ଗାନ୍ଧୀଙ୍କୁ ମନେ ପକାଉଛି ଓଡିଶା । ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଶହେ ବର୍ଷ ପୁର୍ତ୍ତି ଅବସରରେ କଟକରେ ଶୋଭାଯାତ୍ରା, ସାମିଲ ହେଲେ ଅନେକ ନେତା ମନ୍ତ୍ରୀ  

74

କନକ ବ୍ୟୁରୋ : ଆଜି ରାଜ୍ୟରେ ପାଳନ ହେଉଛି ମହାତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ଶତ ବାର୍ଷିକ ଉତ୍ସବ । ଏହି ଅବସରରେ ସକାଳେ କଟକ ରେଳ ଷ୍ଟେସନରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି । କଟକରେ କଲେଜ ଛକ,  ମାତାମଠ, ଦରଘାବଜାର, ଚୌଧୁରୀ ବଜାର ଏହି ଶୋଭାଯାତ୍ରା ତ୍ରିଶୁଳିଆରେ ଶେଷ ହେବ । ଏହି ଶୋଭାଯାତ୍ରାରେ ସାଂସଦ ଭତୃହରି ମହତାବ, ବାଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ର, ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ, ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଛନ୍ତି ।

ଆଜି ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂରଣ ହୋଇଛି । ପ୍ରଥମ ଥର ପାଇଁ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ଏହି ଉପଲକ୍ଷେ ଆଜି ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସକାଳ ସାଢ଼େ ୧୦ରୁ ସାଢ଼େ ଗୋଟିଏ ପର୍ଯ୍ୟନ୍ତ ଏହି ଆଲୋଚନା ହେବ । ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ ଏବଂ ଏ ନେଇ ଏକ ସଂକଳ୍ପ ଅଣାଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏହି ସ୍ୱତନ୍ତ୍ର ଆଲୋଚନା ପାଇଁ ବିଧାନସଭାର ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୂଲତବୀ ଆଲୋଚନା ବାତିଲ କରାଯାଇଛି । ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମସିହା ମଧ୍ୟରେ ୮ ଥର ଓଡ଼ିଶା ଗସ୍ତରେ ଆସିଥିଲେ । ନିଜର ପ୍ରଥମ ଓଡ଼ିଶା ଗସ୍ତରେ ଓଡ଼ିଶା ଆସି କଟକ କାଠଯୋଡି ନଦୀପଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ଗାନ୍ଧିଜୀ । ଶହେ ବର୍ଷ ପୂର୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ରାଜ୍ୟ ସରକାର ।