ରୋଚକ ସ୍ଥିତିରେ ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ରାଜନୀତି ଗଣିତ । କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ । କାହାକୁ ଟିକେଟ ଦେବ ଦଳ, ଚାଲିଛି ଅଙ୍କକଷା

202

କନକ ବ୍ୟୁରୋ: ରୋଚକ ସ୍ଥିତିରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନିର୍ବାଚନମଣ୍ଡଳୀର ରାଜନୀତି ଗଣିତ । ଆଗାମୀ ନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ? କାହାକୁ ଟିକେଟ ମିଳିବ ସେଥିପାଇଁ ଆରମ୍ଭ ହୋଇଗଲାଣି ଜୋରଦାର ଚର୍ଚ୍ଚା । ନେତାମାନେ ବି ଟିକେଟ ପାଇଁ ଗାଁ ଗାଁ ବୁଲିବା ଆରମ୍ଭ କଲେଣି । ତେବେ ବିଜେଡିର ଅଧିକ ଟିକେଟ ଆଶାୟୀ ଥିବାରୁ ଫାଇଦା ନେବା ଲକ୍ଷ୍ୟରେ ରହିଛି ଭାରତୀୟ ଜନତା ପାର୍ଟି ।

କଣ୍ଟାମାଳ ବିଧାନସଭା କ୍ଷେତ୍ର । ବୌଦ୍ଧ ଜିଲ୍ଳାର ଏହି ବିଧାନସଭା କ୍ଷେତ୍ରରୁ ଲଗାତାର ଭାବେ ବିଜୟୀ ହୋଇ ଆସୁଛନ୍ତି ବିଜେଡି ପ୍ରାର୍ଥୀ । ୨୦୦୯ରେ ଭଗବାନ କଂହର ବିଜୟୀ ହୋଇଥିବା ବେଳେ, ୨୦୧୪ ଓ ୨୦୧୯ରେ ଲଗାତାର ଭାବେ ଦୁଇ ଥର ମହିଧର ରଣା ବିଜେଡି ଟିକେଟରୁ ବିଜୟୀ ହୋଇଥିଲେ । ତେବେ ୨୦୨୪ ନିର୍ବାଚନରେ ବିଜେଡି ପୁଣି ମହିଧରଙ୍କ ଉପରେ ଭରସା କରିବ ନା ନୂଆ ଚେହେରାକୁ ମଇଦାନକୁ ଓହ୍ଲାଇବ ତାହା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର ବିଷୟ ହୋଇଛି ।

କାରଣ, ନିର୍ବାଚନମଣ୍ଡଳୀରେ ବିଧାୟକ ମହିଧର ରଣା ଗାଁ ଗାଁ ବୁଲି ସଂଗଠନକୁ ମଜବୁତ କରୁଥିବାବେଳେ, ସମାନ୍ତରାଳ ଭାବେ ସମାବେଶ ଓ କାର୍ଯ୍ୟକ୍ରମ ଚଳାଇଛନ୍ତି ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ରଥ । ଆଉ ସେ ବି ଟିକେଟ ଆଶାୟୀ ଅଛନ୍ତି । ସେହିପରି ବୌଦ୍ଧ ଏକ ନମ୍ବର ଜୋନର ଜିଲ୍ଲା ପରିଷଦ ସୁମିତ୍ରା ସାହୁ ମଧ୍ୟ ଟିକେଟ ଦୌଡରେ ଥିବା ଚର୍ଚ୍ଚା ହେଉଛି । ତେବେ ବିଜେଡି ନେତାମାନେ ଏକାଠି ଅଛନ୍ତି ଓ ଲୋକେ ପୁଣି ଥରେ ଦଳକୁ ବିଜୟୀ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମହିଧର ।

ବିଜେଡିର ଟିକେଟ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ବାଜି ମାରିନେବା ଆଶାରେ ରହିଛି ବିଜେପି । ୨୦୧୯ରେ ଭୋଟ ବ୍ୟବଧାନ କମ୍ ଥିବାରୁ ଏଥର ବିଜେପି ପ୍ରାର୍ଥୀ ବିଜୟୀ ହେବେ ବୋଲି ଦାବି କରିଛନ୍ତି ବିଜେପି ନେତା । ତେବେ କଣ୍ଟାମାଳ ଅଞ୍ଚଳରେ ଲଗାତାର ବିଜେଡି ପ୍ରାର୍ଥୀ ବିଜୟୀ ହେଉଥିଲେ, ବି ଅନେକ ସମସ୍ୟା ରହିଛି । ଆଦିବାସୀ ଅଧୁଷିତ ଗାଁ ଗୁଡିକରେ ଏବେ ବି ମୌଳିକ ସୁବିଧା ପହଁଚି ପାରିନି । ଆଉ ସେହି ସବୁ ସମସ୍ୟାକୁ ବିରୋଧୀ ନିର୍ବାଚନୀ ପ୍ରସଙ୍ଗ କରିପାରନ୍ତି ବୋଲି କୁହାଯାଉଛି ।