ଗାଁ ଗାଁରେ ଖୋଲିବ ମଦ ଦୋକାନ ! ସରକାରଙ୍କ ଚିଠି ପରେ ଦୋକାନ ଖୋଲାକୁ ପ୍ରବଳ ବିରୋଧ । କଂଗ୍ରେସ କହିଲା, ଗାଁ ଗଣ୍ଡାରେ ସୃଷ୍ଟି ହେବେ ମଦୁଆ

1,804

କନକ ବ୍ୟୁରୋ: ମଦକୁ ନେଇ ନିଇତି ହେଉଛି ମହାଭାରତ । ସବୁଦିନ କେଉଁଠି ନା କେଉଁଠି ମଦ ବିରୋଧରେ ଆନ୍ଦୋଳନ ତେଜୁଛି । ଦେଶୀ ହେଉ ବା ବିଦେଶୀ ମଦ ନାଁ ଶୁଣିଲେ ଚିହିଁଙ୍କି ଉଠୁଥିବା ମହିଳା ଭାଟି ଭାଙ୍ଗିବାକୁ ବି ପଛାଉ ନାହାନ୍ତି । ତେବେ ନିଶାମୁକ୍ତ ସମାଜ ଗଢିବାକୁ ଆଉ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବାକୁ ପ୍ରାୟ ସ୍ଥାନରେ ମଦ ଉପରେ କଟକଣା ଲାଗିଥିବା ବେଳେ ଓଡିଶାରେ କିନ୍ତୁ ମଦକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର । ବିଦେଶୀ ମଦ ଦୋକାନ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ଅବକାରୀ ବିଭାଗ ଜିଲ୍ଲାର ବିଭିନ୍ନ ଅବକାରୀ ଅଧିକାରୀଙ୍କୁ ଜାଗା ଚିହ୍ନଟ କରି ଜଣାଇବାକୁ କହିଥିବା ସୂଚନା ମିଳିଛି ।

ତେବେ ମଦ ଦୋକାନ ବନ୍ଦ ବଦଳରେ ଗାଁ ଗାଁରେ ମଦ ଦୋକାନ ଖୋଲିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର । ଅଧିକ ରାଜସ୍ୱ ଆଶାରେ ସରକାର ଅଧିକରୁ ଅଧିକ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିବା ବେଳେ ଛକ ଛକରେ ମଦ ଦୋକାନ ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ପ୍ରବଳ ବିରୋଧ ହୋଇଛି । ଆଉ ଏହି ମଦକୁ ନେଇ ଆରମ୍ଭ ହୋଇଛି ମହାରାଜନୀତି ।

ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବାକୁ ଯାଇ ବିରୋଧୀ କଂଗ୍ରେସ କହିଛି ଯେ,ଏହା ଦ୍ୱାରା ଗାଁ ଗଣ୍ଡାରେ ପ୍ରବଳ ମଦୁଆ ସୃଷ୍ଟି ହେବେ । ଗୋଟିଏ ପଟେ ମହାତ୍ମାଗାନ୍ଧୀ ଅହିଂସା ଓ ନିଶା ନିବାରଣ କଥା କହୁଥିବା ବେଳେ ଏ ସରକାର କେମିତି ନିଶାକୁ ପ୍ରଶୟ ଦେଉଛନ୍ତି ବୋଲି ପିସିସି ସଭାପତି ନିରଂଞ୍ଜନ ପଟ୍ଟନାୟକ ପ୍ରଶ୍ନ କହିଛନ୍ତି । ଏମିତି କଲେ ରାଜ୍ୟରେ ଆହୁରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ବୋଲି କହିଛନ୍ତି ନିରଂଜନ ।

ସେହିପରି ତାରା ବାହିନୀପତି କହିଛନ୍ତି, ଏହା ଦ୍ୱାରା ମହିଳା ସଶକ୍ତୀକରଣ ଉଦ୍ଦେଶ୍ୟ ବାଟବଣା ହେବ । ସରାକର ଯେଉଁ ମାଆକୁ ସମ୍ମାନ କଥା କହୁଛନ୍ତି ତାହା ଭୁଲ ପ୍ରମାଣିତ ହେବ । ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମଦରୁ ରାଜସ୍ୱ ଲାଭକ୍ଷତି କଥା କହିଛନ୍ତି । ଗତ ବିଧାନସଭା ପୂର୍ବରୁ ସରକାରଙ୍କୁ ନିବେଦନ କରିଥିଲେ କି ଗୋଟେ ତର୍ଜମା କରାଯାଉ ଯେ ମଦ ବନ୍ଦ କଲେ କେତେ ପରିମାଣରେ ରାଜସ୍ୱ କ୍ଷତି ହେଉଛି ଆଉ ମଦ ଚାଲିଲେ କି କ୍ଷତି ହେଉଛି । ଅଧିକ ମଦ ଦୋକାନ ଖୋଲିଲେ ଲାଭ କେତେ ହେବ କ୍ଷତି କେତେ ହେବ, ସେ ନେଇ ତର୍ଜମା କରାଯାଉ ବୋଲି ସୌମ୍ୟରଂଜନ କହିଛନ୍ତି ।

ବିଜେପି ବିଧାୟକ ବିଷ୍ଣୁ ସେଠୀ ସରକାରଙ୍କ ଏ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ସରକାର ରାଜ୍ୟରେ ମଦର ବନ୍ୟା କରିବାକୁ ଚାହୁଁଛନ୍ତି କି ବୋଲି ସେ ପ୍ରଶ୍ନ କରିବା ଆଳରେ ତାଚ୍ଛଲ୍ୟ କରିଛନ୍ତି । ତେବେ ରାଜ୍ୟରେ ଅଧିକରୁ ଅଧିକ ମଦ ଦୋକାନ ଖୋଲିବା ପୂର୍ବରୁ ଅଧିକ ବଢିଛି ମଦ ରାଜନୀତି ।