କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନକୁ ନେଇ ପୁଣି ତେଜିଛି ରାଜନୀତି । ଓଡିଶା ଗସ୍ତରେ ଥିବା କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ, ଗରିବଙ୍କୁ ଘର କାହିଁକି ଦିଆଯାଉନାହିଁ ବୋଲି ପ୍ରଶ୍ନ ଉଠାଇବା ପରେ ତେଜିଛି ଏହି ରାଜନୀତି । ଗିରିରାଜ ସିଂ ଅଭିଯୋଗ କରି କହିଛନ୍ତି, ପୂର୍ବରୁ ଓଡି଼ଶାକୁ ୧୦ ଲକ୍ଷ ଇନ୍ଦିରା ଆବାସ ମିଳିଥିଲା, ପ୍ରଧାନମନ୍ତ୍ରୀ ୨୮ଲକ୍ଷ ଦେଲେ । ଗରିବଙ୍କୁ ହକ୍ ମିଳୁ, କିନ୍ତୁ ଏବେବି ୯ଲକ୍ଷ ଘର ଅଧୁରା ପଡିଛି । ନୂଆ ଘର ଦିଆଯାଉ ନାହିଁ । ମୋଦି ଘର ଦେଲେ କିନ୍ତୁ ରାଜ୍ୟ ସରକାର କାହିଁକି ଦେଉନି ।

Advertisment

ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ବଂଟନକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ ଉଠାଇବା ପରେ, ଚେତାବନୀ ଦେଇଛି ବିଜେପି । ଦଳୀୟ ନେତା କହିଛନ୍ତ, ବର୍ଷା ଦିନ ପୂର୍ବରୁ ଯଦି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଘର ନପହଞ୍ଚେ, ତେବେ ଓଡି଼ଶାର ରାଜରାସ୍ତାରେ ନିଆଁ ଜଳିବ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଉପଯୁକ୍ତ ହିତାଧିକାରୀଙ୍କୁ ତୁରନ୍ତ ଘର ଦିଆଯାଉ । ବର୍ଷା ଦିନ ପୂର୍ବରୁ ଗରିବଙ୍କୁ ଆବାସ ଯୋଜନାରେ ଘର ଦିଆଯାଉ । ଆବାସକୁ ନେଇ ରାଜନୀତି ଆରମ୍ଭ ହୋଇଥିବାବେଳେ, ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ଡାହାଣୀ ହୋଇ ଲାଗିବା, ଗୁଣିଆ ହୋଇ ଝାଡିବା ଭଳି କାମ କେନ୍ଦ୍ର ସରକାର କରୁଛନ୍ତି । ଗାଇଡଲାଇନ ପରବର୍ତ୍ତନ କରିବା କରିବା ଯୋଗୁଁ ଯୋଗ୍ୟ ହିତାଧିକାରୀ ଘର ପାଇବା ସମ୍ଭବ ହେଉ ନାହିଁ । ଗରିବ ଲୋକ କେମିତି ଘର ନପାଆନ୍ତୁ ସେଥିପାଇଁ କେନ୍ଦ୍ର ସୁଚିନ୍ତିତ ଷଡଯନ୍ତ୍ର କରିଛି ।

ପ୍ରଧାନମନ୍ତ୍ରୀ ଆବାସ ପାଇଁ କିଛି ମାସ ତଳେ ସବୁ ପଞ୍ଚାୟତାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଥିଲା । କିନ୍ତୁ ତାଲିକାରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ଥିବାବେଳେ ଯୋଗ୍ୟ ହିତାଧିକାରୀ ବାଦ ପଡିଥିବା ଅଭିଯୋଗ ହୋଇଥିଲା । ତାପରେ ସାରା ରାଜ୍ୟରେ ଆବାସକୁ ନେଇ କଳି ସାମନାକୁ ଆସିଥିଲା । ଅଭିଯୋଗ ପରେ ବହୁ ନାଁ ତାଲିକାରୁ ବାଦ ପଡିଥିଲା । କିନ୍ତୁ ରହି ଯାଇଥିଲେ ଘର ପାଇବାକୁ ଯୋଗ୍ୟ ଥିବା ବହୁ ହିତାଧିକାରୀ ।