ଜଙ୍ଗଲ ନିଆଁରେ ରାଜନୀତିର ଘିଅ ! ଉଚ୍ଚସ୍ତରୀୟ ଟିମ୍ ଗଢିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି, ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ ପାଇଁ ଶିମିଳିପାଳ ଗଲେ ବିଜେପି ବିଧାୟକ ଦଳ ।

59
କନକ ବ୍ୟୁରୋ: ଜଙ୍ଗଲ ନିଆଁରେ ପଡ଼ିଲା ରାଜନୀତିର ଘିଅ । ଉଚ୍ଚସ୍ତରୀୟ ଟିମ ଗଢିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରସଦୀପ୍ତ ନାୟକ । ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ଜନ ପ୍ରତିନିଧି ଓ ଦେଶର ଜଣାଶୁଣା ବିଶେଷଜ୍ଞଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ଟିମ ଗଠନ କରିବାକୁ ସେ ଦାବି କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି । ଏହାସହ ନିଆଁ ଲିଭାଇବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି ।
ଅପରପକ୍ଷରେ ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ ପାଇଁ ଶିମିଳିପାଳ ଗସ୍ତ କରିଛି ବିଜେପି ବିଧାୟକ ଦଳ । ବିଜେପିର ୧୫ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଦିନିକିଆ ଗସ୍ତରେ ଯାଇଛି । ଜଙ୍ଗଲ ଓ ନିଆଁର ସାମ୍ପ୍ରତିକ ସ୍ଥିତି କଣ ରହିଛି ବନ୍ୟଜନ୍ତୁ କେତେ ପ୍ରଭାବିତ ହୋଇଛନ୍ତି ଏହାର ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରିବ ଟିମ । ସ୍ଥିତି ଅନୁଧ୍ୟାନ ସହ ହରାଜ୍ୟ ସରକାର ଜଙ୍ଗଲ ନିଆଁ ନେଇ ଯେଉଁ ତଥ୍ୟ ଦେଉଛନ୍ତି ଏହାର ଅନୁଧ୍ୟାନ କରିବ ଦଳ ।
ତେବେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ପ୍ରସଙ୍ଗରେ ବଡ ଦାବି କରିଛି ଟାସ୍କ ଫୋର୍ସ । ରାଜ୍ୟରେ ଜଙ୍ଗଲ ନିଆଁ ପରିସ୍ଥିତିକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯାଇଛି ବୋଲି ଟାସ୍କ ଫୋର୍ସ ପକ୍ଷରୁ ସୂଚନା ଦିଆଯାଇଛି । ଶିମିଳିପାଳ ଜଙ୍ଗଲର ନିଆଁକୁ ଆୟାତ କରାଯାଇଛି । ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଂଟର ହାଇଦ୍ରାବାଦର ରିପୋର୍ଟ ଅନୁସାରେ, ଶିମିଳିପାଳ ଜଙ୍ଗଲରେ ନିଆଁ ନିୟନ୍ତ୍ରଣକୁ ଆସିଛି ।
ସେହିପରି ଏଫଏସଆଇ ଡେରାଡୁନ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ୭୦୧ଟି ଜଙ୍ଗଲ ଆଲର୍ଟ ସ୍ଥିତିରେ ଥିଲା । କିନ୍ତୁ ଗତକାଲି ଏହା ୩୪୧ଟି ସ୍ଥାନ ସତର୍କତାରେ ଥିବା କୁହାଯାଇଛି । ଶିମିଳିପାଳରେ କେବଳ ୪ଟି ଫାୟର ଆଲର୍ଟ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଟାସ୍କ ଫୋର୍ସ ପକ୍ଷରୁ ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି । ସେହିପରି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶିମିଳିପାଳ ଜଙ୍ଗଲ ଅଂଚଳ ପରିଦର୍ଶନ କରି ବନାଧିକାରୀ ଏବଂ ସାଧାରଣ ଲୋକଙ୍କ ସହ ଆଲୋଚନା କରିଛନ୍ତି ।