କନକ ବ୍ୟୁରୋ: ନୂଆ ସଂସଦ ଭବନର ଉଦଘାଟନକୁ ତିନି ଦିନ ବାକି ଥିବା ବେଳେ ଏହାକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । କଂଗ୍ରେସ ସମେତ ମୋଟ ୧୯ ବିରୋଧୀ ଦଳ ଉତ୍ସବକୁ ବହିଷ୍କାର କରିବାକୁ ଘୋଷଣା କରିଛନ୍ତି । ଏହି ସମୟରେ ବିଜେଡିର ପକ୍ଷ କ’ଣ ରହିବ, ତାକୁ ନେଇ ରାଜନୀତି ଆରମ୍ଭ ହୋଇଛି ।
ଦେଶ ରାଜନୀତିରେ ସମଦୂରତାର ଫର୍ମୂଲାକୁ ଆପଣାଇଥିବା ବିଜେଡି, କେଉଁ ପଟକୁ ଢଳିବ? ମୋଦୀଙ୍କ ସହ ନବୀନଙ୍କ ସହ ଭେଟଘାଟ ପରେ ଜାତୀୟ ରାଜନୀତିରେ ପରୋକ୍ଷ ଭାବରେ ବିଜେଡି, ବିଜେପି ସହ ଅଛି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ସଂସଦ ଭବନ ଉଦଘାଟନ ରାଜନୀତି, ବିଜେଡିର ସମଦୂରତା ଫର୍ମୂଲାର ଏକ ପରୀକ୍ଷା । ତେବେ ବିଜେଡିର ଆଭିମୁଖ୍ୟକୁ ନେଇ ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ଓ କଂଗ୍ରେସ ।
କଂଗ୍ରେସ ସମେତ ଯେଉଁ ବିରୋଧୀ ଦଳ ଗୁଡ଼ିକ ଉଦଘାଟନ ଉତ୍ସବକୁ ବହିଷ୍କାର କରିବାକୁ ଘେଷଣା ପରେ ପ୍ରତିକ୍ରିୟା ରଖିଛି ବିଜେପି । ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ଯେ, ସରକାର ସମସ୍ତ ଦଳଙ୍କୁ ଉଦଘାଟନରେ ଯୋଗ ଦେବାକୁ ନିମନ୍ତ୍ôରଣ କରିଛନ୍ତି । ତେବେ ସେମାନେ ନିଷ୍ପତି ନେବେ, ଆସିବେ କି ନାହିଁ ।
ଏହାରି ଭିତରେ ସମସ୍ତ ବିରୋଧୀ ଦଳ ପକ୍ଷରୁ ମିଳିତ ବିବୃତି ଜାରି କରାଯାଇଛି । ବିରୋଧୀ ଦଳ ସମ୍ବିଧାନର ଧାରା-୭୯ର ଉଲ୍ଲେଖ କରି ଲେଖିଛନ୍ତି ଯେ,
- ଅସାମ୍ବିଧାନିକ କାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ପାଇଁ କିଛି ନୂଆ କଥା ନୁହେଁ
- ରାଷ୍ଟ୍ରପତି, କେବଳ ଭାରତୀୟ ରାଷ୍ଟ୍ରମୁଖ୍ୟ ନୁହନ୍ତି ବରଂ ସଂସଦର ଏକ ଅବିଚ୍ଛେଦ୍ୟ ଅଙ୍ଗ ।
- ଉଦଘାଟନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଣଦେଖା କରିବା ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ
- ରାଷ୍ଟ୍ରପତିଙ୍କ ଦ୍ୱାରା ସଂସଦ ଅଧିବେଶନ ଆରମ୍ଭ ହୋଇଥାଏ
- ରାଷ୍ଟ୍ରପତିଙ୍କ ବିନା ସଂସଦୀୟ କାର୍ଯ୍ୟ ହୋଇପାରିବ ନାହିଁ
- ତଥାପି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ବିନା ନିମନ୍ତ୍ରଣରେ ନୂଆ ସଂସଦ ଭବନର ଉଦଘାଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି
- ଏହା ଅତ୍ୟନ୍ତ ଅଶୋଭନୀୟ ଓ ସର୍ବୋଚ୍ଚ ପଦର ଅପମାନ