ସାର ପାଇଁ ଚାଷୀଙ୍କ ପ୍ରତିବାଦ ପରେ କେନ୍ଦ୍ରକୁ ବଲ୍ ଫିଙ୍ଗିଲା ରାଜ୍ୟ । ଚିଠି ଲେଖି ମୁଖ୍ୟମନ୍ତ୍ରୀ କହିଲେ, ଦିଲ୍ଲୀରୁ ମିଳୁ ଓଡ଼ିଶା କୋଟା । କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ବିଜେଡି ସାଂସଦ ।

151

କନକ ବ୍ୟୁରୋ: ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ସାର ସଙ୍କଟର ଚିତ୍ର । ଚାଷ ସମୟରେ ଏଭଳି ସାର ସଙ୍କଟ ଚାଷୀଙ୍କୁ ହତାଶ କରିବା ସହ ବଢ଼ିବାରେ ଲାଗିଛି ଅସନ୍ତୋଷ । ତେବେ କାହିଁକି ମିଳୁନି ସାର? ଏହି ସାର ସଙ୍କଟ ପାଇଁ କିଏ ଦାୟୀ? ରାଜ୍ୟ ସରକାର ନା କେନ୍ଦ୍ର ସରକାର? ନାଁ ଜାଣିଶୁଣି ସାରର କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି ? ଏଭଳି ପ୍ରଶ୍ନ ଉଠୁଥିବାବେଳେ ସାର ଅଭାବକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।

ସାର ସଙ୍କଟକୁ ନେଇ ଚାଷୀଙ୍କ ଭିତରେ ବଢ଼ିବାରେ ଲାଗିଛି ଅସନ୍ତୋଷ । ହେଲେ ଏଥିପାଇଁ ଦାୟୀ କିଏ? ଏନେଇ ନିଜ ନିଜ ମୁଣ୍ଡରୁ ଦୋଷ ଖସାଇବାରେ ବ୍ୟସ୍ତ କେନ୍ଦ୍ରରେ ଶାସନ କରୁଥିବା ବିଜେପି ଓ ରାଜ୍ୟରେ ସରକାରରେ ଥିବା ବିଜେଡି । ଚାଷୀଙ୍କ ପାଇଁ କାହାର ଦରଦ କେତେ ସେଥିପାଇଁ ଚାଲିଛି ପ୍ରତିଯୋଗିତା ।

ସେପଟେ ରାଜ୍ୟର ଦେଖା ଦେଇଥିବା ସାର ଅଭାବକୁ ପୂରଣ କରିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ନବୀନ ଲେଖିଛନ୍ତି..

– ମେ, ଜୁନ୍ ଓ ଜୁଲାଇ ମାସରେ ରାଜ୍ୟକୁ କମ ସାର ଯୋଗାଣ ହୋଇଛି
– ରାଜ୍ୟକୁ ଖରିଫ ଋତୁ ସମୟରେ ମାତ୍ର ୧ ଲକ୍ଷ ୪୫ ହଜାର ୧୪୫ ମେଟ୍ରିକ ଟନ୍ ସାର ମିଳିଛି ।
– ଯାହାକି ଆବଶ୍ୟକ ଚାହିଦାର ମାତ୍ର ୬୨ ପ୍ରତିଶତ ୟୁରିଆ
– ଅନ୍ୟ ସାର ମାତ୍ର ୬୦ରୁ ୭୪ ପ୍ରତିଶତ ମିଳିଛି
– ତୁରନ୍ତ ରାଜ୍ୟକୁ ଅଧିକ ସାର ଯୋଗାଇ ଦିଆଯାଉ

ତେବେ ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ସକ୍ରିୟ ହୋଇଛନ୍ତି ବିଜେଡି ସାଂସଦ । ରାଜ୍ୟକୁ ଅଧିକ ସାର ଯୋଗାଇଦେବାକୁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜେଡି ସାଂସଦ । ଚାହିଦା ଅନୁସାରେ ସାର ଯୋଗାଇ ଦିଆଯାଉନଥିବା ଅଭିଯୋଗ ଆଣି ବିଜେଡି କେନ୍ଦ୍ର ନିକଟରେ ଦାବି ଜଣାଇଥିବାବେଳେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । କଳାବଜାରୀ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ରାଜ୍ୟନୈତିକ ଦଳଙ୍କ ଏହି ଆରୋପ ପ୍ରତ୍ୟାରୋପ ଭିତରେ, କେବେ ହେବ ସାର ସଙ୍କଟ ସମସ୍ୟାର ସମାଧାନ? ଏହାକୁ ଅପେକ୍ଷା କରିଛନ୍ତି ସାରା ରାଜ୍ୟର ଚାଷୀ ।