ଅପକମିଂ ଫିଲ୍ମ ଦ କେରଳ ଷ୍ଟୋରୀକୁ ନେଇ ରାଜନୀତି: କେରଳର ଭାବମୂର୍ତି ଖରାପ ପାଇଁ ବିଜେପି ଷଡଯନ୍ତ୍ର କରୁଥିବା କହିଲେ ଶଶି ଥରୁର

301

କନକ ବ୍ୟୁରୋ: ଫିଲ୍ମ କାଶ୍ମୀର ଫାଇଲ୍ସ ପରେ ଏବେ ସେଭଳି ବିବାଦକୁ ଆସିଛି ଫିଲ୍ମ ଦି କେରଲା ଷ୍ଟୋରୀ । ମେ ୫ରେ ରିଲିଜ ହେବାକୁ ଥିବା ଏହି ସିନେମାକୁ ବ୍ୟାନ୍ କରିବାକୁ ଦାବି କରିଛି କଂଗ୍ରେସ । କଂଗ୍ରେସ ନେତା ଶଶୀ ଥରୁରୁ ଓ ମୁଖ୍ୟମନ୍ତ୍ରୀ ପି ବିଜୟନ ଏହାକୁ ବିରୋଧ କରିଥିବା ବେଳେ ଏବେ କେରଳ ସମତେ ସାରା ଦେଶର ବିଭିନ୍ନ ସ୍ଥାନରେ ଏହାକୁ ବ୍ୟାନ୍ କରିବାକୁ ନେଇ ବିକ୍ଷୋଭ ଦେଖିବାକୁ ମିଳୁଛି ।

ଦ କାଶ୍ମୀର ଫାଇଲ୍ସ’ ପରେ ଏବେ ବିବାଦକୁ ଆସିଛି ଫିଲ୍ମ “ଦି କେରଳ ଷ୍ଟୋରୀ’ । ସିନେମାର ଟିଜର ଓ ଟ୍ରେଲର ରିଲିଜ ହେବା ପରେ ଏହାକୁ ନେଇ ଜାତୀୟ ସ୍ତରରେ ଉଠିଛି ରାଜନୈତିକ ଝଡ । କଂଗ୍ରେସ ସମତେ ବିରୋଧୀ ଦଳ ଗୁଡିକ ଫିଲ୍ମ ବ୍ୟାନ୍ ନେଇ ଦାବି କରିଛନ୍ତିି । ଫିଲ୍ମର ଟ୍ରେଲର ଦେଖି ବିରୋଧ କରିଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ସେ ଫିଲ୍ମର ଏକ ପୋଷ୍ଟର ସହ ଟୁଇଟ୍ କରି ଲେଖିଛନ୍ତି, ଏ ହୁଏତ ଆପଣଙ୍କ କେରଳର ଷ୍ଟୋରୀ ହୋଇପାରେ, ହେଲେ ଆମ କେରଳର ନୁହେଁ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ପି.ବିଜୟନ ବି ଏହାକୁ ବିରୋଧ କରିଥିଲେ । ଫିଲ୍ମରେ କେରଳକୁ ଧର୍ମୀୟ କେନ୍ଦ୍ରଭାବେ ଉପସ୍ଥାପନ କରି ଲଭ ଜିହାଦ ପ୍ରସଙ୍ଗ ଉଠାଯାଇଛି । ଲଭ ଜିହାଦକୁ କୋର୍ଟ ପ୍ରତ୍ୟାଖାନ କରିଥିବା ବେଳେ ସିନେମାରେ ଏହା ଦର୍ଶାଯାଇ ଉଦେଶ୍ୟମୂଳକ ଭାବେ କେରଳକୁ ବଦନାମ୍ କରିବାକୁ ଚେଷ୍ଟା କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ପି.ବିଜୟନ ।

ମେ ୫ରେ ରିଲିଜ ହେବାକୁ ଯାଉଛି ‘ଦି କେରଲା ଷ୍ଟୋର’ । ଏପ୍ରିଲ ୨୬ରେ ଏହାର ଟ୍ରେଲର ରିଲିଜ ହେବା ପରେ ଚାରିଆଡୁ ବିରୋଧ ଦେଖିବାକୁ ମିଳିଛି । ଶାଲିନୀ ଉତିକୃଷନ୍ନ, କେରଳର ଜଣେ ହିନ୍ଦୁ ଝିଅ, ଯିଏ ଆଖିରେ ଆଖିଏ ସ୍ୱପ୍ନନେଇ ଘରୁ ବାହାରୁଛି, ପାଠ ପଢି ନର୍ସ ହେବ, ଦେଶ ସେବା କରିବ । କିନ୍ତୁ ଟ୍ରେନିଂ ଭିତରେ କେତେବେଳେ ତା’ ଜୀବନରେ ହିଜାବ, ଜିହାଦ ଏକ ଅଂଶ ପାଲଟୁଛି, ତାହା ସେ ନିଜେ ଜାଣିପାରୁନି । ଏପରିକି ସେ ନିଜେ ହିନ୍ଦୁ ଶାଲିନୀରୁ କିପରି ଫତିମା ହୋଇଯାଉଛି, ଏବଂ ପରବର୍ତୀ ସମୟରେ ସେବାରୁ ହଟି ଆତଙ୍କବାଦରେ ଫଶିବାକୁ ପରିସ୍ଥିତି ବାଧ୍ୟ କରୁଛି, ଏହାକୁ ନେଇ ଗତିଶୀଳ ହୋଇଛି ଫିଲ୍ମ ‘ ଦି କେରଲା ଷ୍ଟୋରୀ’ର କାହାଣୀ । ଫିଲ୍ମଟି ହିନ୍ଦୀ, ତେଲୁଗୁ, ତାମିଲ ଓ ମାଲାୟଲମ୍ ୪ଟି ଭାଷାରେ ରିଲିଜ ହେବାକୁ ଯାଉଛି । ହେଲେ ସିନେମା ରିଲିଜ ପୂର୍ବରୁ ଏହାକୁ ନେଇ ଆରମ୍ଭ ହୋଇଛି ଝଡ । ସୁଦିପ୍ତୋ ସେନଙ୍କ ନିର୍ଦ୍ଦେଶିତ ଏହି ସିନେମା ମୁସଲିମ୍ ସମ୍ପ୍ରଦାୟକୁ ନୀଚ ଦେଖାଇ ମିଥ୍ୟା କାହାଣୀକୁ ନେଇ ନିର୍ମାଣ କରାଯାଇଥିବା ଅଭିଯୋଗ ଆଣିଛି ସିପିଆଇଏମ୍ ଓ କଂଗ୍ରେସ ।

୩୨ ହଜାର ହିନ୍ଦୁ ଓ ଖ୍ରୀଷ୍ଟ୍ରିୟାନ୍ ଝିଅଙ୍କୁ ଧର୍ମାନ୍ତରିତ କରି ଆଇଏଏସଆଇଏଏସରେ ଯୋଗଦେବାକୁ ଦେଶ ବାହାରକୁ ପଠାଯାଉଛି । ଦକ୍ଷିଣ ଭାରତୀୟ ରାଜ୍ୟରୁ ନିଖୋଜ ହୋଇଥିବା ଏହି ମହିଳାଙ୍କୁ ଇରାକ୍ ଓ ସିରିଆରେ ଆତଙ୍କବାଦୀ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଫିଲ୍ମରେ ଦର୍ଶାଯାଇଛି । ତେବେ ମୁସଲିମ୍ ସମ୍ପ୍ରଦାୟକୁ ବିରୋଧ କରିବାକୁ ରାଷ୍ଟ୍ରୀୟ ସ୍ୱଂୟସେବକ ସଙ୍ଘ ଏଥିରେ ଉଦ୍ୟମ କରିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି । ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦି କାଶ୍ମୀର ଫାଇଲ୍ସ’ ସହ ଏହାକୁ ତୁଳନା କରିଛି କଂଗ୍ରେସ । ଟ୍ରେଲର ରିଲିଜ ପରେ ବ୍ୟାନ୍ ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଉଛି । ସେପଟେ ବିବାଦ ପରେ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକ ଏହାକୁ ସତ୍ୟ ଘଟଣା ଉପରେ ଆଧାରିତ ବୋଲି ଦର୍ଶାଇଛନ୍ତି ।