କନକ ବ୍ୟୁରୋ: ଆମେରିକାର ମର୍ଯ୍ୟାଦା ସଂପନ୍ନ ଦୈନିକ ଖବର କାଗଜ ‘ଦ ୱାଲ୍ଡ ଷ୍ଟ୍ରିଟ୍ ଜର୍ଣ୍ଣାଲ’ର ରିପୋର୍ଟ ଏବେ ଭାରତୀୟ ରାଜନୀତିରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ବନି ଯାଇଛି । ଏହି ରିପୋର୍ଟରେ କୁହାଯାଇଛି, ଯେ ଫେସବୁକର ହେଟ୍ ସ୍ପିଚ୍ ନିୟମ, ଭାରତୀୟ ରାଜନୀତି କ୍ଷେତ୍ରରେ ପାଳନ ହେଉନାହିଁ । ମୋଦିଙ୍କ ସରକାରକୁ ଫେସବୁକ୍ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ ବୋଲି ଏହି ରିପୋର୍ଟରୁ ଜଣାପଡୁଛି ।

Advertisment

‘ଦ ୱାଲ୍ଡ ଷ୍ଟ୍ରିଟ୍ ଜର୍ଣ୍ଣାଲ’ରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଏହି ସୁଯୋଗକୁ ହାତ ଛଡା କରିନାହାନ୍ତି । ରାହୁଲ କହିଛନ୍ତି ବିଜେପି ଓ ଆରଏସଏସ ଭାରତରେ ଫେସବୁକ୍ ଓ ହ୍ୱାଟସ ଆପକୁ ନିୟନ୍ତ୍ରଣ କରୁଛନ୍ତି ।

ରାହୁଲ ଗାନ୍ଧି ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି ଯେ, ବିଜେପି ଓ ଆରଏସଏସ ଫେସବୁକ୍ ଓ ହ୍ୱାଟସ ଆପକୁ ନିୟନ୍ତ୍ରଣ କରୁଛନ୍ତି । ଏମାନେ ମିଛ ଖବର ଦେଉଛନ୍ତି ଏବଂ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି । ଏବଂ ଶେଷରେ ଆମେରିକା ମିଡିଆ ଏହି ସତକୁ ଖୋଜି ବାହାର କରିଛି ବୋଲି ରାହୁଲ କହିଛନ୍ତି ।

ତେବେ ରାହୁଲ ଗାନ୍ଧୀଙ୍କ ଏହି ଟ୍ୱିଟ୍ ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । କାରଣ ଫେସବୁକରେ ଭାରତର ପ୍ରାୟ ୪୦ କୋଟି ଲୋକ ଅଛନ୍ତି । ଏଥିରୁ ସହଜରେ ଅନୁମାନ କରି ହେବ, ଫେସବୁକର ଭାରତୀୟ ଭୋଟରଙ୍କ ଉପରେ କିଭଳି ପ୍ରଭାବ ପକାଇବାର କ୍ଷମତା ରହିଛି ।

ଏହି ଘଟଣା ପରେ ଫେସବୁକ୍ ପ୍ରତିକ୍ରିୟା ରଖିଛି । ଫେସବୁକ୍ କହିଛି, ହେଟ୍ ସ୍ପିଚକୁ ମନା କରାଯାଇଛି ଏବଂ କୌଣସି ରାଜନେତା କିମ୍ବା ଦଳ ଏହି ନିୟମରୁ ବାହାରେ ନାହାନ୍ତି । ସ୍ୱଚ୍ଛତା ଏବଂ ସଠିକ୍ ପରିଚାଳନା ପାଇଁ ଆମେ ଆଗକୁ ବଢୁଛୁ ଏବଂ ନିୟମିତ ଭାବେ ଆମ ପ୍ରକ୍ରିୟାର ଅଡିଟ୍ ହେବ ।

ସେପଟେ ବିରୋଧୀ ଦଳ କଂଗ୍ରେସ ‘ଦ ୱାଲଡ ଷ୍ଟ୍ରିଟ୍ ଜର୍ଣ୍ଣାଲ’ରେ ଏହି ରିପୋର୍ଟ ଉପରେ ଅନୁସନ୍ଧାନ ପାଇଁ ଏକ ଯୁଗ୍ମ ସଂସଦୀୟ କମିଟି ଗଠନ କରିବା ପାଇଁ ଦାବି କରିଛି । ସେମାନେ କହିଛନ୍ତି ଏହି ରିପୋର୍ଟ ଭାରତୀୟ ଗଣତନ୍ତ୍ରର ଭିତିଭୂମୀ ପ୍ରତି ବିପଦ ସୃଷ୍ଟି କରୁଛି ।