ରାଜନୀତିର ମଞ୍ଚରେ ବାପା ସହ ଲଢୁଛି ଝିଅ । ମାଲକାନଗିରିରେ ବାପା-ଝିଅ ଲଢେଇକୁ ନେଇ ଚର୍ଚ୍ଚା, ବାପା କହିଲେ ଝିଅ କଥାରେ ନାହିଁ ଦମ୍, ଝିଅ କହିଲେ, ନିଭାଉଛନ୍ତି ନିଜ ଧର୍ମ ।

350

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ମାଲକାନଗିରିର ବାକା ପରିବାର । ଗତ ୧୫ ତାରିଖରେ ମାଲକାନଗିରି ଜିଲ୍ଲା ଯୋଜନା ବୈଠକରେ ବିଧାୟକ ବାପା ଓ ଜିଲ୍ଲା ପରିଷଦ ଝିଅଙ୍କ କଳି ପରେ ଏହି ଚର୍ଚ୍ଚା ସୃଷ୍ଟି ହୋଇଛି । କନକ ନ୍ୟୁଜକୁ ମନ୍ତବ୍ୟ ଦେଇ ବାପା ପୂର୍ଣ୍ଣଚନ୍ଦ୍ର ବାକା କହିଛନ୍ତି, ଝିଅ କଥାରେ ଦମ ନାହିଁ । ସେପଟେ ଝିଅ କହିଛନ୍ତି, ସେ ବିଜେପି ନେତ୍ରୀ ହିସାବରେ ନିଜ ଧର୍ମ ନିଭାଉଛନ୍ତି ।

ମଞ୍ଚ ଉପରେ ବିଧାୟକ ବାପା, ଆଉ ମଞ୍ଚ ତଳେ ଝିଅ ଶାନ୍ତିଲତା ମାଝୀଙ୍କ ହୋ ହାଲ୍ଲା । । ଝିଅ ହେଉଛନ୍ତି ବିଜେପି ଜିଲ୍ଲା ପରିଷଦ ସଦସ୍ୟା । ମାଲକାନଗିରି ଜିଲ୍ଲା ଯୋଜନା କମିଟିର ବୈଠକ ଚାଲୁ ଥିବା ବେଳେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା ଓ  ଶାନ୍ତିଲତାଙ୍କ ପାଟିତୁଣ୍ଡର ଚିତ୍ର ଆସିବା ପରେ ଏବେ ପୁଣି ଚର୍ଚ୍ଚାରେ ବାକା ପରିବାର ।

୨୦୧୯ ସାଧାରଣ ନିର୍ବାଚନରେ  ପୂର୍ଣଚନ୍ଦ୍ର ବାକାଙ୍କ ସମେତ ତାଙ୍କ ଝିଅ ଶାନ୍ତିଲତା ମାଝୀ ଏବଂ ଝିଆରୀ ଲକ୍ଷ୍ମୀପ୍ରିୟା ନାୟକ ବିଧାୟକ ପ୍ରାର୍ଥୀ ଲାଗି ଆଶାୟୀ ଥିଲେ । ପୂର୍ଣଚନ୍ଦ୍ର ବାକା ବିଜେଡି ଟିକଟ ପାଇଥିବା ବେଳେ ଝିଆରି ଲକ୍ଷ୍ମୀପ୍ରିୟା ନାୟକ ଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା । ତେବେ ଝିଅ ଶାନ୍ତିଲତାଙ୍କୁ କିନ୍ତୁ ଟିକଟ ଦେଇ ନ ଥିଲା ବିଜେପି । ଆଉ ଝିଆରି କୁ ୨୫୪୦ ଭୋଟରେ ହରାଇ ବିଧାୟକ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର ବାକା । ତେବେ ଏବେ ଯୋଜନା କମିଟି ବୈଠକରେ ଝିଅର ହୋ-ହଲ୍ଲା ପରେ ପୁଣି ମାଲକାନଗିରି ଜିଲ୍ଲାରେ ବାକା ପରିବାରର ରାଜନୀତି ଚର୍ଚ୍ଚାକୁ ଆସିଛି ।

ମାଲାକନଗିରି ଜିଲ୍ଲା ଗମ୍ଫାକୋଣ୍ଡା ଉଚ୍ଚ ବିଦ୍ୟାଳୟ ରେ ମାଟ୍ରିକ ପାସ କରି ଜଣେ ସରକାରୀ କିରାଣୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ପୂର୍ଣ୍ଣଚନ୍ଦ୍ର ବାକା ବିଜେଡି ଟିକଟ ପାଇ ଚାକିରିରୁ ଅବସର ନେଇ ଥିଲେ । ଆଉ ଝିଅ ଶାନ୍ତିଲତା ମଧ୍ୟ ଗତ ୪ ବର୍ଷ ଧରି ବିଜେପିର ଜିଲ୍ଲା ପରିଷଦ ସଦସ୍ୟା । ଆଗକୁ ପଞ୍ଚୟତ ନିର୍ବାଚନ ଥିବାରୁ ବାକା ପରିବାର ଉପରେ ସମସ୍ତଙ୍କ ନଜର ।