ଜୟ-ପ୍ରଦୀପ୍ତଙ୍କ ମଝିରେ ‘ବିରୋଧୀ ନେତା ବାଡ‘ ? ଜଣେ ଆଟାକ୍ କଲେ ଆଉ ଜଣେ ଛିଗୁଲେଇଲେ…

408

କନକ ବ୍ୟୁରୋ: ବିରୋଧୀ ଦଳ ନେତା ନେଇ ଆରମ୍ଭ ହେଲା ଅସଲି ଯୁଦ୍ଧ । ବିରୋଧୀ ଦଳ ନେତା ଘୋଷଣା ପରେ ଦୀର୍ଘ ସତର ଦିନ ଧରି ଯେଉଁ ଶୀତଳଯୁଦ୍ଧ ଚାଲିଥିଲା ଆଜି ତାହା ସାମ୍ନାକୁ ଆସିଲା । ପ୍ରଦୀପ୍ତ-ଜୟନାରାୟଣଙ୍କ ମଧ୍ୟରେ ଲାଗି ରହିଥିବା ଭିତିରି ଫାଇଟ ଶେଷରେ ପଦାରେ ପଡିଲା । ତେବେ ବିରୋଧୀ ଦଳ ନେତା ନେଇ ଦୁଇ ହେଭିୱେଟଙ୍କ ମଧ୍ୟରେ ବିଗତ କିଛି ଦିନ ଧରି ଅସନ୍ତୋଷ, କାଦୁଅ ଫୋପଡା ଫୋପଡି ଚାଲିଥିବା ବେଳେ ଆଜି ଉଭୟେ ଉଭୟଙ୍କ ଉପରେ କରିଛନ୍ତି ଜୋରଦାର ଆକ୍ରମଣ ।

ବିରୋଧୀ ଦଳ ନେତା ଘୋଷଣା ପରେ ଜୟନାରାୟଣ ମିଶ୍ର ଦଳର ନିଷ୍ପତ୍ତିକୁ ସ୍ୱାଗତ କରିଥିବା କହିଥିବା ବେଳେ ପ୍ରଦୀପ୍ତଙ୍କ ବାବଦରେ ପଦୁଟିଏ ବି କହିନଥିଲେ । ହେଲେ ନେତା ନିର୍ଦ୍ଧାରଣର ୧୭ ଦିନ ପରେ ଆଜି ପ୍ରଦୀପ୍ତ ନାୟକଙ୍କୁ ସିଧାସଳଖ ତୀର ମାରିଛନ୍ତି ଜୟନାରାୟଣ ମିଶ୍ର । ତାଙ୍କୁ ବିରୋଧୀ ନେତା ହେବାରେ କିଏ ବାଧା ଦେଲା ଆଉ ଶେଷ ମୁହୂର୍ତ୍ତରେ ଆସିଥିବା ଏ ନିଷ୍ପତ୍ତିର ନିୟନ୍ତା କିଏ ବୋଲି ଜୟନାରାୟଣ ବୁଲେଇ ବଙ୍କେଇ ପ୍ରଶ୍ନ କରିଛନ୍ତି ।

ତେବେ ବିରୋଧୀ ନେତା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବାକୁ ଯାଇ କ୍ଷୋଭ ପ୍ରକାଶ କରିଛନ୍ତି ଜୟନାରାୟଣ । ମୋତେ ବିରୋଧୀ ଦଳ ନେତା କରିବାକୁ କେନ୍ଦ୍ରୀୟ ନେତୃତ୍ୱ ସଙ୍କେତ ଦେଇଥିଲେ । ମୁଁ ମଧ୍ୟ ମାସେ ଧରି ସେହି ଅନୁସାରେ କାମ କରୁଥିଲି । ବିଧାୟକମାନେ ମୋତେ ବିରୋଧୀ ଦଳ ନେତା ଭାବରେ ଦେଖିବାକୁ ଚାହୁଁଥିଲେ । ହେଲେ ଶେଷ ମୁହୂର୍ତ୍ତରେ ସବୁକିଛି ବଦଳିଗଲା, କେନ୍ଦ୍ରର ନିଷ୍ପତ୍ତି ବଦଳିଗଲା କହି ନିଜ କ୍ଷୋଭ ପ୍ରକାଶ କରିଛନ୍ତି ଜୟନାରାୟଣ । ଆଉ ଏହି କ୍ଷୋଭ ମାଧ୍ୟମରେ ତାଙ୍କ ବିରୋଧରେ ହୋଇଥିବା ଯୋଜନାବଦ୍ଧ ଷଡଯନ୍ତ୍ର ବିଷୟରେ ସୁରାକ ଦେଇଛନ୍ତି ଜୟନାରାୟଣ । ତେବେ କିଏ ସେହି ଷଡଯନ୍ତ୍ରକାରୀ ଯିଏ ଜୟନାରାୟଣଙ୍କୁ ମିଳୁଥିବା ପଦବୀକୁ ପ୍ରଦୀପ୍ତଙ୍କ ପାଖକୁ ଠେଲିଦେଇଥିଲା ? ତାହା ଏବେ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି ।

ସେପଟେ ଜୟଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଜୟନାରାୟଣଙ୍କ ଆଟାକର କାଉଣ୍ଟର ଆଟାକ୍ କରିଛନ୍ତି ପ୍ରଦୀପ୍ତ । କ୍ଷୋଭ ପ୍ରକାଶ କରିବା ଉଚିତ ନୁହେଁ ବୋଲି ଜୟଙ୍କ ଉଦ୍ଦେଶ୍ୟରେ ପ୍ରଦୀପ୍ତ କହିଛନ୍ତି । ତେବେ ବିଧାୟକଙ୍କ ସମର୍ଥନ ପ୍ରସଙ୍ଗରେ ଓଲଟା ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ; ସବୁ ବିଧାୟକ କଣ ତାଙ୍କୁ ଚାହୁଁଥିଲେ, ମୋତେ ବି କିଛି ଚାହୁଁଥିଲେ । ନେତା ଚୟନରେ କୌଣସି ଫିକ୍ସିଂ ହୋଇନି । ବିରୋଧୀ ଦଳ ନେତା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଦାୟିତ୍ୱ ଦିଆଗଲା ଆଉ ସବୁ ବିଧାୟକ ଏଥିରେ ସହମତି ବି ପ୍ରକାଶ କଲେ ତେଣୁ କ୍ଷୋଭ କରିବାର ଅବକାଶ ନାହିଁ ବୋଲି କହି ପ୍ରଦୀପ୍ତ ଜୟନାରାୟଣଙ୍କୁ ଛିଗୁଲେଇଛନ୍ତି ।

ତେବେ ବିରୋଧୀ ଦଳ ନେତା ଘୋଷଣା ହେବା ପୂର୍ବରୁ ଜୟନାରାୟଣଙ୍କ ନାଁ ପ୍ରବଳ ଚର୍ଚ୍ଚା ହେଉଥିଲା । ଆଉ ସମସ୍ତେ ମଧ୍ୟ ସ୍ପଷ୍ଟ ହୋଇସାରିଥିଲେ କି ସେ ହିଁ ହେବେ ଏହି ପଦର ଅଧିକାରୀ । ମାତ୍ର କେନ୍ଦ୍ରର ଘୋଷଣା ସମସ୍ତଙ୍କୁ ଚମକାଇ ଦେଇଥିଲା । ଜୟନାରାୟଣ ମଧ୍ୟ ନିଷ୍ପତ୍ତି ଶୁଣି ଚମକି ଯାଇଥିଲେ ଆଉ ସେବେ ଠାରୁ ଅସନ୍ତୋଷର ନିଆଁରେ ଜଳୁଥିଲେ । ଶେଷରେ ଆଜି ନିଜ କ୍ଷୋଭକୁ ପ୍ରକାଶ କରିଛନ୍ତି ଜୟନାରାୟଣ । ତେବେ ବିରୋଧୀ ପଦ ନେଇ ଜୟ-ପ୍ରଦୀପ୍ତଙ୍କ ମଧ୍ୟରେ ନୂଆ କରି ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ କେବେ ପଡିବ ଯବନିକା ? ଆଉ ଯୁଦ୍ଧ ଶେଷ କରିବାକୁ କିଏ ସାଜିବ ମଧ୍ୟସ୍ଥି ତାରି ଉପରେ ନଜର ।