ରେଳ ଦୁର୍ଘଟଣାକୁ ନେଇ ତେଜୁଛି ରାଜନୀତି। ବିଦେଶରୁ ବିଜେପିକୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

ରେଳ ଦୁର୍ଘଟଣାକୁ ନେଇ ତେଜୁଛି ରାଜନୀତି। ବିଦେଶରୁ ବିଜେପିକୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ହୋଇପଡିଛି । ଦୁର୍ଘଟଣାକୁ ନେଇ ବିଜେପିକୁ ବିରୋଧୀ ଦୋଷାରୋପ କରୁଥିବା ବେଳେ ବିଦେଶରୁ ବିଜେପିରୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆମେରିକାର ନ୍ୟୁୟର୍କରେ ଭାରତୀୟ ବଂଶୋଦ୍ଭବକୁ ଉଦବୋଧନ ଦେଇ ରାହୁଲ  କହିଛନ୍ତି, କଂଗ୍ରେସ ସରକାର ବେଳେ ଟ୍ରେନ ଦୁର୍ଘଟଣା ହେଲେ ମନ୍ତ୍ରୀମାନେ ଉତ୍ତରଦାୟିତ୍ୱ ନେଉଥିଲେ ଏବଂ ଇସ୍ତଫା ଦେଉଥିଲେ । ଏବେ କିନ୍ତୁ ଉତ୍ତରଦାୟିତ୍ୱ କେହି ନେଉ ନାହାନ୍ତି । କଂଗ୍ରେସ କେବେ ଟ୍ରେନ ଦୁର୍ଘଟଣାକୁ ନେଇ ବ୍ରିଟିଶ ସରକାରକୁ ଦାୟୀ କରେନି । କିନ୍ତୁ ଏବେର ଶାସକ ଦଳର ନେତା ଭୁଲକୁ ସ୍ୱୀକାର ନକରି ଅନ୍ୟ ଉପରେ ଦୋଷ ଲଦିବା ପାଇଁ ଚେଷ୍ଟା କରୁଛନ୍ତି  । ଏଥିସହ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି ରାହୁଲ ।

ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ସରକାର ଦେଇଥିବା ତଥ୍ୟଠୁ ବହୁ ଅଧିକ ବୋଲି ସାଧାରଣରେ ଦାବି ଉଠୁଥିବା ବେଳେ ଏହାକୁ ଖୋରାକ ଯୋଗାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି,  ଦୁର୍ଘଟଣାର ସତ ଲୁଚାଯାଉଛି ।  କେବଳ ପଶ୍ଚିମବଙ୍ଗରେ ଦୁଇ ଶହ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏବେବି ପଶ୍ଚମବଙ୍ଗର ୧୮୨ ଲୋକଙ୍କ ପତ୍ତା ମିଳୁନାହିଁ । ମମତା ଆହୁରି କହିଛନ୍ତି, ଦୁର୍ଘଟଣା ଦିନ ଇଣ୍ଟରଲକିଂ ସିଷ୍ଟମରେ ତୃଟି ଯୋଗୁ ଦୁର୍ଘଟଣା ହୋଇଥିବା ସେ କହିଥିଲେ । କିନ୍ତୁ ସେତେବେଳେ ରେଳ ମନ୍ତ୍ରୀ କିଛି କହିନଥିଲେ । ତେଣୁ କଟାକ୍ଷ କରି ‘ଡାଲ ମେ କୁଛ କାଲା ହେ’କହିଛନ୍ତି ମମତା । ବିରୋଧୀଙ୍କ ଏଭଳି ଅଭିଯୋଗ ଉପରେ ଜବାବ ଦେଇଛି ବିଜେପି ।

ଏପଟେ ମମତା ବାନାର୍ଜୀ, ଲାଲୁ ପ୍ରସାଦ ଯାଦବ, ନୀତୀଶ କୁମାର ରେଳମନ୍ତ୍ରୀ ଥିବା ବେଳେ ଟ୍ରେନ୍ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟାର ତାଲିକା ଦେଇଛି ବିଜେପି । ମମତାଙ୍କ ସମୟରେ ୫୪ ଦୁର୍ଘଟଣାରେ ୧୪୫୧, ନୀତୀଶଙ୍କ ସମୟରେ ୭୯ ଦୁର୍ଘଟଣାରେ ୧୫୨୭, ଲାଲୁଙ୍କ ସମୟରେ ୫୧ ଦୁର୍ଘଟଣାରେ ୧୧୫୯ ଜଣଙ୍କର ମୃତ୍ୟୁ ହୋଇଥିବା କହିଛି ବିଜେପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe