ମୁମ୍ବାଇ ଡ୍ରଗ୍ସ କାଣ୍ଡରେ ଜୋର ଧରିଲା ରାଜନୀତି: ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଏନସିପି ନେତା ନୱାବ ମଲ୍ଲିକ 

87

କନକ ବ୍ୟୁରୋ: ମୁମ୍ବାଇ ଡ୍ରଗ୍ସ ମାମଲାରେ ଦିନକୁ ଦିନ ନୂଆ ମୋଡ ସାମ୍ନାକୁ ଆସୁଛି । ବିବାଦକୁ ନେଇ ଏବେ ମହାରାଷ୍ଟ୍ରରେ ରାଜନୀତି ତେଜିବାରେ ଲାଗିଲାଣି । ଘଟଣାକୁ ନେଇ ଏବେ ଏନସିପି ନେତା ନୱାବ ମଲ୍ଲିକ ଓ ବିଜେପି ନେତା ଦେବେନ୍ଦ୍ର ଫଡନବିସ ହୋଇଛନ୍ତି ମୁହାଁମୁହିଁ ।

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କାଣ୍ଡରେ ଦିନକୁ ଦିନ ତେଜିବାରେ ଲାଗିଛି ରାଜନୀତି । ଘଟଣାକୁ ନେଇ ଏବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଦନବିସ୍ଙ୍କୁ ଟାର୍ଗେଟ କରିଛନ୍ତି ଏନସିପି ନେତା ନୱାବ ମଲ୍ଲିକ । ସୋମବାର ସକାଳୁ ଟ୍ୱିଟ୍ କରି ଦେବେନ୍ଦ୍ର ଫଡନାବିସ୍ ଓ ତାଙ୍କ ପତ୍ନୀ ଅମୃତା ଫଡାନବିସ୍ଙ୍କୁ ନେଇ ଚାଂଚଲ୍ୟକର ତଥ୍ୟ ଦେଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ । ଡ୍ରଗ୍ସ ପେଡଲରଙ୍କ ସହ ଦେବେନ୍ଦ୍ର ଫଡନାବିସ୍ଙ୍କ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି ନୱାବ ମଲ୍ଲିକ । ଡ୍ରଗ୍ସ କାରୋବାରରେ ଗିରଫ ହୋଇ ଜେଲ୍ରେ ଥିବା ଜୟଦୀପ ରାଣାଙ୍କ ସହ ଦେବେନ୍ଦ୍ର ଫଡନାବିସ ଓ ତାଙ୍କ ପତ୍ନୀଙ୍କ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି ନୱାବ ମଲ୍ଲିକ । ଏହି ଫଟୋ ସେତବେଳର ଯେତେବେଳେ ଦେବେନ୍ଦ୍ର ଫଡନାବିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ । କେବଳ ସେତିକି ନୁହେଁ ତାଙ୍କ ପତ୍ନୀ ଅମୃତାଙ୍କ ଏକ ମ୍ୟୁଜିକ ଭିଡିଓ ପାଇଁ ଜୟଦୀପ ରାଣା ଫାଇନାନ୍ସର ମଧ୍ୟ ସାଜିଥିବା ଅଭିଯୋଗ କରିଛନ୍ତି ଏନସିପି ନେତା ।

ନୱାବ ମଲ୍ଲିକଙ୍କ ଏହି ଅଭିଯୋଗ ପରେ ଫଡନାବିସ ତାଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି । ତାଙ୍କୁ ଜବାବ ଦେଇ ଫଡନାବିସ କହିଛନ୍ତି ଯେ, ତାଙ୍କ ପତ୍ନୀ ଅମୃତା ଓ ଡ୍ରଗ୍ସ ପେଡଲର ଜୟଦୀପ ରାଣାଙ୍କ ଫଟୋ ୪ ବର୍ଷ ପୂରୁଣା । ଏବେ ଏହି ଫଟୋ କାହିଁକି ମନେ ପଡିଲା ବୋଲି ନୱାବ ମଲ୍ଲିକଙ୍କୁ ପ୍ରଶ୍ନ କରିଛନ୍ତି ଫଡନାବିସ । ଏହାସହ ଏନସିପି ନେତା ନୱାବ ମଲ୍ଲିକଙ୍କ ସମ୍ପର୍କ ଅଣ୍ଡରୱାର୍ଲ୍ଡ ସହ ଥିବା ଅଭିଯୋଗ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ଆଉ ଏହାର ପ୍ରମାଣ ସେ ଦୀପାବଳି ପରେ ଗଣମାଧ୍ୟମ ଆଗରେ ରଖିବେ ବୋଲି କହିଛନ୍ତି ।

ଦୀପାବଳି ପରେ ଏନସିବି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକଙ୍କୁ ଏକ୍ସପୋଜ୍ କରିବେ ବୋଲି କହିଛନ୍ତି ଦେବେନ୍ଦ୍ର ଫଡନାବିସ । ଆଉ ଏଥିପାଇଁ ନୱାବ ମଲ୍ଲିକ ପ୍ରସ୍ତୁତ ଥିବା ଟ୍ୱିଟ୍ କରି କହିଛନ୍ତି । ତେବେ ଡ୍ରଗ୍ସ ମାମଲାରେ ରାଜନୀତି ଆଗକୁ କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।