କୁଳମଣି ବରାଳଙ୍କ ହତ୍ୟା ମାମଲାକୁ ନେଇ ତେଜିଲା ରାଜନୀତି: ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ୫ଟି ଟିମର ତନାଘନା; ଆଇନମନ୍ତ୍ରୀ କହିଲେ, ରାଜନୈତିକ ରୂପ ଦେବାକୁ ଚାହୁୁଁଛନ୍ତି ବିରୋଧୀ

ଏପଟେ ୪୮ ଘଂଟା ଭିତରେ ଅପରାଧୀ ଗିରଫ ନହେଲେ ଗଳିକନ୍ଦିରେ ଆନ୍ଦୋଳନ ପାଇଁ ବିଜେପିର ଧମକ

180

କନକ ବ୍ୟୁରୋ: ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୂଳମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା ଘଟଣାରେ ଏଯାଏ ଅଭିଯୁକ୍ତକୁ ଗିରଫ କରାଯାଇନି । ଏନେଇ ରାଜନୀତି ଜୋର ଧରିଛି । ଯଦି ୪୮ ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସରକାର ବିଫଳ ହୁଅନ୍ତି, ତେବେ ବିଜେପି ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ କରିବ । କୌଣସି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ଉତ୍ସବ ଓ ଜନାସମାଗମରେ ଉପସ୍ଥିତ ରହିବା ପାଇଁ ବିଜେପି ଦେବନାହିଁ ବୋଲି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଟୁଇଟ କରି କହିଛନ୍ତି ।

ତେବେ ମାହାଙ୍ଗା ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀଙ୍କ ନାଁରେ ଏତଲା ପ୍ରସଙ୍ଗରେ ସେ ପ୍ରତିକ୍ରିୟା ରଖିଛନ୍ତି  । ପ୍ରତାପ ଜେନା କହିଛନ୍ତି ଯେତେବେଳେ ଓଡ଼ିଶାରେ କିଛି ଘଟଣା ଘଟୁଛି ଦୋଷୀ ଗିରଫ ହେଉ ଓ ଦଣ୍ଡ ପାଉ ବୋଲି ସମସ୍ତ ଲକ୍ଷ ରଖିବା ଉଚିତ । କିନ୍ତୁ ବିରୋଧୀ ରାଜନୈତିକ ଦଳମାନେ ଏକଥା ଚାହୁଁଛନ୍ତି କି ନାହିଁ ତାହା ବଡ଼ ପ୍ରଶ୍ନବାଚୀ । ଏହି ଘଟଣାକୁ ରାଜନୈତିକ ରୁପ ଦେବାକୁ ବିରୋଧୀ ଚାହୁଁଥିବା କହିଛନ୍ତି ପ୍ରତାପ ଜେନା ।

ସେପଟେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜିଠାରୁ କଟକର ପ୍ରତି ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବେ ବିଜେପି କର୍ମୀ । ଗତକାଲି ବିଜେପି ନେତା କୁଳମଣି ବରାଳଙ୍କ ମୃତ ଶରୀରର ଶୋଭାଯାତ୍ରା କରିଥିଲା ବିଜେପି । ଦଳ ଅଭିଯୋଗ କରିଛି ଓଡିଶାରେ ମଧ୍ୟ ପଶ୍ଚିମବଙ୍ଗ ଭଳି ରାଜନୈତିକ ହିଂସାକାଣ୍ଡ ଆରମ୍ଭ ହୋଇଯାଇଛି । ବହୁ ସଂଖ୍ୟାରେ ବିଜେପିର ନେତା ଓ କର୍ମୀ ମାହାଙ୍ଗାରେ ଏକାଠି ହୋଇ ୭ ଦିନ ମଧ୍ୟରେ ଦୋଷୀକୁ ଧରିବା ପାଇଁ ପୋଲିସକୁ ସମୟ ଦେଇଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କଟକ ଗ୍ରାମାଂଚଳ ଏସପିଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, କୂଳମଣିଙ୍କୁ ହତ୍ୟା ଘଟଣାକୁ ସେ ନିନ୍ଦା କରୁଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ତାଙ୍କ ବିରୋଧରେ ଅଭିଯୋଗ ଆଣୁଛି ବୋଲି ସେ କହିଛନ୍ତି । ସେପଟେ କୂଳମଣିକୁ କିଏ ମାରିଲା ସେ ନେଇ ପ୍ରତିକ୍ରିୟା ରଖି ତାଙ୍କ ପୁଅ କହିଛନ୍ତି, ମୃତ୍ୟୁ ପୂର୍ବରୁ କୂଳମଣି କେତେଜଣଙ୍କ ନାଁ ନେଇଥିଲେ ।