ସମ୍ବଲପୁରରେ ହୋଇପାରେ ବଡ ରାଜନୈତିକ ଲଢ଼େଇ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ଦାସଙ୍କ ଗସ୍ତକୁ ନେଇ ବଢ଼ିଲା ଚର୍ଚ୍ଚା । ପୂର୍ବରୁ ସଂଗଠନ ଚଳାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

199

କନକ ବ୍ୟୁରୋ: ଆସୁଛି ଲୋକସଭା ନିର୍ବାଚନ । ମଝିରେ ଆଉ ମାତ୍ର ଦୁଇ ମାସ । ନିର୍ବାଚନ ପାଖେଇ ଆସୁଥିବାରୁ କେଉଁ ନିର୍ବାଚନ ମଣ୍ଡଳୀରୁ କିଏ ପ୍ରାର୍ଥୀ ହେବେ, ସେ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିିଛି । ଏଭଳି ସମୟରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ, ସମ୍ବଲପୁର ଗସ୍ତ ସୂଚୀ ରାଜନୈତିକ ଉଷ୍ଣତାକୁ ବଢ଼ାଇ ଦେଇଛି । ସମ୍ବଲପୁର ଲୋକସଭା କ୍ଷେତ୍ରରୁ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇନାହିଁ । ହେଲେ, ଏଥର ବଡ ଲଢ଼େଇ ହେବ ବୋଲି ଆଲୋଚନା ହେଉଛି । କାରଣ ସମ୍ବଲପୁରରୁ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିବାବେଳେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଗସ୍ତ ସୂଚୀ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ଗତ କିଛି ଦିନ ହେଲାଣି ସମ୍ବଲପୁରକୁ ବାରମ୍ବାର ଗସ୍ତ କରୁଥିବା, ୫ରୁ ମାରାଥନ ଗସ୍ତ ସୂଚୀ ରଖିଛନ୍ତି ପ୍ରଣବ । ୫ରେ ଦେବଗଡ, କୁଚିଣ୍ଡା ଓ ରେଙ୍ଗାଲି ବିଧାନସଭା କ୍ଷେତ୍ରରେ ୨ଟି, ସମ୍ବଲପୁର ବିଧାନସଭା କ୍ଷେତ୍ରରେ ଗୋଟିଏ, ୬ତାରିଖରେ ପୁଣି ରେଢ଼ାଖୋଲ, ରେଂଗାଲି ବିଧାନସଭା କ୍ଷେତ୍ରରେ ଗୋଟିଏ ଲେଖାଏଁ ଏବଂ କୁଚିଣ୍ଡା ବିଧାନସଭା କ୍ଷେତ୍ରରେ ୩ଟି ଜାଗାରେ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଭେଟିବା କାର୍ଯ୍ୟକ୍ରମ ରଖିଛନ୍ତି । ୧୦ତାରିଖ ରେ ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ୪ଟି ଏବଂ ଦେବଗଡ ବିଧାନସଭା କ୍ଷେତ୍ରରେ ଗୋଟିଏ ଏବଂ ୧୧ତାରିଖରେ ଦେବଗଡ ବିଧାନସଭା କ୍ଷେତ୍ରରେ ୫ଟି କାର୍ଯ୍ୟକ୍ରମ ରହିଛି । ତେବେ ବେଶ୍ କିଛି ଦିନ ହେଲା ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ସକ୍ରିୟ ଥିବାରୁ ଓ ସଂଗଠନକୁ ଦୃଢ଼ କରୁଥିବାରୁ, ଆଗାମି ନିର୍ବାଚନରେ ଏହି ଆସନରେ ବଡ ଲଢ଼େଇ ହେବ ବୋଲି କୁହାଯାଉଛି ।