କୃଷି ଆଇନ ପ୍ରତ୍ୟାହାର ପରେ ତେଜୁଛି ରାଜନୀତି: ସଂସଦରେ ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ କହିଲା ଚାଷୀ ସଂଗଠନ

116

କନକ ବ୍ୟୁରୋ: ୩ଟି ବିବାଦିୟ କୃଷି ଆଇନ ପ୍ରତ୍ୟାହର ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ । ଆଇନକୁ ରାଜ୍ୟସଭାରେ ବିରୋଧ କରିଥିବା ବିରୋଧୀ ଦଳ ଗୁଡିକ ଏବେ ବିଜେପିକୁ ଘେରିବାକୁ ଅଂଟା ଭିଡି ସାରିଲେଣି । ସାରାଦେଶରେ କଂଗ୍ରେସ ପାଳନ କରିଛି କିସାନ ବିଜୟ ଦିବସ । ସେପଟେ ଚାଷୀ ନେତା ରାକେଶ ଟିକାୟତ ସ୍ପଷ୍ଟ କହିଛନ୍ତି ଦାବି ପୂରଣ ନହେବା ଯାଏଁ , ଆନ୍ଦୋଳନରୁ ହଟିବାର ପ୍ରଶ୍ନ ଉଠୁନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀ ନୂଆ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମୁହଁରେ । କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରିବା ପରେ ପରେ ସମସ୍ତଙ୍କ ନଜର ରହିଥିଲା ଚାଷୀ ନେତା ରାକେଶ ଟିକାୟତଙ୍କ ଉପରେ । ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଥିବା ଟିକାୟତଙ୍କ କଣ ରହିବ ଆଭିମୁଖ୍ୟ । ଆଇନ ପ୍ରତ୍ୟାହାର ନେଇ ଖୁସି ପ୍ରକାଶ କଲେ ଚାଷୀ ନେତା, ହେଲେ ସେ ସ୍ପଷ୍ଟ କରିବାକୁ ପଛାଇଲେ ନାହିଁ କି ଆନ୍ଦୋଳନରୁ ଏବେ ହଟିବେନି ଚାଷୀ । କାରଣ ଚାଷୀ ସଂଗଠନର ରହିଛି ଲମ୍ୱା ଦାବି । ମୋଦୀ ସରକାର ଆଗରୁ ନିଷ୍ପତି ନେଇଥିଲେ ୭୦୦ରୁ ଅଧିକ ଚାଷୀଙ୍କ ଜୀବନ ରକ୍ଷା ହୋଇଥାନ୍ତା ବୋଲି କହିଛନ୍ତି ଚାଷୀ ନେତା ।

ଆନ୍ଦୋଳନକାରୀ ଚାଷୀଙ୍କ ପ୍ରମୁଖ ଦାବି କଣ?
-୩ କୃଷି ଆଇନ ପ୍ରତ୍ୟାହାର
-ସଂସଦରେ ଏମଏସପିକୁ ନେଇ ଆଇନ ଆସୁ
-ଚାଷୀଙ୍କ ନାଁରେ ଦାଏର ମାମଲା ପ୍ରତ୍ୟାହାର
-ମୃତ ଚାଷୀଙ୍କ ସ୍ମୃତିରେ ସ୍ମାରକ

ଏବେ କେନ୍ଦ୍ର ସରକାର ୩ କୃଷି ଆଇନ ପ୍ରତ୍ୟାହାର ପରେ ଚାଷୀ ସଂଗଠନ ଏହାର ଆଭିମୁଖ୍ୟ ଆହୁରି ଦୃଢ କରିଛି । ଦିଲ୍ଲୀରେ ସର୍ବଭାରତୀୟ କିସାନ ମୋର୍ଚ୍ଚାର ନେତା ବୈଠକ କରିଛନ୍ତି । ଆଗକୁ ଅନ୍ୟ ଦାବି କିପରି ପୂରଣ ହେବ ସେ ନେଇ କେନ୍ଦ୍ର ସହିତ ହେବ ଆଲୋଚନା ।

କୃଷି ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବେସ୍ ଉତ୍ସାହିତ । ସାରାଦେଶରେ ଶନିବାର କିସାନ ବିଜୟ ଦିବସ ପାଳନ କରିଛି କଂଗ୍ରେସ । ବିଭିନ୍ନ ସ୍ଥାନରେ ମୃତ ଚାଷୀଙ୍କ ସ୍ମୃତିରେ କଂଗ୍ରେସ କରିଛି ଶୋଭାଯାତ୍ରା । ଦେଶରେ ଚାଷୀଙ୍କ ଏକତା ମୋଦୀ ସରକାରଙ୍କ ଅଂହକାରକୁ ଭାଂଗିଦେଲା ବୋଲି ଯୁକ୍ତି ବାଢିଛି କଂଗ୍ରେସ । ଜଣାପଡୁଛି ଆଗକୁ ଏହି ମୁଦ୍ଦାକୁ ନେଇ କଂଗ୍ରେସ , ବିଜେପିକୁ ଘେରିବାକୁ ରଣନୀତି କରିଛି ।

କେନ୍ଦ୍ର ସରକାରଙ୍କୁ ଏହି କୃଷି ଆଇନ ପ୍ରତ୍ୟାହାରକୁ ନେଇ ଗତ ଏକ ବର୍ଷ ହେବ ବାରମ୍ୱାର ଘେରି ଆସୁଥିଲେ ବିରୋଧୀ । ସଂସଦର ଶୀତ ଅଧିବେଶନ ଆଗରୁ ମୋଦୀ ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର କରି ବିରୋଧୀଙ୍କ ହାତରୁ ଏକ ବଡ ମୁଦ୍ଦା ଖସେଇ ଦେଇଛନ୍ତି । ଦେଖିବାର ଅଛି ଆଗକୁ କେଉଁ ପ୍ରସଙ୍ଗରେ ଗୃହରେ କେନ୍ଦ୍ର ସରକାରଙ୍କୁ ଘେରିବେ ବିରୋଧୀ ।