ନୂଆ କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ଶ୍ରେୟ ପାଇଁ ଟଣାଓଟରା । ଚାଷୀଙ୍କ ପାଇଁ ଦରଦ ଦେଖାଇବାକୁ ବୟାନବାଜି ।

140

କନକ ବ୍ୟୁରୋ : ତିନି କୃଷି ଆଇନ ପ୍ରତ୍ୟାହାର ନେଇ ମୋଦିଙ୍କ ଘୋଷଣା ପରେ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି । କୃଷି ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ଚାଷୀ ସଂଗଠନ ସହ ମିଶି ଖୁସି ମନାଉଥିବାବେଳେ ବିଜେଡି ମନେ ପକାଇଦେଇଛି କେମିତି ଆଇନ ଆସିବାବେଳେ ବିରୋଧ କରିଥିଲା ବିଜେଡି । ଆଉ ବିଜେପି କହିଛି, ରାଜ୍ୟରେ ଧାନର ଅଭାବୀ ବିକ୍ରିକୁ ରୋକନ୍ତୁ ସରକାର ।

କୃଷି ଆଇନ ପ୍ରତ୍ୟାହାରକୁ ନେଇ ଶ୍ରେୟ ରାଜନୀତି । ଚାଷୀଙ୍କ ପାଇଁ ଦରଦ ଦେଖାଇବାକୁ ବୟାନବାଜି । ଅତି ଅପ୍ରତ୍ୟାଶିତ ଭାବେ ତିନି କୃଷି ଆଇନକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାହାର କରି ନେବା ପାଇଁ ଘୋଷଣା କରିବା ପରେ ଜୋର ଧରିଛି ଶ୍ରେୟ ରାଜନୀତି । ଆରମ୍ଭରୁ କଂଗ୍ରେସ ସରକାରଙ୍କ ଏହି ନିଷ୍ପତିରେ ଖୁସି ମନାଇଥିବାବେଳେ ବିଜେଡି ମଧ୍ୟ ପଛରେ ପଡି ନାହିଁ । କୃଷି ଆଇନକୁ କିଭଳି ସଂସଦରେ ବିଜେଡି ବିରୋଧ କରିଥିଲା, ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କରିଥିଲା ତାହା ମନେ ପକାଇ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏଥିସହ ରାଜ୍ୟ ସରକାର ଯେଉଁ ଦୁଇଟି ଆଇନ ଆଣିଥିଲେ ତାହା ଲାପସ କରି ଯାଇଥିବା ସୂଚନା ଦେଇଛନ୍ତି ।

ବିଜେଡିର ଏଭଳି ଦାବିକୁ ଗ୍ରହଣ କରିପାରିନି କଂଗ୍ରେସ । ଷ୍ଟାଲିନ ଓ ମମତା ଯେମିତି ବିରୋଧ କରିଥିଲେ ସେମିତି ନକରି ବିଜେଡି କେବଳ ରାଜ୍ୟସଭାରେ ବିରୋଧ କରିଥିଲା ବୋଲି କହିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ବିଜେପି କହିଛି ରାଜ୍ୟରେ ଯେମିତି ଦରଦାମ ବଢ଼ୁଛି ତାକୁ ନିୟନ୍ତ୍ରଣ କରନ୍ତୁ ରାଜ୍ୟ ସରକାର । ଧାନ ଅଭାବି ବିକ୍ରି ହେଉଛି, ସେ କଥାରେ ମୁଣ୍ଡ ଖେଳାନ୍ତୁ ମନ୍ତ୍ରୀ । ସେପଟେ ସଂସଦରେ ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବୈଠକ ପରେ ପୁଣି ଦୋହରାଇଛନ୍ତି ଚାଷୀ ସଂଗଠନ । ଏମଏସପିକୁ ଆଇନରେ ପରିଣତ କରିବାକୁ ଦାବି କରି ଆସୁଛନ୍ତି ଚାଷୀ ।