ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡକୁ ନେଇ ରାଜନୀତି । ମୁହାଁମୁହିଁ ହେଲେ ବିଜେଡି-ବିଜେପି ।

156

କନକ ବ୍ୟୁରୋ: ବଲାଙ୍ଗୀରରେ ଶୁଭାରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ । ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗୀରରେ ହିତାଧିକାରୀଙ୍କୁ ସ୍କାର୍ଟ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତଙ୍କ ଜୀବନ ତାଙ୍କ ପାଇଁ ମୂଲ୍ୟବାନ । ବଲାଙ୍ଗୀରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ସାଢେ ୪ ଲକ୍ଷ ଲୋକ ଉପକୃତ ହେବେ ।

  • ତେବେ କାହାର ଯୋଜନା ଭଲ ?
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବନାମ ଆୟୁଷ୍ମାନ ଯୋଜନା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନାମ ଆୟୁଷ୍ମାନ ଯୋଜନାକୁ ନେଇ ବିଜେଡି ଓ ବିଜେପି ନେତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଆୟୁଷ୍ମାନ ଯୋଜନାକୁ ଲାଗୁ କରିବାକୁ ରାଜ୍ୟ ସରକାର ବିଚାର କରିବା ଉଚିତ ବୋଲି କହିଛନ୍ତି ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ । ଏହାର ଜବାବରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି, ଓଡ଼ିଶା ସରକାରଙ୍କ ପଦକ୍ଷେପକୁ କେନ୍ଦ୍ର ଅନୁକରଣ କରୁଛି । ବଲାଙ୍ଗୀର-ନୂଆପଡ଼ା ଓ ସମ୍ବଲପୁର-ସୁବର୍ଣ୍ଣପୁର ରେଲୱେ ଲାଇନ ପ୍ରସଙ୍ଗକୁ ନେଇ ମଧ୍ୟ ଉଭୟ ମୁହାଁମୁହିଁ ହୋଇଥିଲେ । ତେବେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ ବି କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିିପ୍ରସ୍ତର ସ୍ଥାପନ କରାଯିବା ସହ ୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏହା ସହ ୨୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।