ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ, ତେଜୁଛି ରାଜନୀତି । କାଲି ବିଜେପିର ଯାଜପୁର ବନ୍ଦ ଡାକରା, ବିଜେଡି କହିଲା, କରାନଯାଉ ରାଜନୀତି, ଏପଟେ ସ୍ମିତାଙ୍କ ଶ୍ୱଶୁର ରଖିଲେ ବୟାନ ।

661

କନକ ବ୍ୟୁରୋ : ଧର୍ମଶାଳା ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି । ରହସ୍ୟ ବଢୁଛି ଆଉ ରାଜନୀତି ବି । ବିରୋଧୀ ବିଜେପି, ଆତ୍ମହତ୍ୟା ଥିଓରୀକୁ ସହଜରେ ଗ୍ରହଣ କରିପାରୁନି । ଅନ୍ୟପକ୍ଷରେ ବିଜେଡି କହିଛି, ତଦନ୍ତ ନସରିବା ଯାଏଁ ଏପରି ବୟାନବାଜି ନ ହେଉ । ଏସବୁ ଭିତରେ ଆସିଛି ସ୍ମିତାରାଣୀଙ୍କ ଶ୍ୱଶୁରଙ୍କ ବଡ ବୟାନ । ସେ କହିଛନ୍ତି, ସ୍ମିତାରାଣୀ ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ର ଗାଡ଼ି ପଠାଇ ସ୍ମିତାରାଣୀଙ୍କୁ ଘରୁ ନେଉଥିଲେ ।

ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ଥମୁନି ରାଜନୀତି । ଆସନ୍ତାକାଲି ବିଜେପିର ଯାଜପୁର ବନ୍ଦ ଡାକରା । ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ରହସ୍ୟ ଯେତିକି ବଢ଼ିବାରେ ଲାଗିଛି, ଏହାକୁ ନେଇ ରାଜନୀତି ସେତିକି ଘନେଇବାରେ ଲାଗିଛି । ଆତ୍ମହତ୍ୟା ଥିଓରୀକୁ ବିରୋଧ କରି ଯାଜପୁର ଏସପିଙ୍କୁ ଘେରିଛି ବିଜେପି । ଏ ନେଇ ଆଜି ପୋଲିସ ଡିଜିଙ୍କୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ । ଏକ ହତ୍ୟା ମାମଲାକୁ ଆତ୍ମହତ୍ୟାର ରୂପ ଦିଆଯାଉଥିବା ଅଭିଯୋଗ କରି ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କରାଯାଇଛି ।

ବିଜେପିର ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେଡି । ତଦନ୍ତ ନସରିବା ପୂର୍ବରୁ ଏପରି ବୟାନବାଜି ମାମଲାକୁ ପ୍ରଭାବିତ କରିବ ବୋଲି କହିଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ । ସେ କହିଛନ୍ତି, ଯେଉଁ ସରପଂଚଙ୍କ ସ୍ୱାମୀକୁ ଗିରଫ କରାଯାଇଛି, ତାଙ୍କ ସହ ବିଜେପି ନେତାଙ୍କ ଫଟୋ ମଧ୍ୟ ରହିଛି ।

ବିଜେଡିର ଏଭଳି ଅଭିଯୋଗର ମଧ୍ୟ ପ୍ରତିକ୍ର୍ରିୟା ରଖିଛି ବିଜେପି । ଅନ୍ୟ ଅଭିଯୁକ୍ତଙ୍କୁ ପଚାରାଉଚରା ନକରି କାହିଁକି ସ୍ମିତାରାଣୀଙ୍କ ସ୍ୱାମୀ ଓ ସଂପର୍କୀୟଙ୍କୁ ପୋଲିସ ଜେରା କରୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଏଥିରେ ବଡ଼ ଧରଣର ଷଡଯନ୍ତ୍ର ରହିଛି ରହିଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ମୃତ ସ୍ମିତାରାଣୀ ବିଶ୍ୱାଳଙ୍କ ଶ୍ୱଶୁର ଏହି ମାମଲାରେ ମୁହଁ ଖୋଲିଛନ୍ତି । ଅନେକ ଥର ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ର ଗାଡ଼ି ପଠାଇ ସ୍ମିତାରାଣୀଙ୍କୁ ଘରୁ ନେଉଥିବା ସେ କହିଛନ୍ତି ।

ଗତ ୧୬ ତାରିଖ ଦିନ ପଂଚାୟତ ସଂପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳ, ହରିଦାସପୁର ଅଂଚଳରେ ଭତା ବାଂଟି ସାରିବା ପରେ ମଧ୍ୟାହ୍ଣରେ ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରର ଗେଷ୍ଟହାଉସକୁ ଯାଇଥିଲେ । ଗେଷ୍ଟହାଉସର ଶୌଚାଳୟ ଭିତରୁ ଓଢଣୀରେ ଝୁଲିଥିବା ଅବସ୍ଥାରେ ମିଳିଥିଲା ସ୍ମିତାରାଣୀଙ୍କ ମୃତଦେହ । ସ୍ମିତାରାଣୀଙ୍କ ସହ ରୂପେଶଙ୍କ ଘନିଷ୍ଠ ସଂପର୍କ ଥିଲା ଏବଂ ସେମାନଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ମିତାରାଣୀ ଆତ୍ମହତ୍ୟା କରିଥିଲେ ବୋଲି ଗତକାଲି ପ୍ରେସମିଟ୍ କରି କହିଥିଲେ ଯାଜପୁର ଏସପି । ଯାହାକୁ ନେଇ ଜୋରଦାର ହୋଇଛି ରାଜନୀତି ।