କନକ ବ୍ୟୁରୋ: କୋଟିଆକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତକୁ ନେଇ ବିବାଦ ତେଜିବାରେ ଲାଗିଛି । ବିଜେଡି ଧର୍ମେନ୍ଦ୍ରଙ୍କ ଗସ୍ତକୁ ରାଜନୈତିକ ଗସ୍ତ କହିବା ପରେ, ସମାଲୋଚନା କରିଛି ବିଜେପି । ପ୍ରେସମିଟ୍ କରି ଏକାଥରକେ ଭାରତୀୟ ଜନତା ପାର୍ଟିର ୪ଜଣ ବିଧାୟକ ଶାସକ ଦଳକୁ ଘେରିଛନ୍ତି ।

Advertisment
  • କୋଟିଆ ପ୍ରସଙ୍ଗରେ ତେଜୁଛି ରାଜନୀତି
  • ବିଜେଡି ବିଜେପି ବୟାନବାଜି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଯାଇ ଉତ୍କଳ ଦିବସ ପାଳନ କରିବା ଓ ଆନ୍ଧ୍ର ଅଧିକାରୀଙ୍କୁ କୋଟିଆରୁ ଘଉଡାଇବାକୁ ନେଇ ତେଜିଛି ରାଜନୀତି । ଧର୍ମେନ୍ଦ୍ରଙ୍କ କୋଟିଆ ଗସ୍ତ ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ବିଜେଡି ଓ କଂଗ୍ରେସ ଅଭିଯୋଗ କରିବା ପରେ ଜବାବ ରଖିଛି ବିଜେପି । ଭାରତୀୟ ଜନତା ପାର୍ଟିର ୪ ବିଧାୟକ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି, ଶାସକ ଦଳ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ବିଜେପି ବିଧାୟକ ଅଭିଯୋଗ କରି କହିଛନ୍ତି, ବିଜେଡି ନେତାମାନେ ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ । ବିଜେଡି ସ୍ୱାଗତ କରିବା ପରିବର୍ତ୍ତେ ବିରୋଧ କରିବା ରାଜନୈତିକ ଅସହିଷ୍ଣୁତା । ଓଡିଶା ସରକାରଙ୍କୁ ଅବହେଳା ଯୋଗୁଁ ଆନ୍ଧ୍ର ଦାଦାଗିରି କରୁଛି । ଆଉ ଏବେ ଆନ୍ଧ୍ର ଭାଷା କହୁଛି ବିଜେଡି ।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଓଡିଶା ଆସିବା ଓ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ନଯିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ତେବେ ବିଜେପି ଅଭିଯୋଗ ଆଣିବା ପରେ ଜବାବ ରଖିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ । କହିଛନ୍ତି, ବିଜେପି ଗାଡି ଯେଉଁ ରାସ୍ତାରେ କୋଟିଆ ଯାଇଥିଲା,ସେ ରାସ୍ତା ଓଡି଼ଶା ସରକାର କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଓଡିଶା ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ କେନ୍ଦ୍ର ସରକାର ଡାକନ୍ତୁ । କେନ୍ଦ୍ର ସରକାର ହସ୍ତକ୍ଷେପ କରି ସୀମା ନିର୍ଦ୍ଧାରଣ କରନ୍ତୁ ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତକୁ ବିରୋଧ କରି ଏକାଠି ହୋଇଛନ୍ତି ଆନ୍ଧ୍ରର ରାଜନୈତିକ ଦଳ । ଗୋଟିଏ ସ୍ୱରରେ କହିଛନ୍ତି, ସୁପ୍ରିମକୋର୍ଟ କୋଟିଆରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଦେଇଥିବା ରାୟକୁ ସମ୍ମାନ ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ । କିନ୍ତୁ ବିଡମ୍ବନାର ବିଷୟ କୋଟିଆ ପ୍ରସଙ୍ଗରେ ଓଡିଶାର ରାଜନୈତିକ ଦଳଙ୍କ ମଧ୍ୟରେ ଲାଗି ରହିଛି ମତଭେଦ ।