ନେତାଜୀ ସୁଭାଷ ବୋଷଙ୍କୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ଜୋରଦାର । କେନ୍ଦ୍ରର ନିଷ୍ପତ୍ତି ବିପରୀତ, ମମତା ପାଳୁଛନ୍ତି ଦେଶନାୟକ ଦିବସ ।

114

କନକ ବ୍ୟୁରୋ : ପଶ୍ଚିମବଙ୍ଗ ରାଜନୀତିରେ ନେତାଜୀ । ସୁବାସ ବୋଷଙ୍କ ଜନ୍ମ ଜୟନ୍ତୀକୁ ନେଇ  ପଶ୍ଚିମବଙ୍ଗରେ ଜୋର ଧରିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର । ନେତାଜୀ ଜୟନ୍ତୀକୁ କେନ୍ଦ୍ର ପରାକ୍ରମ ଦିବସ ଭାବେ ପାଳନ କରୁଛି । ପରାକ୍ରମ ଦିବସରେ ପ୍ରଧାନମନ୍ତ୍ରୀ କୋଲକାତା ଯାଇ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ନ୍ୟାସନାଲ ଲାଇବ୍ରେରୀରେ ମୋଦି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

ଏହାପରେ ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ସାମିଲ ହୋଇଛନ୍ତି । ମୋଦିଙ୍କ କାର୍ଯ୍ୟକ୍ରମରେ ମମତା ବାନାର୍ଜୀ ମଧ୍ୟ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମୋଦୀ ନେତାଜୀଙ୍କୁ ମନେ ପକାଇଛନ୍ତି । ଏବଂ ତାଙ୍କୁ ସ୍ମରଣ କଲେ ଅଧିକ ଶକ୍ତି ମିଳିଯାଏ ବୋଲି କହିଛନ୍ତି ମୋଦୀ ।

ସେପଟେ ପଶ୍ଚିମବଙ୍ଗରେ ଦେଶନାୟକ ଦିବସ ପାଳନ କରୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ନେତାଜୀ ଜୟନ୍ତୀ ଅବସରରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ପଦଯାତ୍ରା କରିଛନ୍ତି । ଟିଏମସି କର୍ମକର୍ତାଙ୍କ ସହ ଶଂଖନାଦ କରି ରୋଡ଼ ସୋର ଶୁଭାରମ୍ଭ କରିଥିଲେ ମମତା ।

କୋଲକାତାର ଶ୍ୟାମ ବଜାରରୁ ରେଡ ରୋଡ ଯାଏଁ ମମତା ବାନାର୍ଜି, କର୍ମୀଙ୍କ ସହ ଚାଲି ଚାଲି ଯାଇଥିଲେ । ଟିଏମସିର ପଦଯାତ୍ରା ସମୟରେ କୋଲକାତାର ରାଜରାସ୍ତାରେ ଜନସମୁଦ୍ର ଦେଖିବାକୁ ମିଳିଛି । ହଜାର ହଜାର ଲୋକଙ୍କ ଗହଣରେ ଦିଦି ପଦଯାତ୍ରା କରି ବିଜେପିକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ରାଲିକୁ ସମ୍ବୋଧନ କରି ମମତା କହିଛନ୍ତି ଦେଶରେ ୪ଟି ରାଜଧାନୀ ହେବା ଦରକାର ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀରେ ରାଜନୀତି ସରଗରମ ହୋଇଛି । ସାରା ଦେଶରେ ବିଜେପି ପରାକ୍ରମ ଦିବସ ପାଳନ କରୁଥିବା ବେଳେ ପଶ୍ଚିମବଙ୍ଗରେ ଟିଏମସି ପାଳନ କରୁଛି ଦେଶନାୟକ ଦିବସ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏହା ପୂର୍ବରୁ ମମତା ପଦଯାତ୍ରା କରି ରାଜ୍ୟରେ ଧିରେ ଧିରେ ବଳ ଗୋଟାଇ ଶକ୍ତିଶାଳୀ ହେଉଥିବା ବିଜେପିକୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।