ରଥ ନିର୍ମାଣ ନେଇ ରାଜନୈତିକ ବୟାନବାଜି । ପରିଚାଳନା କମିଟିର ପ୍ରସ୍ତାବ ପରେ କେନ୍ଦ୍ରର ଅନୁମତି ଲୋଡିଲେ ରାଜ୍ୟ ସରକାର । ପିସିସି ସଭାପତି କହିଲେ, ସସସ୍ତଙ୍କ ସହ ଆଲୋଚନା କରି ନିଷ୍ପତି ନିଅନ୍ତୁ ସରକାର, ବିଜୟଙ୍କ ବୟାନ, ନିଷ୍ପତି ଝୁଲାଇ ରଖିବା ଠିକ ନୁହେଁ ।

330

କନକ ବ୍ୟୁରୋ: ରଥଖଳାକୁ କାଠ ଆସିଗଲାଣି । ବିଶ୍ୱକର୍ମା ବି ରଥ ତିଆରି ପାଇଁ ପ୍ରସ୍ତୁତ ହୋଇଗଲେଣି । ଏପଟେ ତିଥି ବି ଗଡି ଗଲାଣି । କିନ୍ତୁ ଅନିଶ୍ଚିତତା ଘେରି ରହିଛି । ଆଗକୁ କଣ ହେବ ତାର ଉତର କାହା ପାଖରେ ନାହିଁ । ଗତ ୪ ତାରିଖରେ ପରିଚାଳନା କମିଟି ରଥ ନିର୍ମାଣ କାମ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେବା ପରେ ବୁଧବାର କେନ୍ଦ୍ର କୋର୍ଟକୁ ବଲ ଫିଙ୍ଗିଛନ୍ତି ରାଜ୍ୟ ସରକାର । କେନ୍ଦ୍ରକୁ ଚିଠି ଲେଖି ରାଜ୍ୟ ସରକାର ରଥନିର୍ମାଣ ପାଇଁ ଅନୁମତି ଲୋଡିଛନ୍ତି । ଅର୍ଥାତ୍, କେନ୍ଦ୍ର ନିଷ୍ପତି ନେଲେ ଯାଇ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ରଥ ନିର୍ମାଣ କାମ । ତେବେ ରଥ ନିର୍ମାଣ ନିଷ୍ପତି ରାଜ୍ୟ ସରକାରଙ୍କର ଏବଂ ସରକାର ତୁରନ୍ତ ଏଦିଗରେ ନିଷ୍ପତି ନିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ।

ପୁରୀରେ ଅକ୍ଷୟ ତୃତୀୟାରୁ ରଥକାଠ ଅନୁକୂଳ ହୋଇସାରିଛି । ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ବି ସେବେଠାରୁ ଆରମ୍ଭ ହେବା କଥା । ତେବେ ଲକଡାଉନ୍ ପାଇଁ ବିଶ୍ୱକର୍ମା ସେବାୟତ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛନ୍ତି । କଟକଣା ଭିତରେ ରଥ ନିର୍ମାଣ କାମ ଆରମ୍ଭ କରିବାକୁ ବାରମ୍ବାର କହୁଛି ଦଇତାପତି ନିଯୋଗ । ପୁରୀ ଗ୍ରୀନ୍ ଜୋନରେ ଅଛି , ତେଣୁ ରଥ ନିର୍ମାଣରେ କୌଣସି ଅସୁବିଧା ନାହିଁ ବୋଲି ଯୁକ୍ତି ବାଢିଛି ପରିଚାଳନା କମିଟି ।

ପୁରୀର ରଥଯାତ୍ରା ଉପରେ ରହିଛି ସାରା ବିଶ୍ୱର ନଜର । ଦେଶ ବିଦେଶରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି । ତେଣୁ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ରଥଯାତ୍ରା ନେଇ ନିଷ୍ପତି ହେବା ପରେ ହିଁ ଅନ୍ୟ ସ୍ଥାନରେ ରଥଯାତ୍ରା ହେବ କି ନାହିଁ ତାହା ସ୍ପଷ୍ଟ ହେବ । ଗୋଟିଏ ପଟେ ଭକ୍ତ ଓ ଭାବନାର କଥା ଆଉ ଗୋଟିଏ ପଟେ କରୋନା ମହାମାରୀର ଭୟ । ଏସବୁ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସବୁ ଦିଗକୁ ବିଚାର କରି ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି । ନିଷ୍ପତି ଝୁଲାଇ ରଖିବା ନିଶ୍ଚୟ ସବୁଠାରୁ ଭଲ ବିକଳ୍ପ ନୁହେଁ ।