ଆୟାରଙ୍କୁ ନେଇ ବିଧାନସଭାରେ ଝଡ, ବୈଜୟନ୍ତଙ୍କ ବନ୍ଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏକାଠି ହେଲେ ୩ ରାଜନୈତିକ ଦଳ!

33

କନକ ବ୍ୟୁରୋ : ଓଡ଼ିଶା, କୋଣାର୍କ ଓ ଜଗନ୍ନାଥଙ୍କୁ ନେଇ ବିବାଦୀୟ ହେବା ଅଭିଜିତ ଆୟାର ମିତ୍ରଙ୍କୁ ମହଙ୍ଗା ପଡିଛି । ଅଭିଜିତଙ୍କ ଅଶାଳୀନ ମନ୍ତବ୍ୟର ତଦନ୍ତ କରିବ ଗୃହ କମିଟି । ଓଡ଼ିଶାର ବିଧାୟକଙ୍କୁ ମଧ୍ୟ ବିଦ୍ରୁପ ଭାଷାରେ କଟାକ୍ଷ କରିଥିଲେ ଅଭିଜିତ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଏହାର ତଦନ୍ତ ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଗଠନ କରାଯାଇଛି ୬ ଜଣିଆ ଗୃହ କମିଟି । ପରବର୍ତି ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଗୃହରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ଆୟାରଙ୍କ ବିବାଦୀୟ ମନ୍ତବ୍ୟ ନେଇ ବିଧାନସଭା ବାହାରେ ସେତିକି ଚର୍ଚ୍ଚା, ବିଧାନସଭା ଭିତରେ ଯେତିକି ହଲଚଲ୍ । ଅଧିବେଶନର ଶେଷ ଦିନରେ ଏହି ପ୍ରସଙ୍ଗରେ ହୁଲୁସ୍ତୁଲୁ ହୋଇଛି ବିଧାନସଭା । ଅଭିଜିତ୍ ଆୟାରଙ୍କ ବିବାଦୀୟ ମନ୍ତବ୍ୟର ତଦନ୍ତ ପାଇଁ ଗଠିତ ହୋଇଛି ବିଧାନସଭାର ୬ ଜଣିଆ ଗୃହ କମିଟି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ବିଜେଡି ବିଧାୟକ ଅରୁଣ ସାହୁ ଓ ସଞ୍ଜୟ ଦାମବର୍ମା ସଦସ୍ୟ ରହିଛନ୍ତି । ପରବର୍ତି ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଏହି କମିଟି ଗୃହରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ଓଡିଶା ସମ୍ପର୍କରେ ଅଭିଜିତ ଆୟାର ମିତ୍ରଙ୍କ ଅଶାଳୀନ ମନ୍ତବ୍ୟ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସ୍ୱାଧିକାର ଭଙ୍ଗ ନୋଟିସ ଆଣିବା ପରେ ଏହାକୁ ସମର୍ଥନ ଜଣାଇଥିଲେ ଉଭୟ ବିରୋଧୀ ଓ ଶାସକ ଦଳ । ସେପଟେ ଅଭିଜିତ ଆୟାର ଯେତିକି ଦୋଷୀ ବୈଜୟନ୍ତ ପଣ୍ଡା ମଧ୍ୟ ସମପରିମାଣରେ ଦାୟୀ ବୋଲି ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ । କୋଣାର୍କ, ଓଡିଆ ଜାତି ଓ ଜଗନ୍ନାଥଙ୍କ ସମ୍ପର୍କରେ ମନ୍ତବ୍ୟ ଦେବାକୁ ଅଭିଜିତ ଆୟାରଙ୍କୁ କିଏ ଅଧିକାର ଦେଲା ବୋଲି ଏକସ୍ୱରରେ ପ୍ରଶ୍ନ କରିଛନ୍ତି ଶାସକ ଓ ବିରୋଧୀ ଦଳର ସଦସ୍ୟ ।

ସେପଟେ ଅଭିଜିତ ଆୟାରଙ୍କୁ କଟୁ ସମାଲୋଚନା କରିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ଆୟାର ଜଣେ ପାଗଳ ବ୍ୟକ୍ତି ବୋଲି କହିଛନ୍ତି ବିଜୟ । ଓଡ଼ିଶା ଶବ୍ଦର ଉତ୍ପତି ବଙ୍ଗଳାର ଓରିଶଳାରୁ, ଜଗନ୍ନାଥଙ୍କୁ ଓଡ଼ିଶା ରାଜା ଚୋରି କରି ନେଇଯିବା ଠାରୁ ଆରମ୍ଭ କରି କୋଣାର୍କର କଳାକୃତିକୁ ସୋସିଆଲ ମିଡିଆରେ ଅତି ବିକୃତ ଭାବେ ଉପସ୍ଥାପନ କରିଥିଲେ ଅଭିଜିତ ଆୟାର ମିତ୍ର । ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ହୋଇଛି ପ୍ରତିକ୍ରିୟା ।