ପାଖେଇ ଆସୁଛି ନିର୍ବାଚନ: ଜୋର ହେଉଛି ପ୍ରଚାର, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ପ୍ରାର୍ଥୀ ପତ୍ର ଦାଖଲ କଲେ ଯୋଗୀ ଆଦିତ୍ୟନାଥ 

106

କନକ ବ୍ୟୁରୋ: ୟୁପିରେ ଆସନ୍ତା ୧୦ ତାରିଖରେ ଆରମ୍ଭ ହେବ ବଧାନସଭା ନିର୍ବାଚନ । ଯାହାକୁ ନେଇ ରାଜନୈତିକ ଦଳ ଗୁଡିକ ଜୋର ସୋର ପସ୍ତୁତି କରୁଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖରପୁର ଆସନରୁ ନାମାଙ୍କନ ଦାଖଲ କରିଛନ୍ତି । ସେପଟେ କୋଭିଡ ନିୟମ ଉଲଂଘନ କରିବା ଅଭିଯୋଗରେ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ୪୦୦ ଜଣଙ୍କ ନାରେ ମାମଲା ରୁଜୁ ହୋଇଛି ।

ଉତରପ୍ରଦେଶରେ ପାଖେଇ ଆସୁଛି ବିଧାନସଭା ନିର୍ବାଚନ । ଯାହାକୁ ନେଇ ଜୋର ସୋର ପ୍ରସ୍ତୁତି ଚଳାଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ହେଭିୱେଟ ନେତାମାନେ ଘରକୁ ଘର ବୁଲି କରୁଛନ୍ତି ପ୍ରଚାର । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଗୋରଖପୁର ଆସନରୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହାଙ୍କୁ ସାଥିରେ ନେଇ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଯୋଗୀ । ଏହାପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ସେପଟେ ନିର୍ବାଚନ ପ୍ରଚାର ପାଇଁ କୋଭିଡ ନିୟମ ଉଲଂଘନ କରିବା ଅଭିଯୋଗରେ ଅଖିଳେଶ ଯାଦବଙ୍କ ସମେତ ୪୦୦ ଜଣଙ୍କ ନାରେ ମାମଲା ରୁଜୁ ହୋଇଛି ।

ୟୁପିରେ ଆସନ୍ତା ଫେବୃଆରୀ ୧୦ ରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏହା ପୁର୍ବରୁ ରାଜ୍ୟରେ ଜୋରସୋର ନିର୍ବାଚନୀ ପ୍ରଚାର ଲାଗି ରହିଛି । ଏହାରି ଭିତରେ ହିଂସା ମଧ୍ୟ ଦେଖିବାକୁ ମିଳିଲାଣି । ଗୁରୁବାର ପ୍ରଚାର ସମୟରେ ମନ୍ତ୍ରୀ ସିଦ୍ଦାର୍ଥ ନାଥ ସିଂହଙ୍କ ଉପେର ଆକ୍ରମଣ ଉଦ୍ୟମ ହୋଇଛି । ପ୍ରଚାର ଚାଲିଥିବା ବେଳେ ଜଣେ ଯୁବକ ଅଚାନକ ତାଙ୍କ ପାଖକୁ  ଯାଇ ଆଟାକ କରିବାକୁ ପ୍ରୟାସ କରିଛି ।

ସେହିପରି  ପ୍ରଚାର ସାରି ଫେରୁଥିବା ସମୟରେ ଦିଲ୍ଲୀ- ମିରଟ ରୋଡରେ ଏଆଇଏମଆଇଏମ ମୁଖ୍ୟ ଅଶଦୁଦ୍ଧିନ ଓୱେଶିଙ୍କ ଗାଡିକୁ ମଧ୍ୟ ୪ ରାଉଣ୍ଡ ଗୁଳିମାଡ ହୋଇଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ । ସେପଟେ ଘଟଣାକୁ ନେଇ ଲୋକସଭା ବାଚସ୍ପତିଙ୍କୁ ଭେଟିଛନ୍ତି ଅଶଦୁଦ୍ଧିନ ଓୱେଶି । ୟୁପିରେ ନିବାର୍ଚନ ତାରିଖ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ମଧ୍ୟ ସେତେ ସରଗରମ ହେବାରେ ଲାଗିଛି ।