତେବେ ଦିଲ୍ଲୀ ନିର୍ବାଚନ ପୂର୍ବରୁ ଜେଏନୟୁ ନେଇ ଜୋର ଧରୁଛି ରାଜନୀତି ।