ନିର୍ବାଚନ ତାରିଖ ଘୋଷଣା ହେବା ପରେ ପଶ୍ଚିମବଙ୍ଗରେ ରାଜନୀତିର ରକ୍ତ ଚରିତ୍ର । ରାଜ୍ୟରେ ବଢୁଛି ହିଂସା । ମୁହାଁମୁହିଁ ବିଜେପି ଓ ଟିଏମସି ।

142

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଆରମ୍ଭ ହୋଇଯାଇଛି ରାଜନୀତିର ରକ୍ତ ଚରିତ୍ର । ରାଜ୍ୟରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ତୃଣମୂଳ କଂଗ୍ରେସ । ମମତାଙ୍କ ଗଡରେ ଧସେଇ ପଶିବାକୁ ସବୁ ପ୍ରକାର ପ୍ରୟାସ ଚଳାଇଛି ବିଜେପି । ସେପଟେ ନିଜ ଗଡ ବଂଚାଇବାକୁ ସବୁ ବଳ ଲଗାଇଦେଇଛି ମମତାଙ୍କ ଦଳ । ନିର୍ବାଚନ ତାରିଖ ପାଖେଇ ଆସିବା ସହ ପଶ୍ଚିମବଙ୍ଗରେ ହିଂସା ବୃଦ୍ଧି ପାଇବାରେ ଲାଗିଛି । ପ୍ରଚାର ପାଇଁ ରଖାଯାଇଥିବା ବିଜେପିର ଭ୍ୟାନକୁ ଭଙ୍ଗାରୁଜା କରିଛନ୍ତି । ବିଜେପି ଏହି ଭଙ୍ଗାଗାଡି ଗୁଡିକର ଭିଡିଓକୁ ସୋସିଆଲ ମିଡିଆରେ ଜାରି କରିବା ସହ ଟିଏମସି ଉପରେ ଅଭିଯୋଗ ଆଣିଛି । ଗୋଦାମ ଘରେ ରଖାଯାଇଥିବା ଏହି ଭ୍ୟାନ ଗୁଡିକୁ ଟିଏମସି ଗୁଣ୍ଡା ଭଙ୍ଗାରୁଜା କରିଥିବା କହିଛି ବିଜେପି । ଏପରିକି ଏନେଇ ବିଜେପି ଟିଏମସି ନାଁରେ ଥାନାରେ ଅଭିଯୋଗ କରିଛି ।

ପଶ୍ଚିମବଙ୍ଗ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାପରେ ରାଜ୍ୟ ରାଜନୀତି ଉଗ୍ର ରୂପ ଧାରଣ କରିଛି । ବେଶ କିଛି ଦିନ ହେଲା ବିଜେପି ଓ ଟିଏମସି କର୍ମୀ ମୁହାଁମୁର୍ହେ ହେଉଥିବା ବେଳେ ଆଗକୁ ଏହା ଅଧିକ ଉଗ୍ର ହେବାର ଆକଳନ କରାଯାଉଛି । ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣାରେ ବିଜେପି କାର୍ଯ୍ୟାଳୟରେ ପଶି ଟିଏମସି କର୍ମୀ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ପୋଲିସ ପହଂଚି ମାମଲାର ଛାନଭିନ ଚଳାଇଛି । ବିଜେପି କର୍ମୀମାନେ ଯେଭଳି ପ୍ରତିକ୍ରିୟାଶୀଳ ହୋଇ କୌଣସି ଅଘଟଣ ନକରନ୍ତି, ସେଥିପାଇଁ ସତର୍କ ଦୃଷ୍ଟି ରଖାଯାଇଛି । ହେଲେ ପଶ୍ଚିମବଙ୍ଗରେ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି ଓ ଟିଏମସି ମଧ୍ୟରେ ଏହିଭଳି ହିଂସା ଓ ରକ୍ତପାତ ବଢିବାରେ ଲାଗିଛି ।

ସବୁଠାରୁ ବଡ କଥା ହେଉଛି, ପଶ୍ଚିମବଙ୍ଗର ଏହି ଲଢ଼େଇ, ବହୁ ତୁଙ୍ଗ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ପଶ୍ଚିମବଙ୍ଗ ଦେଇ ଓଡିଶା ଉପରେ ନଜର ରଖିଥିବା ବିଜେପି ପାଇଁ ଏହି ନିର୍ବାଚନ ଯେତିକି ଗୁରୁତ୍ୱପୂର୍ଣ୍ଣ, ନିଜର ଗଡ ରକ୍ଷା କରିବା ମମତାଙ୍କ ପାଇଁ ସେତିକି ବଡ ଆହ୍ୱାନ । ଯଦି ବିଜେପି ପଶ୍ଚିମବଙ୍ଗ ଦଖଲ କରିବ ତେବେ ଓଡିଶା ଆଡକୁ ଏହାର ନଜର ଆହୁରି ଜୋରଦାର ହେବ । ଏଥର ପଶ୍ଚିମବଙ୍ଗରେ ବିଜେପି ଯେତିକି ଜୋର ଲଗାଇଛି, ତାହାର କଣ ପରିଣାମ ଆସୁଛି, ସେଥିରୁ ଦେଶ ତଥା ଆଂଚଳିକ ରାଜନୀତିର ଭବିଷ୍ୟତ ନିର୍ଦ୍ଧାରଣ ହେବ ବୋଲି କୁହାଯାଇ ପାରିବ ।