ଉଠୁଛି ପଡୁଛି ପାଟକୁରା ! ବିଜେପି ନେତାଙ୍କ ବୟାନରେ ଗୋଳିଆ ହେଉଛି ପାଟକୁରା ପାଣି । ବିଜେଡି କହିଲା, ଏକପାଖିଆ ହେବ ନିର୍ବାଚନ ।

248

କନକ ବ୍ୟୁରୋ: ପାଟକୁରା ରାଜନୀତି ପାଣି ଦିନକୁ ଦିନ ଗୋଳିଆ ହେବାରେ ଲାଗିଛି । ନିର୍ବାଚନ ତାରିଖ ଯେତେ ପାଖଉଛି, ସେତେ ପରିମାଣରେ ପାଟକୁରା ଉଠୁଛି ପଡୁଛି । ତେବେ ପଦ୍ମ ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ବୟାନ ଏହି ପାଟକୁରା ରାଜନୀତିକୁ ଅଧିକ ଗୋଳିଆ କରିଦେଇଛି । କାରଣ ଅରୁଣ କହିଛନ୍ତି କି, ବିଜେଡିର କିଛି ନେତା ଚାହୁଁଛନ୍ତି, ପାଟକୁରାରେ ବିଜେପି ପ୍ରାର୍ଥୀ ଜିତନ୍ତୁ ଏବଂ ବିଜୟ ମହାପାତ୍ର ବିଧାନସଭା ଯାଆନ୍ତୁ । ତେବେ ବିଜେପି ପ୍ରଭାରୀ ଅରୁଣ ସିଂହଙ୍କ ଏହି ପ୍ରତିକ୍ରିୟାକୁ ନେଇ ଆରମ୍ଭ ହୋଇଛି ବୟାନବାଜି ।

ବିଜେପି ପ୍ରଭାରୀଙ୍କ ଏହି ବୟାନ ଏବେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି । ପାଟକୁରା ଠାରେ ଆୟୋଜିତ ଏକ ନିର୍ବାଚନୀ ସଭା ପରେ ଅରୁଣ ସିଂହ ଗଣମାଧ୍ୟମକୁ କହିଛନ୍ତି, ବିଜେଡିର କିଛି ନେତା ଚାହୁଁଛନ୍ତି , ପାଟକୁରାରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ବିଜୟ ହୁଅନ୍ତୁ । ଯଦି ଏପରି ହୋଇଥାଏ ତେବେ ଏହା ଏକ ରାଜନୈତିକ ମୁଦ୍ଦା ବନିବ ଏବଂ ଭବିଷ୍ୟତରେ ବିଜେପିକୁ ସହାୟକ ହେବ ବୋଲି କହିଛି ବିଜେପି ।

ସେପଟେ କଂଗ୍ରେସ ମଧ୍ୟ ଉଭୟ ବିଜେପି ଓ ବିଜେଡିକୁ ନିଶାନା କରିଛି । ଆଉ କଂଗ୍ରେସର କହିବା ହେଲା, ବିଜେପିର କିଛି ନେତା ଓ କର୍ମୀ ଚାହୁଁଛନ୍ତି ବିଜେଡି ଜିତୁ ଏବଂ ବିଜେଡି ବିଦ୍ରୋହୀ ଚାହୁଁଛନ୍ତି ବିଜେପି ପ୍ରାର୍ଥୀ ଜିତନ୍ତୁ । ସେପଟେ ବିଜେଡି କହିଛି, ପାଟକୁରାରେ ଏକପାଖିଆ ନିର୍ବାଚନ ହେବ ଏବଂ ବିଜେଡି ବିଜୟୀ ହେବ । ଦଳକୁ ନେଇ କିଏ କ’ଣ ମତ ରଖୁଛି ତାହା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛି ବିଜେଡି । ତେବେ ପାଟକୁରା ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଥିବା ବେଳେ ବିଜେପିର ବୟାନ ପାଟକୁରାର ରାଜନୈତିକ ପାଣିକୁ ଗୋଳିଆ କରିଦେଇଛି ।