ପଶ୍ଚିମବଙ୍ଗରେ ନଡ୍ଡାଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ ଘଟଣାକୁ ନେଇ ଜୋରଧରୁଛି ରାଜନୀତି । ସୁରକ୍ଷା ଦାୟିତ୍ୱରେ ଥିବା ୩ଜଣ ଅଧିକାରୀଙ୍କୁ ଡେପୁଟେସନରେ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ

185

କନକ ବ୍ୟୁରୋ : ମୁହାଁମୁହିଁ ମୋଦୀ–ମମତା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣକୁ ନେଇ କେନ୍ଦ୍ର ସରକାର ଓ ଟିଏମସି ମୁହାଁମୁହିଁ ହୋଇଛନ୍ତି । ଏହି ଘଟଣାରେ ପଶ୍ଚିବଙ୍ଗର ୩ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଡାକିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ୩ଜଣ ଆଇପିଏସ ଅଫିସର ହେଲେ ରାଜୀବ ମିଶ୍ର, ପ୍ରବୀଣ କୁମାର ଓ ଭୋଲାନାଥ ପାଣ୍ଡେ ।

ଗୁରୁବାର ନଡ୍ଡା ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ଗସ୍ତ ସମୟରେ ଏହି ୩ଜଣ ଅଧିକାରୀ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ । ଶୁକ୍ରବାର ଦିନ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ପୁଲିସ ଡିଜିଙ୍କୁ ଦିଲ୍ଲୀ ଆସିବା ପାଇଁ ସମନ ପଠାଇଥିଲା ଗୃହମନ୍ତ୍ରାଳୟ । ତେବେ ଅଧିକାରୀ ଆସିବା ପାଇଁ ମନା କରିବା ପରେ ଏବେ ଆଇପିଏସ ଅଧିକାରୀଙ୍କୁ ଡେପୁଟେସନରେ ଡକାଯାଇଛି ।

କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିଛି ଟିଏମସି । ସାଂସଦ କଲ୍ୟାଣ ବାନାର୍ଜୀ କେନ୍ଦ୍ର ଗୃହ ସଚିବଙ୍କୁ ଏକ ପତ୍ର ଲେଖିଛନ୍ତି ଓ ସରକାର ଆଇପିଏସ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ସେ କହିଛନ୍ତି । ଅମିତ ଶାହାଙ୍କ ନିର୍ଦ୍ଦେଶରେ ପଶ୍ଚିମବଙ୍ଗରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରିବାକୁ କେନ୍ଦ୍ର ଚାହୁଁ ଥିବା କହିଛି ଟିଏମସି ।