ବାଲେଶ୍ୱରରେ ଫକିର ମୋହନ ମେଡିକାଲ କଲେଜର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ! କିଏ ଖର୍ଚ୍ଚ କରିଛି କେତେ ଟଙ୍କା, ତାହାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

42

କନକ ବ୍ୟୁରୋ : ବଲାଙ୍ଗୀରରେ ଭୀମଭୋଇ ମେଡିକାଲ କଲେଜ ପରେ ଆଜି ବାଲେଶ୍ୱରରେ ଫକୀର ମୋହନ ମେଡିକାଲ କଲେଜକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପଣ ଉତ୍ସବରେ ସାମିଲ ହୋଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ମେଡିକାଲ ପ୍ରତିଷ୍ଠା ହୋଇଥିବା ବେଳେ ମେଡିକାଲ କଲେଜର ଶ୍ରେୟ କିଏ ନେବ, ତାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି ।

ବାଲେଶ୍ୱରରେ ଉଦଘାଟିତ ହୋଇଛି ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ । ଉଦଘାଟନୀ ସମାରୋହରେ ସୁସ୍ଥ ଓଡିଶା ସୁଖୀ ଓଡିଶାର ସଂକଳ୍ପକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କଲେଜ ବାଲେଶ୍ୱର ଜିଲ୍ଲା ସମେତ ଆଖପାଖ ଅଂଚଳର ଲୋକଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇଦେବ । ଲୋକାର୍ପିତ ଉତ୍ସବରେ ସାମିଲ ହୋଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ । ଆଗକୁ ରାଜ୍ୟର ଭଦ୍ରକ, ପୁରୀ ଓ ଯାଜପୁରରେ ମେଡିକାଲ କଲେଜ ଖୋଲାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ । ଏହି କଲେଜ ପାଇଁ କେନ୍ଦ୍ର ଦେଇଛି ୬୫ କୋଟି ଏବଂ ରାଜ୍ୟ ଦେଇଛି ୧୩୦କୋଟି ଟଙ୍କା । ରାଜ୍ୟର ସବୁ ବର୍ଗର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।

ଅନ୍ୟପକ୍ଷରେ ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ଶ୍ରେୟ କିଏ ନେବ ସେନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି କେନ୍ଦ୍ର ସରକାର ଟଙ୍କା ଦେବା କେବଳ କାଗଜ କଲମରେ ରହିଛି । ନିୟମ ଅନୁସାରେ କେନ୍ଦ୍ର ୬୦ ଏବଂ ରାଜ୍ୟ ୪୦ ପ୍ରତିଶତ ଅର୍ଥ ଦେବା କଥା । ତେବେ ଏ ପର୍ଯ୍ୟନ୍ତ କେନ୍ଦ୍ରରୁ ଟଙ୍କା ଆସିନଥିବା ବେଳେ ସିଂହଭାଗ ଅର୍ଥ ରାଜ୍ୟ ଖର୍ଚ୍ଚ କରିଛି । ବିଜେପି ନେତା କେ ଭି ସିଂହଦେଓ କହିଛନ୍ତି, ରାଜ୍ୟରେ ହେବାକୁ ଥିବା ୫ଟି ମେଡିକାଲ ପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଦେଉଛନ୍ତି । ଏଥିମଧ୍ୟରୁ ୪ଟି ଉଦଘାଟିତ ହୋଇସାରିଲାଣି । ସବୁ ସାହାଯ୍ୟ ସତ୍ୱେ କେନ୍ଦ୍ରକୁ ରାଜ୍ୟ ସରକାର ଧନ୍ୟବାଦ ଦେଇନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ସେପଟେ ଦୁଇଟି ମେଡିକାଲ କଲେଜର ଉଦଘାଟନରେ କେନ୍ଦ୍ରମନ୍ତ୍ରୀଙ୍କୁ ଡକାନଯିବା କଥା କହିଛି ବିଜେପି । ଖାଲି ସେତିକି ନୁହେଁ, ଆଜି ଆସିଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କୁ ଉପଯୁକ୍ତ ସୁରକ୍ଷା ଦିଆଯାଇନଥିବା ଅଭିଯୋଗ ମଧ୍ୟ କରିଛି ଦଳ । ଏଥିସହ ବିଭିନ୍ନ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଛପା ନଯିବାକୁ ନେଇ ପ୍ରଶ୍ନ ଉଠାଇଛି । ଏହାର ଜବାବରେ ବିଜେଡି କହିଛି ଯଦି କୌଣସି ଦୋଷ ତ୍ରୁଟି ଥାଏ ତେବେ ଅନୁଧ୍ୟାନ କରାଯିବ ।